ଓଡ଼ିଶାଲାଇଭ୍ ବ୍ୟୁରୋ

ଧର୍ମର ମାସ ହେଉଛି କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସରେ ହବିଷ କଲେ କୋଟି ଜନ୍ମର ପୁଣ୍ୟ ମିଳେ। ଓଡ଼ିଆ ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ପରଦିନଠୁ ଆରମ୍ଭ ହୁଏ କାର୍ତ୍ତିକ ମାସ ହବିଷ ନୀତି। ଏହି ସମୟରେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର କାର୍ତ୍ତିକ ମାସ ନୀତି ଚାଲିଥାଏ। ଦୂରଦୂରାନ୍ତରୁ ହବିଷ୍ୟାଳିମାନେ ହବିଷ ମାସ ପାଳିବା ପାଇଁ ପୁରୀରେ ଠୁଳ ହୁଅନ୍ତି। ତେବେ ହବିଷ ମାସରେ ୭ଟି ପ୍ରମୁଖ ନୀତିନିୟମର ପାଳନ କରାଯାଇଥାଏ।

ହବିଷ ଖାଦ୍ୟ

କାର୍ତ୍ତିକ ମାସ ପାଳୁଥିବା ହବିଷ୍ୟାଳିମାନେ ମାସଟା ଯାକ ବିନା ପିଆଜ ରସୁଣ ଖାଦ୍ୟ ଖାଇ କାର୍ତ୍ତିକ ବ୍ରତ ପାଳନ କରିଥା’ନ୍ତି। କେତେକ ପରିବାରରେ ମାସଟିଯାକ ଆମିଷ ରୋଷେଇ ହୁଏ ନାହିଁ। ହବିଷ୍ୟାଳିମାନେ ଦିନକୁ ଥରେ ଅର୍ଥାତ୍ ସୂର୍ଯୋଦୟ ପୂର୍ବରୁ ଖାଇବା ପରମ୍ପରା ରହିଛି।

ପଞ୍ଚ ମୁରୁଜ ଝୋଟି ଆଉ ଚଉଁରା ପୂଜା

କାର୍ତ୍ତିକ ମାସ ସାରା ମହିଳାମାନେ ବଡ଼ି ଭୋରରୁ ଉଠି ଗାଧୋଇ ତୁଳସୀ ଚଉଁରା ପାଖରେ ମୁରୁଜ ପକାନ୍ତି। ଏହାପରେ ଚଉଁରା ପୂଜା କରି ଚଉଁରା ଚାରି ପାଖରେ ୯ଥର ପରିକ୍ରମା କରି ରାଇ ଦାମୋଦରଙ୍କୁ ଆରାଧନା କରନ୍ତି।

ହବିଷ ଡାଲମା  

କାର୍ତ୍ତିକ ମାସ ମୁଖ୍ୟ ଆକର୍ଷଣ ହେଲା ସ୍ୱାଦିଷ୍ଟ ହବିଷ ଡାଲମା। ମୁଗ ଡାଲି, ଘିଅ, କଞ୍ଚା କଦଳୀ, ଖମ୍ବଆଳୁ, କନ୍ଦମୂଳ, ସାରୁ, ଓଉ, ନଡ଼ିଆ ଆଉ ଅଦା ବ୍ୟବହାର କରାଯାଏ। ଏହି ହବିଷ ଡାଲମାରେ ଡାଲିରେ କୌଣସି ଛୁଙ୍କ ପଡ଼େ ନାହିଁ।

ଡ଼ବଡ଼ିଆ ଡାକ

ହିନ୍ଦୁ ସମ୍ପ୍ରଦାୟର ଗୋଟିଏ ବଡ଼ ପର୍ବ ହେଲା ଦୀପାବଳି। ଏହି ଦିନ ପୂର୍ବଜମାନଙ୍କୁ ମନେ ପକାଇଥା’ନ୍ତି ପରିବାର ଲୋକ। ହିନ୍ଦୁ ପରିବାରର ସଦସ୍ୟମାନେ ପୂର୍ବଜମାନଙ୍କ ଆତ୍ମା ଶାନ୍ତି କରିବା ପାଇଁ କାଉଁରିଆ କାଠି ଜଳାଇଥା’ନ୍ତି। ଦୀପାବଳି ଦିନ ରାତିରେ ପରିବାରର ବଡ଼ ସଦସ୍ୟ କାଉଁରିଆ କାଠି ଜଳାଇ କହନ୍ତି ଯେ, ‘ବଡ଼ବଡ଼ିଆ ହୋ… ଅନ୍ଧାରରେ ଆସି ଆଲଚଅରେ ଯାଅ…’।

ଦୀପାବଳିରେ ବିଭିନ୍ନ ପ୍ରକାର ପିଠାପଣା ତିଆରି କରି ପୂଜା କରାଯାଇଥାଏ। ପୁରୀ ବଡ଼ଦାଣ୍ଡରେ ବି ଦୀପାବଳିର ଏହି ପରମ୍ପରା ପାଳନ କରାଯାଇଥାଏ।

