ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଭୁବନେଶ୍ୱର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଫେବ୍ରୁଆରି ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବ। ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗିତାରେ ଏପରି କାର୍ଯ୍ୟକ୍ରମ ପ୍ରତି ସନ୍ଧ୍ୟାରେ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି।

ଆଜି ଅପରାହ୍‌ଣରେ ଲୋକସେବା ଭବନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନ ବିକାଶ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ବର୍ଷାଦିନ ବ୍ୟତୀତ ବର୍ଷର ୮ ମାସ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ସାଂସ୍କୃତିକ ଦଳ ଏଠାରେ ନିଜର କଳା ପରିବେଷଣ କରିବେ। ଫଳରେ ସାଂସ୍କୃତିକ ଦଳଗୁଡ଼ିକ ଉପକୃତ ହେବା ସହିତ ବିଭିନ୍ନ ଲୋକ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି।

ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିସନର ବିଶାଳ ଦେବ ଓ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here