ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ଡିଜିଟାଲ୍ ପ୍ଲାଟଫର୍ମ ତଥା ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ। ଏହା ଦ୍ଵାରା ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ତଥା ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁଗୁଲ୍ ଇଣ୍ଡିଆ ମଧ୍ୟରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ବ୍ୟବହାର ହେଉଥିବା ଓଡ଼ିଆ ଭାଷାକୁ କିପରି ସଠିକ୍ ଏବଂ ନିର୍ଭୁଲ ଭାବେ ଉପସ୍ଥାପିତ କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ଲୋକମାନେ ଓଡ଼ିଆ ଭାଷାରେ ଯେପରି ସହଜ ଭାବେ ସବୁ ତଥ୍ୟ ପାଇପାରିବେ ଏବଂ ନିଜର ଅଭିବ୍ୟକ୍ତିକୁ ସରଳ ଭାବେ ପରିପ୍ରକାଶ କରିପାରିବେ ସେ ବିଷୟରେ ଚର୍ଚ୍ଚା ହୋଇଥିଲା।

ଏହାସହ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିବା ତଥ୍ୟର ସଠିକ୍ ଓଡ଼ିଆ ଅନୁବାଦ, ଓଡ଼ିଆ ଲିପିର ଷ୍ଟାଣ୍ଡାର୍ଡ଼ାଇଜେସନ୍, ସାମାଜିକ ଗଣମାଧ୍ୟମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ଏବଂ ଡିଜିଟାଲ୍‌ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଯେପରି ସବୁ ତଥ୍ୟ ଉପଲବ୍ଧ ହୋଇପାରିବ ସେନେଇ ଉପଯୁକ୍ତ ପଦକ୍ଷେପ ନେବା ଲାଗି ମଧ୍ୟ ଆଲୋଚନା କରାଯାଇଥିଲା।

“ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବା ବିଶ୍ୱର କୋଣଅନୁକୋଣରେ ବାସ କରୁଥିବା ସବୁ ଓଡ଼ିଆ ଲୋକଙ୍କୁ ଯୋଡ଼ି ରଖିବା ସହ ଅଭିବ୍ୟକ୍ତିର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ପ୍ରଦାନ କରିପାରିବ। ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ଉପଲବ୍ଧ ହୋଇପାରିଲେ ଏହା ସାଧାରଣ ଲୋକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ବର୍ଗ ଏବଂ ଗବେଷକମାନଙ୍କ ପାଇଁ ବହୁ ସୁବିଧା ଯୋଗାଇଦେବ”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲରେ ଯେପରି ଓଡ଼ିଆ ଭାଷାରେ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ଯୁଗ୍ମ ସଚିବ ଦେବପ୍ରସାଦ ଦାଶ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଷ୍ମୀନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଫଣୀନ୍ଦ୍ର ନନ୍ଦ, ପ୍ରେମାନଦ ମହାପାତ୍ର ଏବଂ ଗୁଗୁଲ ଇଣ୍ଡିଆ ତରଫରୁ ହର୍ଷ ଧନ୍ଦ ଏବଂ ଅମ୍ରିତା କାମାତ୍ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

Tags: #OdiaLanguage #DigitalPlatform #Internet #GoogleIndia

LEAVE A REPLY

Please enter your comment!
Please enter your name here