କପିଳାସ ଭୂୟାଁ

ଗାନ୍ଧୀବାଦୀ ନେତା ତଥା ସ୍ଵାଧୀନତା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ (୧୯୫୦-୧୯୫୬) ବିକୃତ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିରୋଧର ସ୍ଵର କ୍ରମେ ତେଜିବା ଆରମ୍ଭ କରିଛି। ଗତ ଏପ୍ରିଲ ୧ ତାରିଖ ଦିନ ଓଡ଼ିଶା ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଗୁଳ କୋର୍ଟ  ସାମ୍ନା ଗୋପବନ୍ଧୁ ପାର୍କରେ ଗାନ୍ଧୀବାଦୀ ନେତା ନବକୃଷ୍ଣଙ୍କ ଫାଇବରକାଷ୍ଟିଂରେ ନିର୍ମିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଥିଲା। ଗାନ୍ଧୀଜୀଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଓ ସାବରମତୀ ଆଶ୍ରମକୁ ଯାଇ ଅରଟରେ ସୂତାକଟା ଶିଖିବା ସହ ନବକୃଷ୍ଣ ଚୌଧୁରୀ ସାରା ଜୀବନ ଖଦଡ ଧୋତି ସହ ଗଞ୍ଜି ପରି ଦିଶୁଥିବା ହାତକଟା କାବା ବା କମିଜ ଓ ବେଳେ ବେଳେ ପଞ୍ଜାବୀ ପିନ୍ଧୁଥିଲେ। ପାଦରେ ସାଧାରଣ ଜୋତା ବ୍ୟବହାର କରୁଥିଲେ। କିନ୍ତୁ ଅନୁଗୁଳ ପୌର ପାଳିକା ପକ୍ଷରୁ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତି ସାହେବୀ ଢଙ୍ଗରେ କୋର୍ଟ ପ୍ୟାଣ୍ଟ ସାଙ୍ଗକୁ ବୁଟ ପିନ୍ଧିଥିବା କଥାଟା ଏହି ବିରୋଧ ସୃଷ୍ଟି କରିଛି। ଏହାକୁ ଏକ ଅକ୍ଷମଣୀୟ ଭୁଲ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏ ସମ୍ପର୍କରେ ପ୍ରଥମେ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ସ୍ଵର ଉତ୍ତୋଳନ କରିବା ପରେ ତାହା ସାରା ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଓ କଥାଟା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଭାବ ପକାଇଛି। ଯଦିଓ ଏହା ମଧ୍ୟରେ ଅନୁଗୁଳ ପୌର ପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଲିଖିତ ଭାବରେ ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି, ସେଥିରେ କିନ୍ତୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ (ଓଡ଼ିଶା) ଶାନ୍ତ ନହୋଇ ପ୍ରଣମ୍ୟ ପୁରୁଷ ନବକୃଷ୍ଣଙ୍କ ବିକୃତ ମୂର୍ତ୍ତି ସ୍ଥାପନ ବିରୁଦ୍ଧରେ ଏପ୍ରିଲ ୪ ତାରିଖ ସନ୍ଧ୍ୟାରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ସତ୍ୟାଗ୍ରହ ଆନ୍ଦୋଳନ କରିଛି। ଏହି ଘଟଣା କେବଳ ନବକୃଷ୍ଣ ଚୌଧୁରୀ ନୁହନ୍ତି, ରାଜ୍ୟରେ ପ୍ରତିଷ୍ଠା କରା ଯାଉଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସମ୍ପର୍କରେ ନିରପେକ୍ଷ ଆଲୋଚନା କରିବା ପାଇଁ ସୁଯୋଗ ସୃଷ୍ଟି କରିଛି।

