ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ର କଳା ଓ ସାହିତ୍ୟ ଅନୁଷ୍ଠାନ ‘ତଥାସ୍ତୁ’ ପକ୍ଷରୁ ସାହିତ୍ୟସାରଥୀ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଅପୁରଣୀୟ ଅବଦାନକୁ ମନେ ପକାଯାଇଥିଲା।
ଅନ୍ଲାଇନ ବା ଭର୍ଚୁଆଲ ମିଟିଙ୍ଗ୍ ଜରିଆରେ, ସାହିତ୍ୟ ଓ ଇତିହାସ ପ୍ରତି ପଣ୍ଡିତ ମିଶ୍ରଙ୍କ ଅବଦାନ ସଂପର୍କରେ ଆଲୋଚନା ହୋଇଥିଲା। ସମାରୋହରେ ସାମିଲ ଅତିଥିମାନେ ପଣ୍ଡିତ ମିଶ୍ରଙ୍କ ପ୍ରତି ନିଜର ଗଭୀର ସମ୍ମାନ ଜଣାଇ ପଣ୍ଡିତ ମିଶ୍ରଙ୍କ ଗବେଷଣାଲବ୍ଧ ଦାନ ଓଡ଼ିଆ ଭାଷାର ସାହିତ୍ୟ ଓ ଇତିହାସକୁ ରୁଦ୍ଧିମନ୍ତ କରିଥିବା ମତ ପ୍ରକାଶ କରିଥିଲେ।ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା କଥାକାର ଦେବାଶିଷ ସାମନ୍ତରାୟଙ୍କୁ ‘ତଥାସ୍ତୁ’ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ବକ୍ତୃତା ଓ କବିତା ରଚନା କ୍ଷେତ୍ରରେ ମଧ୍ୟ କେତେକ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ୍ ତଥା ସାହିତ୍ୟିକ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଏବଂ ଖଡ଼ଗପୁର ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଜଗମୋହନ ଆଚାର୍ଯ୍ୟ ମୁଖ୍ୟବକ୍ତା ରୂପେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ବରସିନ୍ ବିବି ଅଧ୍ୟକ୍ଷତା କରିଥିଲା ବେଳେ ଅନୁଷ୍ଠାନ ସଂପାଦକ ଶରତ ଆଚାର୍ଯ୍ୟ ଏହାକୁ ସଂଯୋଜନା କରିଥିଲେ।