ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ନଭେମ୍ବରରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ହକିପ୍ରେମୀଙ୍କ ନଜର ଏବେ ଲଣ୍ଡନ ମହିଳା ହକି ବିଶ୍ୱକପ୍ ଉପରେ ରହିଛି। ମହିଳା ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣ ଲଣ୍ଡନରେ ଆୟୋଜିତ ହେଉଛି। ଆଉ ଭାରତୀୟ ମହିଳା ଦଳ ମଧ୍ୟ ଏହି ସୋ ପିସ୍ ଇଭେଣ୍ଟରେ ଭାଗ ନେଉଛି। ଚାରି ବର୍ଷ ପରେ ପୁଣି ଭାରତ ବିଶ୍ୱକପ୍ ମହିଳା ହକିକୁ ପ୍ରତ୍ୟାବର୍ତ୍ତନ କରିଛି।

ଭାରତୀୟ ମହିଳା ହକି ଦଳ ୨୦୧୪ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରି ପାରି ନଥିଲା। ହେଲେ ୨୦୧୭ରେ ଜାପାନରେ ଅନୁଷ୍ଠିତ ଏସିଆ କପ୍ ହକିରେ ଚାମ୍ପିଅନ ଦଳ ଭାବେ ଉଭା ହୋଇଥିଲା ଭାରତ।

ଅଧିନାୟକ ରାଣୀ ରାମପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଦଳ ଲଣ୍ଡନ ବିଶ୍ୱକପ୍ ପାଇଁ ପୂରା ପ୍ରସ୍ତୁତ। ପୁଲ୍ ବି ରେ ସ୍ଥାନ ପାଇଥିବା ଭାରତ ନିଜର ପ୍ରଥମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଖେଳିବ। ମାତ୍ର ସପ୍ତମ ଥର ପାଇଁ ମହିଳା ବିଶ୍ୱକପରେ ଖେଳିବ ଭାରତ।

ଭାରତ ଓ ଇଂଲଣ୍ଡ ସମେତ ପୁଲ୍ ବି ରେ ସ୍ଥାନ ପାଇଥିବା ଅନ୍ୟ ଦଳ ହେଲେ ଆମେରିକା ଓ ଆୟାର୍ଲାଣ୍ଡ। ଇଂଲଣ୍ଡ ଓ ଆମେରିକା ଭାରତଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ। ପୁଲ୍‌ରେ ଏହି ଦୁଇ ଦଳ ସହ ମୁକାବିଲା ଭାରତ ପାଇଁ ବଡ଼ ଚାଲେଞ୍ଜ ହେବ। ଆୟାର୍ଲାଣ୍ଡ ମଧ୍ୟ ଭାରତକୁ କଡା ଟକ୍କର ଦେଇପାରେ।  ଏଥରର ବିଶ୍ୱକପରେ ମୋଟ ୧୬ଟି ଦଳ ଭାଗ  ନେଉଛନ୍ତି । ସବୁ ଦଳକୁ ଚାରିଟି ପୁଲ୍‌ରେ ବିଭକ୍ତ କରଯାଇଛି। ପ୍ରତିଗ୍ରୁପ୍‌ର ବିଜୟୀ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ।

ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଦଳମାନଙ୍କ ମଧ୍ୟରେ ବାକି ଚାରିଟି କ୍ୱାର୍ଟର ଫାଇନାଲ୍ ସ୍ଥାନ ପାଇଁ ମୁକାବିଲା ହେବ। ଏଭଳି ସ୍ଥିତିରେ ଯଦି ଭାରତୀୟ ଦଳ କ୍ୱାର୍ଟର ଫାଇନାଲ୍‌କୁ ଯାଏ, ତାହଲେ ଏହା ବଡ଼ ସଫଳତା ବୋଲି ଧରାଯିବ।