ପରିତାପର ବିଷୟ ଯେ ରାଜ୍ୟରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ। ତେଣୁ ବିଭିନ୍ନ ସ୍ଥାନର ସରକାରୀ ଅଧିକାରୀମାନେ ମନମୁଖୀ ଭାବେ ପ୍ରତିମୂର୍ତ୍ତିଗୁଡିକ ତିଆରି କରନ୍ତି। ପ୍ରଥମ କଥା ହେଲା ପ୍ରତିମୂର୍ତ୍ତିଗୁଡିକ ତିଆରି କରିବା ପାଇଁ ସ୍ଥାନୀୟ ଶିଳ୍ପୀମାନଙ୍କୁ ସୁଯୋଗ ଦିଆଯିବା କଥା, ଯାହା କରାଯାଉ ନାହିଁ। ମିଳିଥିବା ଖବର ଅନୁଯାୟୀ ଟେଣ୍ଡର ଦ୍ଵାରା ବୁଦ୍ଧଦେବ ବାହାଦୁର ନାମକ ତାଳଚେରର ଜଣେ ବ୍ୟକ୍ତିଙ୍କୁ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ତିଆରି କରିବାକୁ ଦାୟିତ୍ଵ ଦିଆଯାଇଥିଲା ଓ ସେ ନାଗପୁରର କାରିଗରମାନଙ୍କ ଦ୍ଵାରା ଏହି ଫାଇବର ପ୍ରତିମୂର୍ତ୍ତି  ତିଆରି କରାଇଥିଲେ। ତେଣୁ ମନକୁ ସ୍ୱତଃ ପ୍ରଶ୍ନ ଆସେ ଯେ କାହିଁକି ସ୍ଥାନୀୟ ଓଡିଆ ଶିଳ୍ପୀମାନଙ୍କୁ ଏହି ସୁଯୋଗ ଦିଆଗଲା ନାହିଁ?

ଦ୍ଵିତୀୟରେ, ପ୍ରତିମୂର୍ତ୍ତି ତିଆରି କରିବା ପୂର୍ବରୁ ପ୍ରଥମେ ସମ୍ପୃକ୍ତ ବରପୁତ୍ରଙ୍କର ଗୋଟିଏ ମାକେଟ ବା ମାଟି ଛାଞ୍ଚ ତିଆରି କରାଯାଏ। ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତିରୂପ ପରି ଦିଶୁଛି କି ନାହିଁ, ତାହା ସ୍ଥିର କରିବା ପାଇଁ ତାଙ୍କର ପରିବାର ସଦସ୍ୟ ବା ତାଙ୍କ ସହ ଭଲ ରୂପେ ମିଳାମିଶା କରିଥିବା ଲୋକଙ୍କ ସାହାଯ୍ୟ ନିଆଯାଏ। କାରଣ କେବଳ ମାଟି ଛାଞ୍ଚ ତିଆରି ସମୟରରେ ହିଁ ପ୍ରତିରୂପର ଯେ କୌଣସି ପରିବର୍ତ୍ତନ ବା ସଂଶୋଧନ କରାଯାଇ ପାରିବ। ଥରେ କାଷ୍ଟିଂ ହୋଇଗଲାପରେ ଆଉ କୌଣସି ସଂଶୋଧନ କରିବା ସମ୍ଭବ ନୁହେଁ। ସେହି ଦୃଷ୍ଟିରୁ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ଆଦୌ କୌଣସି ପରାମର୍ଶ ନିଶ୍ଚୟ ନିଆଯାଇ ନାହିଁ। ଏହା କ୍ରିଷ୍ଣା ମହାନ୍ତିଙ୍କ ଅଭିଯୋଗରୁ ସ୍ପଷ୍ଟ।

ସରକାରୀ ଅଧିକାରୀଙ୍କଠାରୁ ପ୍ରତିମୂର୍ତ୍ତି ତିଆରି କରୁଥିବା ଶିଳ୍ପୀ ପର୍ଯ୍ୟନ୍ତ ସମସ୍ତେ ଦାୟିତ୍ଵହୀନ ଭାବେ କାମ କରୁଥିବାରୁ ଓଡ଼ିଶାର ବରପୁତ୍ରମାନେ ବିଭିନ୍ନ ମୁଖ୍ୟ ଛକ ଓ ପାର୍କ ଆଦିରେ ବିକୃତ ରୂପରେ ଶୋଭା ପାଉଛନ୍ତି। ଏବେ ଖବରରୁ ଜଣା ପଡିଛି ଯେ କେବଳ ନବକୃଷ୍ଣ ନୁହନ୍ତି, ଅନୁଗୁଳରେ ସ୍ଥାପିତ ହୋଇଥିବା ମାଳତୀ ଦେବୀ, ପବିତ୍ର ମୋହନ ପ୍ରଧାନ, ଦିବାକର ପ୍ରଧାନ, ବ୍ରଜ ସୁନ୍ଦର ଦାସ, ବିଚ୍ଛନ୍ଦ ଚରଣ ପ୍ରଧାନ, ହୃଷୀକେଶ ତ୍ରିପାଠୀ, ହୃଷୀକେଶ ପ୍ରଧାନ, କୃତ୍ତିବାସ ରଥ, ଗୌତମ ପ୍ରଧାନ ଓ ରଘୁନାଥ ନନ୍ଦ ଆଦି ସମସ୍ତ ମନୀଷୀମାନଙ୍କର ପ୍ରତିଷ୍ଠା ହୋଇଥିବା ପ୍ରତିମୂର୍ତ୍ତି ଠିକ ରୂପେ ତିଆରି କରାଯାଇ ନାହିଁ।

