ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ହେବ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ଶନିବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ସାମିଲ ରହିଛି। ୫-ଟି ଉପକ୍ରମରେ ଏହି ସବୁ ପ୍ରକଳ୍ପ ନିର୍ମାଣ ହେବ।

“ଏହି ସବୁ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଦ୍ୱାରା ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ। ବିଶେଷ କରି ପିଇବା ପାଣି ଯୋଗାଣ କ୍ଷେତ୍ରରେ ଏହା ସୁବିଧା ପ୍ରଦାନ କରିବ। ଏହାସହିତ ମାଛ ଚାଷ, ପଶୁପାଳନ ଆଦିରେ ମଧ୍ୟ ସହାୟକ ହେବ। ଏହି ପ୍ରକଳ୍ପ ସବୁ ଭୂତଳ ଜଳସ୍ତର ବୃଦ୍ଧି କରି ପରିବେଶକୁ ସନ୍ତୁଳିତ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମର ସବୁ ଯୋଜନା ଲୋକମତ ଓ ଜନ ସହଭାଗିତା ଭିତ୍ତିରେ କରାଯାଉଛି। ଏହିସବୁ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଦ୍ୱାରା କୌଣସି ଲୋକ ବିସ୍ଥାପିତ ହେବେ ନାହିଁ। ପ୍ରକଳ୍ପଗୁଡ଼ିକର ନିର୍ମାଣ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଗୁରୁତ୍ୱ ଦିଆଯାଇଛି।”

୨୦୨୦ ମସିହାରେ ଓଡ଼ିଶାରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଭାବେ ଏଥିପାଇଁ ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହା ଅନ୍ତର୍ଗତ ରାଜ୍ୟରେ ୩ଟି ପର୍ଯ୍ୟାୟରେ ୭୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ଜଳ ସମ୍ପଦ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ।

Tags: #InterRiverWatershedProjects #WaterSupply #CMNaveenPatnaik #WaterResourcesDept #Odisha

LEAVE A REPLY

Please enter your comment!
Please enter your name here