ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ଭାଷାଭାଷୀ ଲୋକମାନଙ୍କର ଏକ ବଡ଼ ପର୍ବ ହେଉଛି ଛଟ୍ ପୂଜା। ପ୍ରତିବର୍ଷ ଦେଶ ବିଦେଶରେ ରହୁଥିବା ହିନ୍ଦୀ ଭାଷାଭାଷୀ ଲୋକ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥାନ୍ତି। ଚଳିତ ବର୍ଷ ଷ୍ଟିଲ୍‌ ସିଟି ରାଉରକେଲାରେ ବେଶ୍‌ ଉତ୍ସାହ ସହକାରେ ଏହି ପର୍ବ ପାଳିତ ହୋଇଛି। ଇସ୍ପାତ ନଗରୀ ରାଉରକେଲାର ଛେଣ୍ଡ୍‌ କଲୋନୀ, ବାସନ୍ତୀ କଲୋନୀ, କୋଏଲ ନଗର, ଗୋପବନ୍ଧୁପାଲି, ବନ୍ଧମଣ୍ଡା, ଉଦିତନଗର ଆଦି ସ୍ଥାନରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକେ କୋଏଲ ନଦୀ ଓ ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇ ଏହି ପର୍ବ ପାଳିଛନ୍ତି।

ପୂର୍ବରୁ ଏହି ପ୍ରାଚୀନ ହିନ୍ଦୁ ପର୍ବକୁ ବିଶେଷ ଭାବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ନେପାଳରେ ପାଳନ କରାଯାଉଥିଲା। ଏବେ ଓଡ଼ିଶାରେ ଏହି ପର୍ବର ଲୋକପ୍ରିୟତା ବଢ଼ୁଛି।

ଛଟ୍‌ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ। ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି।

ଛଟ୍ ପୂଜା ଚାରି ଦିନ ବ୍ୟାପୀ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ପ୍ରଥମ ଦିନକୁ ନହା ଖାଇ, ଦ୍ୱିତୀୟ ଦିନକୁ ଖରନା ବୋଲି କୁହାଯାଏ। ସେହିପରି ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରାଯାଏ। ଚତୁର୍ଥ ଦିନ ବଡ଼ି ଭୋରରୁ ନଦୀକୁ ଯାଇ ସୂର୍ଯ୍ୟ ଉଦୟ ହେଉଥିବା ବେଳେ ପାଣି ମଧ୍ୟରେ ରହି ଅର୍ଘ୍ୟ ଅର୍ପଣ କରାଯାଇ ବ୍ରତ ଭଙ୍ଗାଯାଇଥାଏ।

ଛଟ୍ ପୂଜା ସମୟରେ ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ କରିଥାନ୍ତି। ଏଥି ସହିତ ନଦୀ କୂଳରେ ପାଣି ଭିତରେ ଦୀର୍ଘ ସମୟ ଧରି ଛିଡ଼ା ହେବା ସହ ସୂର୍ଯ୍ୟ ଦେବତାଙ୍କୁ ପ୍ରସାଦ ଅର୍ପଣ କରିଥାନ୍ତି। ସୂର୍ଯ୍ୟ ଅସ୍ତ ଏବଂ ଉଦୟ ହେବା ବେଳେ ହିଁ ଏହି ପୂଜା କରାଯାଇଥାଏ। ଛଟ୍ ପୂଜା କରିବାକୁ କେତେକ ଲୋକେ ଭୋଗ ପସରା ଧରି ଶୋଭାଯାତ୍ରାରେ ନଦୀ କୂଳକୁ ଆସିଥାନ୍ତି। ଛଟ୍ ପର୍ବରେ ସାଧାରଣତଃ ଅଧିକରୁ ଅଧିକ ମହିଳା ଭକ୍ତ ସାମିଲ ହୋଇଥାନ୍ତି। ଏବେ ପୁରୁଷମାନେ ମଧ୍ୟ ଏହାକୁ ପାଳନ କରୁଛନ୍ତି।

ଛଟ୍ ପୂଜା ଥରେ ଜଣେ ଭକ୍ତ ଆରମ୍ଭ କରିବା ପରେ ଏହାକୁ ପ୍ରତିବର୍ଷ ପରପୀଢିର ପାଳନ କରିଥାନ୍ତି। ଛଟ୍ ପାଳନ ଅବସରରେ ଘରେ ଘରେ ଖିରି, ଲଡୁ, ଫଳ, ଲେମ୍ବୁ ଓ କଦଳୀ ଭୋଗ ଲାଗି ହୋଇଥାଏ। ଛଟ ପୂଜା ବେଳେ ଅଟା ଓ ଗୁଡ଼ରେ ଏକ ସ୍ୱତନ୍ତ୍ର ପ୍ରସାଦ ପ୍ରସ୍ତୁତ ହୋଇଥାଏ। ଏହାକୁ ଠେକୁଆ ବୋଲି କୁହାଯାଏ। ସକାଳ ଅର୍ଘ ଦିନ ବ୍ରତଧାରୀମାନେ ଏହି ଠେକୁଆକୁ ଭୋଗ ଲଗାଇଥାନ୍ତି।

କୁହାଯାଏ ବିହାରର ଜଣେ ରାଜା ଥିଲେ ପ୍ରିୟବନ୍ତ। ସେ ନିଃସନ୍ତାନ ଥିଲେ। ସେଥିପାଇଁ ରାଜା ଓ ରାଣୀ ଅତ୍ୟନ୍ତ ଦୁଃଖରେ ଦିନ କାଟୁଥିଲେ। ଦିନେ ଋଷି ବଶିଷ୍ଠଙ୍କୁ ଦେଖା କଲେ। ଏହି ଦୁଃଖରୁ ବାହାରିବାକୁ ଉପାୟ ମାଗିଲେ। ସବୁ କଥା ଶୁଣିବା ପରେ ଋଷି ବଶିଷ୍ଠ ସେମାନଙ୍କୁ ସୂର୍ଯ୍ୟ ଦେବ ଓ ତାଙ୍କ ଭଉଣୀ ଛଟି ମାତାଙ୍କୂ ପୂଜା କରିବାକୁ ପରାମର୍ଶ ଦେଲେ। ଏହାପରେ ରାଜା ପ୍ରିୟବନ୍ତ ଓ ତାଙ୍କ ପତ୍ନୀ କାର୍ତ୍ତିକ ମାସ ଚତୁର୍ଥୀ ଦିଦଠାରୁ ୪ ଦିନ ପର୍ଯ୍ୟନ୍ତ ଏହି ପୂଜା ରଖିଲେ। ଏହାପରେ ତାଙ୍କୁ ଏକ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା। ସେବେଠାରୁ  ବିହାରୀ ସମ୍ପ୍ରଦାୟର ଲୋକେ ବେଶ ନିଷ୍ଠାରେ ଏହି ପର୍ବ ପାଳନ୍ତି।

LEAVE A REPLY

Please enter your comment!
Please enter your name here