ସାରା ରାଜ୍ୟରେ ଏବେ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ରାଜ୍ୟ ସ୍ତରୀୟ ସଂଗ୍ରହାଳୟଠାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନ୍ୟାନ୍ୟ ସ୍ଥାନ ଓ ରାସ୍ତାଘାଟରେ ବହୁଳ ଭାବେ ଫାଇବରରେ ତିଆରି ପ୍ରତିମୂର୍ତ୍ତି ତିଆରି କରି ପ୍ରଦର୍ଶିତ କରାଯାଉଛି। ପ୍ରଥମତଃ, ଏହା ପରିବେଶ ପାଇଁ ଉପଯୁକ୍ତ ହୋଇ ନଥିଲା ବେଳେ ସେଗୁଡିକୁ ତିଆରି କରିବା ପାଇଁ ସ୍ଥାନୀୟ ଶିଳ୍ପୀମାନଙ୍କ ଅପେକ୍ଷା ବାହାରର କଣ୍ଟ୍ରାକ୍ଟରମାନଙ୍କୁ କାମ କରିବାକୁ ସୁଯୋଗ ଦିଆଯାଉଛି। ରାଜ୍ୟରେ ଏବେ ଏକାଧିକ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ସହ ଗୋଟିଏ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ପ୍ରତି ବର୍ଷ କଳା ଶିକ୍ଷା କରି ବାହାରୁଥିବା ପିଲାମାନଙ୍କୁ ରାସ୍ତାଘାଟରେ ଦି’ ଚାରି ବର୍ଷରେ ଥରେ ଦିନ ମଜୁରିଆର ପାରିଶ୍ରମିକ ଦେଇ କାନ୍ଥ ଚିତ୍ର ପ୍ରସ୍ତୁତିରେ ସୀମିତ ରଖା ଯାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କାମ ରାଜ୍ୟ ବାହାରର କଣ୍ଟ୍ରାକ୍ଟରମାନଙ୍କୁ ଦେଇ ଦିଆଯାଉଛି।

ଏପ୍ରିଲ ୧ ରେ  ଭାଷା ଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶର ପରିଚୟ ହାସଲ କରିଥିବା ଆମ ରାଜ୍ୟ ଉତ୍କଳ ଦିବସ ପାଳନ କରି ଆସୁଛି। ‘ବନ୍ଦେ ଉତ୍କଳ ଜନନୀ’କୁ ଓଡ଼ିଶାର ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରିବା ପର୍ବ ଆମ ସମସ୍ତଙ୍କ ପ୍ରାଣକୁ ଜାତୀୟତାବାଦ ଭାବନାରେ ଉଦବେଳିତ କରୁଥିବା ବେଳେ ବାହାର ରାଜ୍ୟର ଶିଳ୍ପୀ କଳାକାରଙ୍କୁ କାହିଁକି ଅଗ୍ରାଧିକାର ଭିତ୍ତିରେ ଆମ ରାଜ୍ୟ ସରକାରୀ ଅଧିକାରୀମାନେ କାର୍ଯ୍ୟ କରିବାର ସୁଯୋଗ ଦେଉଛନ୍ତି ସେହି ଧାରାକୁ ଏବେ ପ୍ରଶ୍ନ କରିବା ପ୍ରକୃଷ୍ଟ ସମୟ ନୁହେଁ କି?

ସେହିଭଳି ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ବିକୃତ ପ୍ରତିମୂର୍ତ୍ତି ବିରୋଧରେ ସ୍ଵର ଉତ୍ତୋଳନ କରିବା ଆମ ସମସ୍ତଙ୍କ ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଏକ ସମୟୋଚିତ ପଦକ୍ଷେପ ନିଶ୍ଚୟ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #NabakrushnaChudhury #Odisha #OdishaGovernment #FormerChiefMinister

LEAVE A REPLY

Please enter your comment!
Please enter your name here