ଓଡ଼ିଶାଲାଇଭ୍ ବ୍ୟୁରୋ
- ପ୍ରଶାସନ ଦେଲା ଗାର୍ଡ ଅଫ ଅନର
- ନୟାଗଡ଼ରେ ହେଲା ଅନ୍ତିମ ସଂସ୍କାର
କନ୍ଧମାଳ ଜିଲ୍ଲା ଆଶା ପରିଚାଳକ ଭାବେ କାର୍ଯ୍ୟରତ ଥିବା ନୟାଗଡ଼ ଜିଲ୍ଲାର ଶ୍ରୀଧର ସ୍ୱାଇଁଙ୍କର ମଙ୍ଗଳବାର କରୋନାରେ ପରଲୋକ ହୋଇଛି। ଜନ୍ମମାଟି ନୟାଗଡ଼ରେ ତାଙ୍କ ମରଶରୀରକୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ବୁଧବାର ସକାଳ ସାଢେ ୧୦ଟାରେ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲଠାରେ ମୃତ ଶ୍ରୀଧରଙ୍କ ମରଶରୀରକୁ ରଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ପୋମା ଟୁଡୁ, ଏସ୍ପି ପ୍ରତ୍ୟୁଷ ଦିୱାକର, ଡିଏଫଓ ଏଚ୍ଡି ଧନରାଜ, ସିଡିଏମଓ ଶକ୍ତି ମିଶ୍ର ଏବଂ ଡିପିଏମ୍ ନିତ୍ୟରଞ୍ଜନ ବରାଳଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଶ୍ରୀଧରଙ୍କ ମରଶରୀରକୁ ଜନ୍ମମାଟି ନୟାଗଡ଼ରେ ଅନ୍ତିମ ସଂସ୍କାର କରାଯାଇଛି। ଫଳରେ ତାଙ୍କ ପତ୍ନୀ, ପୁତ୍ର ଏବଂ ପରିବାର ଆତ୍ମୀୟ ସ୍ୱଜନଙ୍କ ସମେତ ଜିଲ୍ଲାର ବହୁ ଆଶାକର୍ମୀ ତାଙ୍କୁ ଶେଷ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।
ସ୍ୱର୍ଗତ ସ୍ୱାଇଁ ଗତ କିଛି ମାସ ପୂର୍ବେ ନୟାଗଡ଼ ଜିଲ୍ଲାରୁ କନ୍ଧମାଳ ଜିଲ୍ଳାକୁ ବଦଳି ହୋଇ ସେଠାରେ କୋଭିଡ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ କୋଭିଡ ସଂକ୍ରମଣ ହୋବାପରେ ତାଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨୮ଦିନ ଚିକିତ୍ସିତ ହେବା ପରେ ମଙ୍ଗଳବାର ଗୁରୁତର ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।