ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଇଁଠାପାଲିରେ ପହଞ୍ଚି ହାଜତ ମୃତ୍ୟୁ ଘଟଣାର ତନାଘନା କରୁଛନ୍ତି ଏଚ୍‌ଆର୍‌ପିସି ଟିମ୍।

ସମ୍ବଲପୁର ଜିଲ୍ଲା ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଚ୍‌ଆର୍‌ପିସି ଟିମ୍ ଅଇଁଠାପାଲିରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଏସ୍‌ପି ପାହ୍ୟା ଅଫିସରଙ୍କ ନେତୃତ୍ବରେ ଏଚ୍‌ଆରପିସି ଟିମ୍ ତଦନ୍ତ କରୁଛନ୍ତି। ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ ନାଥ ସମସ୍ତ ପ୍ରକାର ତଥ୍ୟ ତଦନ୍ତକାରୀ ଟିମ୍‌କୁ ଯୋଗାଇ ଦେବେ।

ଗୁରୁବାର ରାତିରେ ଅବିନାଶ ମୁଣ୍ଡା ନାମକ ଜଣେ ଯୁବକଙ୍କ ମୃତଦେହ ଅଇଁଠାପାଲି ହାଜତରୁ ଉଦ୍ଧାର କରାଯାଇଥିଲା। ପୋଲିସ ପିଟି ପିଟି ମାରି ଦେଇଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ଥାନାରେ ଲଙ୍କାକାଣ୍ଡ କରିଥିଲେ।

ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡ଼ା ଜଳନା କରିଥିଲେ। ଥାନାରେ ଥିବା ଗାଡ଼ି ଏବଂ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜାଳି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

ଏହି ଘଟଣାରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏଚ୍‌ଆରପିସି ତଦନ୍ତ ଆଦେଶ ଦେଇଥିଲେ। ଏହାସହ ଉତ୍ତରାଞ୍ଚଳ ଆଇଜି ଏବଂ ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଡିଜି ଥାନା ଆଇଆଇସିଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ।

ଓଡ଼ିଶା ଆଦିବାସୀ ଦଳିତ ସେନା ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରଦେବାକୁ ଦାବି କରିଛି।

କଲ୍ୟାଣ ମଣ୍ଡପ ଚୋରି କେସ୍‌ରେ ପୋଲିସ ଅବିନାଶଙ୍କୁ ଗିରଫ କରିଥିଲା। ତାଙ୍କୁ ହାଜତରେ ରଖି ପଚରାଉଚରା କରିଥିଲା। ହେଲେ ଗୁରୁବାର ରାତିରେ ତାଙ୍କର ହାଜତରେ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here