ଅଁଳା ନବମୀ ରାଧା ପାଦ ଦର୍ଶନ

ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଲ ନବମୀ ତିଥିରେ ପୁରୀରେ ଅଁଳା ନବମୀ ନୀତି ପାଳନ କରାଯାଏ। ଏହି ଦିନ ଗୋଟା ଅଁଳା ବା ଅଁଳା ରସ ଭଗବାନଙ୍କୁ ଭୋଗ ଆକାରରେ ଅର୍ପଣ କରାଯାଏ। ବିବାହିତା ମହିଳାମାନେ ଅଁଳା ଗଛରେ ନାଲି ସୁତା ବାନ୍ଧି, ଲାଲି ଚୁଡ଼ି, ନାଲି ସିନ୍ଦୁର ପୂଜା କରି ସ୍ୱାମୀଙ୍କ ଲମ୍ବା ଜୀବନ କାମନା କରନ୍ତି।

ଅଁଳା ନବମୀକୁ ରାଧା ପାଦ ଦର୍ଶନ ବୋଲି ବି କୁହାଯାଏ। ବର୍ଷର ଏହି ଗୋଟିଏ ଦିନ ପୁରୀର ସାକ୍ଷୀ ଗୋପାଳ ଠାରେ ଭକ୍ତଙ୍କୁ ଶ୍ରୀରାଧାଙ୍କ ପାଦ ଦର୍ଶନର ସୁଯୋଗ ମିଳିଥାଏ। ରାଧା ପାଦ ଦର୍ଶନ ମୋକ୍ଷ ଲାଭର ଦ୍ୱାର ବୋଲି ଓଡ଼ିଆ ପରମ୍ପରାରେ ବିଶ୍ୱାସ ରହିଛି। ଏହା ଶ୍ରୀରାଧାଙ୍କର “ଓଡ଼ିଆଣୀ” ବେଶ ଭାବେ ବି ପରିଚିତ।

ପଞ୍ଚୁକ

କାର୍ତ୍ତିକ ମାସର ଶେଷ ୫ ଦିନକୁ “ପଞ୍ଚୁକ” କୁହାଯାଏ। ମାସ ସାରା ହବିଷ ପାଳି ନଥିବା ଭକ୍ତ ପଞ୍ଚୁକ ୫ ଦିନ ହବିଷ ନୀତି ପାଳିଥା’ନ୍ତି। ଏହି ୫ ଦିନ ଶ୍ରଦ୍ଧାଳୁମାନେ ଚଉଁରା ଆଗରେ ପଞ୍ଚ ମୁରୁଜ (୫ଟି ରଙ୍ଗର ମୁରୁଜ)ରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଚିତ୍ର ଆଙ୍କିଥା’ନ୍ତି।

ପଞ୍ଚୁକ ୫ ଦିନ ଶ୍ରୀକ୍ଷେତ୍ର ପୁରୀରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମୁଖ୍ୟତଃ ସାରା ଓଡ଼ିଶାରୁ ବିଧବାମାନେ ପଞ୍ଚୁକ ୫ ଦିନ ଶ୍ରୀକ୍ଷେତ୍ରରେ ରହି ପଞ୍ଚୁକ ପର୍ବ ପାଳନ୍ତି। ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଗି ଏହି ସମୟରେ ବହୁତ ଗହଳି ହୁଏ।

କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ

କାର୍ତ୍ତିକ ମାସର ଶେଷ ହେଲା କାର୍ତ୍ତିକ ପୂର୍ଣ୍ଣିମା। ହବିଷ ପାଳୁଥିବା ହବିଷ୍ୟାଳିମାନେ ଏହି ଦିନ ବୋଇତ ଭସାଣ କରିଥା’ନ୍ତି।

ବୋଇତ ବନ୍ଦାଣ ପର୍ବ ଆମ ଓଡ଼ିଶାର ଏକ ଐତିହାସିକ ଓ ପାରମ୍ପରିକ ପର୍ବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋରରୁ ଗାଧୋଇ ସମସ୍ତେ ବୋଇତ ଭସାଇବା ପାଇଁ ପାଖରେ ଥିବା ନଦୀ-ପୋଖରୀକୁ ଯାଇଥା’ନ୍ତି।। କଦଳୀ ବାହୁଙ୍ଗା, କାଗଜ ତଥା ସୋଲୋ ତିଆରି ଡଙ୍ଗା ତିଆରି କରି ସେଥିରେ ପାନ ପତ୍ର, ଗୁଆ, ପଇସା ରଖି ଦୀପ ଜଳାଇ ପାଣିରେ ଡଙ୍ଗା ଭସାଇ ପରମ୍ପରାର ପାଳନ କରାଯାଏ। ଡଙ୍ଗା ଭସାଇବା ବେଳେ “ଆ..କା…ମା… ବୋଇ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର….” ବୋଲି ବଡ଼ ପାଟିରେ ଗୀତ ଗାଇ ଡଙ୍ଗା ଭସା ନୀତି ସମ୍ପନ୍ନ କରିଥା’ନ୍ତି। ଏହି ଦିନଠାରୁ କଟକର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୁଏ ଓଡ଼ିଶାର ଐତିହ୍ୟ ବାଲିଯାତ୍ରା। ୭ ଦିନ ଧରି ବାଲିଯାତ୍ରା ପର୍ବ ଚାଲେ।

Comment