ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ସାରି ଭାରତ ଫେରିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ କ୍ଵାଡ ଶିଖର ସମ୍ମିଳନୀ, ଜାତିସଂଘର ସାଧାରଣ ସଭାରେ ଯୋଗ ଦେବା ସହ ବହୁ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ଵିପାକ୍ଷୀକ ବୈଠକ କରିଛନ୍ତି। ଏହି ଅବସରରେ ଜାତିସଂଘରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଜାତିସଂଘର ସାଧାରଣ ସଭାରେ ହୋଇଥିବା ‘ସମିଟ ଅଫ ଫ୍ୟୁଚର’ରେ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦର (ୟୁଏନଏସସି) ନାମ ନ ନେଇ ବିଶ୍ୱସ୍ତରୀୟ ସଂସ୍ଥାଗୁଡିକରେ ସଂଶୋଧନର ଆବଶ୍ୟକତା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।
“ମାନବବାଦର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ ବରଂ ସାମୂହିକ ଶକ୍ତିରେ ନିହିତ ରହିଛି। ଆମର ଦୃଷ୍ଟିକୋଣ ସର୍ବପ୍ରଥମେ ମାନବ କେନ୍ଦ୍ରିତ ହେବା ଉଚିତ। ସାମୁହିକ ବିକାଶକୁ ପ୍ରାଥମିକତା ଦେଇ ଆମକୁ ମାନବ କଲ୍ୟାଣ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ପଡ଼ିବ। ଆମେ ଭାରତରେ ୨୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠାଇଛୁ। ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ ହେଲେ ଆମ ଉଦ୍ଦେଶ୍ୟ ସଫଳ ହେବ। ବିଶ୍ୱ ଶାନ୍ତି ଏବଂ ବିକାଶ ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାରେ ସଂଶୋଧନ ଓ ପରିବର୍ତ୍ତନ ନିହାତି ଜରୁରୀ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଶ୍ୱବାସୀଙ୍କୁ କହିଥିଲେ, “ଗୋଟିଏ ପଟେ ଆତଙ୍କବାଦୀ ଅନ୍ୟପଟେ ସାଇବର କ୍ରାଇମ, ସାମୁଦ୍ରିକ ସୁରକ୍ଷା ଏବଂ ସ୍ପେସ ପରି ଅନେକ ଚ୍ୟାଲେଞ୍ଜ ଆମ ସମ୍ମୁଖରେ ରହିଛି। ଏହି ସମସ୍ୟାର ମୁକାବିଲା କରିବା ପାଇ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।”
ଅନ୍ୟପଟେ କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଏହି ଗ୍ରୁପର ମିଳିତ କାର୍ଯ୍ୟ କରିବା ନେଇ ଗୁରୁତ୍ୱାରୋପ କରିଥିଲେ। ସେପଟେ ବାଇଡେନ ମଧ୍ୟ ଏହି ସମ୍ମିଳନୀରେ କ୍ୱାଡ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସଂଗଠନକୁ ଆହୁରି ଦୃଢ଼ କରିବା ବିଷୟରେ ମତବ୍ୟକ୍ତ କରିଥିଲେ। ବୈଠକରେ ସ୍ଵାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ଵ ଦିଆଯାଇଥିଲା।
ପ୍ରବାସୀ ଭାରତୀୟଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ଵାଗତ
ଆମେରିକା ଗସ୍ତ ଅବସରରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ଵାଗତ କରିଥିଲେ। ଏନେଇ ନ୍ୟୁୟର୍କରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ମୋଦି ନମସ୍ତେରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।
ସେ କହିଥିଲେ, “ଏବେ ‘ନମସ୍ତେ’ ଲୋକାଲରୁ ଗ୍ଲୋବାଲ ହୋଇଗଲାଣି। ମୁଁ ଯେତେଥର ଆମେରିକା ଆସିଛି, ପ୍ରବାସୀ ଭାରତୀୟମାନଙ୍କ ଅପାର ସ୍ନେହ ପାଇଛି। ଆପଣମାନେ ଭାରତୀୟ ସଂସ୍କୃତିକୁ ବିଦେଶରେ ପ୍ରସାର କରିବାରେ ମୁଖ୍ୟ ଭୂମିକା ବହନ କରୁଛନ୍ତି। ଆପଣମାନେ ଭାରତର ସବୁଠୁ ବଡ଼ ବ୍ରାଣ୍ଡ ଆମ୍ବାସେଡର।”
ନ୍ୟୁୟର୍କ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସୋସାଇଟିର ସଦସ୍ୟଙ୍କୁ ଭେଟିଥିଲେ। ପାରମ୍ପରିକ ନାଚଗୀତରେ ପ୍ରବାସୀ ଓଡ଼ିଆମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ‘ଏଆଇ’ର ଅର୍ଥକୁ ନିଜସ୍ଵ ଢଙ୍ଗରେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, “ମୋ ପାଇଁ ‘ଏଆଇ’ର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍। ଆମେରିକା ଓ ଇଣ୍ଡିଆ ବିଶ୍ଵର ନୂଆ ଏଆଇ ଶକ୍ତି।”
ଶିଖ ସମୁଦାୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ରହୁଥିବା ଶିଖ ସମୁଦାୟଙ୍କୁ ଭେଟିଥିଲେ। ଏହି ଅବସରରେ ଶିଖ ସଂପ୍ରଦାୟର ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରବେଶ କରିବା କ୍ଷଣି ପାରମ୍ପରିକ ଶୈଳୀରେ ସେମାନେ ତାଙ୍କର ସ୍ୱାଗତ କରିଥିଲେ।
ଶିଖ ଅଫ ଆମେରିକା ସଂଗଠନର ସଭାପତି ଜଗଦୀପ ସିଂହ ଜସ୍ସି କହିଥିଲେ, “ଭାରତ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ଶିଖ ସଂପ୍ରଦାୟ ପ୍ରତି ଏତିକି କରି ନ ଥିଲେ ଯେତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। କରତାର ସାହବ କରିଡର ଉଦଘାଟନ, ଧୁମଧାମରେ ଗୁରୁ ନାନକଙ୍କ ଜୟନ୍ତୀ ପାଳନ, ୧୯୮୪ରେ ଶିଖ ଦଙ୍ଗାରେ ପୀଡିତଙ୍କୁ ନ୍ୟାୟ ଦେବା ଆଦି ଘଟଣା ସାମିଲ ରହିଛି।”
ମୂଲ୍ୟବାନ କଳାକୃତି ଫେରାଇଲା ଆମେରିକା
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଆମେରିକାକୁ ଭାରତରୁ ଚୋରା ଚାଲାଣ ହୋଇଥିବା ୨୯୭ଟି ପ୍ରାଚୀନ କଳାକୃତିକୁ ଭାରତକୁ ହସ୍ତାନ୍ତର କରିଥିଲେ ଆମେରିକା ସରକାର। ୨୦୧୪ ମସିହାରୁ ଏବେ ସୁଦ୍ଧା ଭାରତକୁ ଫେରିଛି ୭୪୦ଟି ମୂଲ୍ୟବାନ ଜିନିଷ। ଏଥିମଧ୍ୟରୁ ଆମେରିକାରୁ ଫେରିଥିବା ସାମଗ୍ରୀର ସଂଖ୍ୟା ୫୭୮ ରହିଛି।
Tags: #PrimeMinisterNarendraModi #USAVisit #QuadSummit #BilateralMeeting #India-USRelations