ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମଙ୍ଗଳବାରଠାରୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ନଦୀର ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ। ଏପ୍ରିଲ ୨୨ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ଏହାପରେ ଏପ୍ରିଲ ମାସ ୨୯ ତାରିଖରୁ ମେ’ ମାସ ୩ ତାରିଖ ଯାଏଁ ଟ୍ରିବ୍ୟୁନାଲ୍ ଓଡ଼ିଶାରେ ମହାନଦୀର ତଳିଆ ଅଞ୍ଚଳ ଗସ୍ତ କରି ନିରୀକ୍ଷଣ କରିବେ।

ଏହି କ୍ଷେତ୍ର ପରିଦର୍ଶନରେ ମହାନଦୀରେ ତଳ ମୁଣ୍ଡକୁ ହେଉଥିବା ଜଳ ପ୍ରବହର ନିରୀକ୍ଷଣ କରିବ ଟ୍ରିବ୍ୟୁନାଲ୍। ମଙ୍ଗଳବାର କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକର, ଏହର ସଦସ୍ୟ ଏବଂ ଓଡିଶା ଓ ଛତିଶଗଡ଼ ଜଳ ବିଭାଗର ପ୍ରତିନିଧି ଦଳ ଯୋଗ ଦେବେ। ଏହାବ୍ୟତୀତ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଜଳ ବିଭାଗର ଟିମ୍ ମଧ୍ୟ ଏଥିରେ ସାମିଲ ହେବେ। ଦୁଇଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ୍ ୨୦ଟି ସ୍ଥାନ ପରିଦର୍ଶନ କରିବେ।

ଓଡ଼ିଶାର ପ୍ରତିନିଧି ଦଳରେ ୪ ଜଣ ଆଇନଜୀବୀଙ୍କ ସମେତ ମୋଟ ୨୦ ସଦସ୍ୟ ରହିବେ। ସେମାନେ ଟ୍ରିବ୍ୟୁନାଲକୁ ମହାନଦୀକୁ ନେଇ ଥିବା ଓଡ଼ିଶାର ଆଭିମୁଖ୍ୟ ଓ ଛତିଶଗଡ଼ର ଏକତରଫା ଜଳ ଅଟକାଇବା ବିଷୟରେ ଅବଗତ କରାଇବେ। ପୂର୍ବରୁ ଟ୍ରିବ୍ୟୁନାଲଦ୍ଵାରା ମହାନଦୀର ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧ ଲକ୍ଷ ୩୨ ହଜାର ୪୧୪ ବର୍ଗ କିଲୋମିଟର ସୀମା ନିର୍ଦ୍ଧାରଣ କରାଯାଇଛି।

ମହାନଦୀ ଟ୍ରିବ୍ୟୁନାଲ ଅଣମୌସୁମୀ ଋତୁରେ କ୍ଷେତ୍ର ପରିଦର୍ଶନ କରିବାଫଳରେ ଓଡ଼ିଶାକୁ ଜଳପ୍ରବାହ କମିବାର ସୂଚନା ହାସଲ କରିବେ ବୋଲି ଅନୁମାନ କରାଯାଉଛି। ଏହି ସମୟରେ ଛତିଶଗଡ଼ ଓଡ଼ିଶାକୁ ପ୍ରବାହିତ ଜଳସ୍ରୋତ ଉପରେ ଅଙ୍କୁଶ ଲଗାଇଥାଏ। ଏନେଇ ହୀରାକୁଦ ଜଳଭଣ୍ଡାରରେ ଚଳିତବର୍ଷ ମଧ୍ୟ ଜଳସ୍ତର ୪ ଫୁଟ କମିଗଲାଣି।

ମହାନଦୀ ଜଳ ବିବାଦ ଅନେକବର୍ଷ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ବଡ଼ ସମସ୍ୟା ପାଲଟିଛି। ଦୁଇ ରାଜ୍ୟଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ ଦ୍ଵାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଗଠନ କରାଯାଇଥିଲା। ଏହି ଟ୍ରିବ୍ୟୁନାଲର ଗଠନକୁ ଅନେକ ସମୟ ବିତି ଯାଇଥିଲେ ମଧ୍ୟ ମହାନଦୀ ବିବାଦ ଥମିବାର ନାଁ ନେଉଁନି।

Tags: #MahanadiWaterDispute #MahanadiWaterTribunal #Odisha #Chhattisgarh #WaterDispute

Comment