ଓଡ଼ିଶାଲାଇଭ୍ ବ୍ୟୁରୋ

ରଏଟର୍ସର ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଭାରତୀୟ ସାମ୍ବାଦିକ ଡାନିସ ସିଦ୍ଦିକିଙ୍କୁ ଆଫଗାନିସ୍ଥାନରେ ହତ୍ୟା କରାଯାଇଛି। ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ତାଲିବାନ ଓ ଆଫଗାନ ସେନାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ବେଳର କଭରେଜ୍ ସମୟରେ ତାଙ୍କର ମୃତ୍ୟୁ ହୋଇଛି। ତାଲିବାନୀ ସେନାଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖାଲି ସେତିକି ନୁହେଁ, ସେହି ସମୟରେ ଆଫଗାନିସ୍ଥାନ ସେନାରେ ସାମିଲ ଥିବା ଜଣେ ଯବାନ ସାଦିକ କରଜଈଙ୍କର ବି ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି।

ଫଟୋ ସାମ୍ବାଦିକ ଭାବରେ ଦେଶର ଜଣେ ଜଣାଶୁଣା ସାମ୍ବାଦିକ ହେଉଛନ୍ତି ଡାନିସ। ଟିଭି ସାମ୍ବାଦିକତାରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ମସିହାରୁ ୨୦୧୦ମସିହା ପର୍ଯ୍ୟନ୍ତ ସେ ‘ଇଣ୍ଡିଆ ଟୁଡେ’ ନାମକ ଜାତୀୟ ଗଣମାଧ୍ୟମ ସହ ଯୋଡ଼ି ହୋଇ ରହିଥିଲେ। ୨୦୧୮ମସିହାରେ ‘ରୋହିଂଗ୍ୟା ସଙ୍କଟ’ ସମୟରେ ଫିଚର ଫଟୋଗ୍ରାଫି ପାଇଁ ସିଦ୍ଦିକିଙ୍କୁ ‘ପୁଲିତଜର୍’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଫଗାନିସ୍ଥାନର ଉପରାଷ୍ଟ୍ରପତିଙ୍କ ଅଭିଯୋଗ, ପାକିସ୍ତାନ ସେନା ତାଲିବାନକୁ ସମର୍ଥନ କରୁଛି। ଏପରିକି ସେମାନଙ୍କୁ ବିମାନ ସହାୟତା ମଧ୍ୟ ପ୍ରଦାନ କରୁଛି । ଆଫଗାନିସ୍ଥାନରୁ ଆମେରିକୀୟ ଓ ନାଟୋ ସେନାର ପ୍ରତ୍ୟାବର୍ତ୍ତନ ପରେ ଏହି ଦେଶକୁ ଅଧିକାର କରିବାକୁ ତାଲିବାନ ପୁଣି ଲଢେଇ ଆରମ୍ଭ କରିଛି। ଆଉ ଏହି ସଂଘର୍ଷ ସମୟର କଭରେଜ କରିବା ସମୟରେ ସିଦ୍ଦିକିଙ୍କର ମୃତ୍ୟୁ ହୋଇଛି।

ସିଦ୍ଧିକି ନିଜ ଟୁଇଟର ମାଧ୍ୟମରେ ସଂଘର୍ଷ ସମୟର କିଛି ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏମିତିକି କିଛି ଦିନ ତଳେ ତାଙ୍କ ଉପରେ ହୋଇଥିବା ଗୁଳି ଚାଳନାର ଭିଡିଓ ମଧ୍ୟ ସେ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ସେ ଅନେକ ଦେଶରେ କାମ କରିଛନ୍ତି।ଆଫଗାନିସ୍ଥାନ-ଇରାକ ଯୁଦ୍ଧଠାରୁ ଆରମ୍ଭ କରି ହଙ୍ଗକଙ୍ଗରେ ହୋଇଥିବା ପ୍ରଦର୍ଶନ, ନେପାଳରେ ହୋଇଥିବା ଭୂକମ୍ପ ଇତ୍ୟାଦି ବିପଦପୂର୍ଣ୍ଣ ଘଟଣାଗୁଡ଼ିକ ସେ କଭରେଜ୍ କରିଥିଲେ। ଏଥିସହ କରୋନା ସଙ୍କଟ ଏବଂ ଦିଲ୍ଲୀ ଦଙ୍ଗା ସମୟରେ ତାଙ୍କ ଦ୍ଵାରା ଉଠାଯାଇଥିବା ଫଟୋ ବେଶ୍ ଭାଇରାଲ ହୋଇଛି। ତାଙ୍କ ଫଟୋଗ୍ରାଫିକୁ କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ଅନେକ ପ୍ରଶଂସା ମିଳିଛି। ସିଦ୍ଦିକିଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏଥିସହ ତାଙ୍କ ମୃତ୍ୟୁ ଖବର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳେଇ ଦେଇଛି। ସମସ୍ତେ ଟୁଇଟ ଜରୀଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here