ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ହିବଷ୍ୟାଳି  ଯୋଜନା ଗତ ୨ ବର୍ଷ ଧରି ବନ୍ଦ ରହିଥିବେଳେ ଚଳିତ ବର୍ଷ ପୁଣି ଥରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।  ଏଥିପାଇଁ ମଙ୍ଗଳବାର ଦିନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଶୃଙ୍ଖଳିତ, ହବିଷିଆଳିଙ୍କ ପାଇଁ ଦର୍ଶନ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ, ପୂଜାର୍ଚ୍ଚନା ନେଇ ଆଲୋଚନା କରାଯାଇଛି।

ଚଳିତବର୍ଷ ପ୍ରାୟ ଅଢେଇ ହଜାର ବ୍ରତଧାରୀଙ୍କୁ ରଖିବା ଲାଗି ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି। ଏନେଇ ୮ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ୧୦ ତାରିଖରୁ ପଞ୍ଜୀକରଣ ଆରମ୍ଭ କରାଯାଇ ୨୫ ତାରିଖରେ ଶେଷ ହେବ। ଏଥର ନୂତନ ହବିଷିଆଳି ଶିବିର ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହେବ।

ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସରେ ହବିଷିଆଳିମାନେ ରହିବେ। ଆବଶ୍ୟକସ୍ଥଳେ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଏବଂ ମୋଚିସାହି କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଶିବିର କରାଯିବ। ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷିଆଳି ପଞ୍ଜୀକରଣ କରିପାରିବେ। ତେବେ ହବିଷିଆଳିଙ୍କ ପାଇଁ ବୁଷ୍ଟର ଡୋଜ ବାଧ୍ୟତାମୂକଳ କରାଯାଇଛି।

ପ୍ରତିବର୍ଷ କାର୍ତ୍ତିକ ମାସର ବ୍ରତ ପାଳନ ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସିଥାନ୍ତି।  ତେଣୁ ସେମାନେ କିପରି ମାଗଣାରେ ରହି ବ୍ରତ ପାଳନ କରିବେ, ସେଥିପାଇଁ ରାଜ୍ୟ ସରକାର ହବିଷିଆଳି ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନା ଅନୁସାରେ, ହବିଷିଆଳିମାନେ ମାସେ ପର୍ଯ୍ୟନ୍ତ ପୁରୀରେ ରହି ମନ୍ଦିରକୁ ଯିବା ସହ ଅବଢ଼ା ସେବନ କରିପାରୁଥିଲେ। ଦୁଇବର୍ଷ ପରେ ପୁଣିଥରେ ହବିଷିଆଳି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Tags: #kartikbrata2022 #purishreemandir #Habisyaliyojanapuri #GovtOfOdisha

Comment