ଓଡ଼ିଶାଲାଇଭ୍ ବ୍ୟୁରୋ
- ନିୟନ୍ତ୍ରଣ ବାହାରେ ପରିବା ଦର, ଚିନ୍ତାରେ ଖାଉଟି
- ଟମୋଟୋ କିଲୋ ୮୦, କୋଶଳା ଶାଗ ବିଡ଼ାକୁ ୨୦
- ଚଢ଼ା ତେଲ ଦର ପାଇଁ ବଢୁଛି ପରିବା ଦର: ବ୍ୟବସାୟୀ ସଂଘ
କାର୍ତ୍ତିକ ମାସରେ ପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପନିପରିବାର ଏହି ଚଢ଼ା ଦରକୁ ନେଇ ଖାଉଟିଙ୍କ ସହ ହବିଷ୍ୟାଳୀମାନେ ମଧ୍ୟ ଚିନ୍ତାରେ ପଡ଼ିଗଲେଣି। ବିଭିନ୍ନ ପରିବାର ଚଢ଼ା ଦର ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ଆଳୁ ଓ ଟାମାଟୋଠାରୁ ଆରମ୍ଭକରି ପ୍ରତ୍ୟେକ ପନିପରିବା ଚଢ଼ା ଦରରେ ବିକ୍ରି ହେଉଛି। ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ୍ ଉପରେ ପଡ଼ିଛି।ବିଶେଷକରି ଖଟିଖିଆ, ମଜୁରିଆ ଓ ମଧ୍ୟବିତ୍ତ ବର୍ଗର ଲୋକ ମହଙ୍ଗାମାଡ଼ରେ ଅତିଷ୍ଠ ହୋଇ ପଡ଼ିଲେଣି। ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସହ ପରିବାଦର ବୃଦ୍ଧି ଏମାନଙ୍କ ଜୀବନକୁ ଦୁର୍ବିସହ କରି ସାରିଲାଣି। କରୋନା ଯୋଗୁଁ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଏହି ମହଙ୍ଗାମାଡ଼ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି। କିଭଳି ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଇବେ ଏବେ ସେମାନଙ୍କୁ ସେହି ଚିନ୍ତା ଘାରିଛି। ତେବେ ତେଲଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢୁଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ପରିବା ଦର ମଧ୍ୟ ବଢୁଛି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସଫେଇ ଦିଆଯାଇଛି।ବଜାରରେ ଏବେ ବିନ୍ସର ମୂଲ୍ୟ ୭୦ରୁ ୮୦ ଥିବା ବେଳେ ଆଳୁ କିଲୋ ୨୦ ଟଙ୍କା, ଦେଶୀଆଳୁ ୪୦ରୁ ୫୦, କଖାରୁ କେଜି ୩୦, କଞ୍ଚାଲଙ୍କା କେଜି ୧୦୦ ଟଙ୍କା ବିକ୍ରି ହେଉଛି। ସେହିପରି ପୋଟଳ ୮୦, କାଙ୍କଡ ୧୦୦ ଟଙ୍କା ପାର୍ କରିଛି। ଗାଜର ୬୦, ଟମାଟୋ ୭୦ରୁ ୮୦, କଲରା ୪୦, ବାଇଗଣ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଫୁଲକୋବି ଗୋଟା ୮୦, ବନ୍ଧାକୋବି ୩୦ ଟଙ୍କା, ଝୁଡଙ୍ଗ ୩୦ ଟଙ୍କାରେ ବିକ୍ରି ହେଉଛି।
କାର୍ତ୍ତିକ ମାସରେ ବିଭିନ୍ନ ପ୍ରକାର ଶାଗର ଚାହିଦା ଅଧିକ ରହୁଥିବାରୁ କୋଶଳା ବିଡ଼ା ପ୍ରତି ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଛି। କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ବୃଦ୍ଧି ଆରମ୍ଭ ହୋଇଯାଇ ଥିବାରୁ ପୂରା ମାସଶେଷ ବେଳକୁ ପରିବା ଖର୍ଚ୍ଚକୁ ନେଇ ଖାଉଟିଙ୍କ ଚିନ୍ତା ଏବେଠୁ ବଢ଼ିଯାଇଛି।