ଲଣ୍ଡନ ବିଶ୍ୱକପ୍ ପାଇଁ ଘୋଷିତ ୧୮ ଜଣିଆ ଦଳରେ କେବଳ ଅଧିନାୟକ ରାଣୀ ରାମପାଲ୍ ଓ ଦାପିକାଙ୍କର ହିଁ  ପୂର୍ବରୁ ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ରହିଛି। ବାକି ୧୬ ଜଣ ଖେଳାଳି ପ୍ରଥମ ଥର ପାଇଁ ବିଶ୍ୱକପରେ ଖେଳିବେ। ଦଳରେ ଚାରି ଓଡ଼ିଆ ମଧ୍ୟ ରହିଛନ୍ତି । ସେମାନେ ହେଲେ ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ୍  ଓ ନମିତା ଟପ୍ପୋ। ଓଡ଼ିଶାର ହକିପ୍ରେମୀଙ୍କ ନଜର ଏହି ଚାରି ଖେଳାଳିଙ୍କ ଉପରେ ବି ରହିବ।

ବିଶ୍ୱକପ୍ ହକିରେ ଭାରତୀୟ ମହିଳା ହକି ଟିମ୍‌ର ସମ୍ଭାବନା ନେଇ କ୍ରୀଡ଼ାବିତ୍‌ମାନେ ସେତେ ସକାରାତ୍ମକ ନୁହନ୍ତି। କିନ୍ତୁ ଏହା ବି ସତ ଯେ, ଭାରତୀୟ ଦଳକୁ ହେୟ ମନେ କରାଯାଇପାରିବ ନାହିଁ। ନିକଟରେ ଦଳ ବିଭିନ୍ନ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏହି ବର୍ଷ ଦଳ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହକିରେ ଚତୁର୍ଥ ସ୍ଥାନ ହାସଲ କରିଥିଲା।

ନିକଟରେ କୋରିଆରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ରନର୍ସ ଅପ୍ ହୋଇଥିଲା। ଫାଇନାଲ୍‌ରେ ଭାରତ, ଆୟୋଜକ କୋରିଆଠାରୁ ମାତ୍ର ଗୋଟିଏ ଗୋଲ୍‌ରେ ହାରିଥିଲା। ଓଡ଼ିଆ ଖେଳାଳି ସୁନୀତା ଲାକ୍ରା ଏହି ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇଥିଲ। ବିଶ୍ୱକପ୍ ହକି ପୂର୍ବରୁ ପ୍ରସ୍ତୁତି ସ୍ୱରୂପ ଭାରତୀୟ ମହିଳା ଦଳ ସ୍ପେନ ସହ ଏକ ଟେଷ୍ଟ ସିରିଜ୍‌ରେ ଅବତୀର୍ଣ୍ଣ ହୋଇଥିଲ। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୨-୨ରେ ଡ୍ର ରଖିବାରେ ସମର୍ଥ ହୋଇଥିଲା ଭାରତ।

୧୯୭୪ ମସିହାରେ ଫ୍ରାନ୍ସରେ ଆୟୋଜିତ ଉଦ୍‌ଘାଟନୀ ମହିଳା ବିଶ୍ୱକପରେ ଭାରତୀୟ ଦଳ ସେମିଫାଇନାଲ୍‌କୁ ଯାଇ ଚତୁର୍ଥ ସ୍ଥାନ ହାସଲ କରିଥିଲା। ଏହା ଏଯାବତ୍ ଦଳର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। କିନ୍ତୁ ସେତେବେଳେ ବିଭିନ୍ନ କାରଣରୁ ମହିଳା ହକି ଉପେକ୍ଷିତ ଥିଲା। ଏଥର କିନ୍ତୁ ସେ ସମୟ ନାହିଁ। ହକି ଇଣ୍ଡିଆ ମହିଳା ଦଳ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦେଉଛନ୍ତି। ଗତ ତିନି ଚାରି ବର୍ଷ ଧରି ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି।

୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଦଳର ଯୋଗ୍ୟତା ହାସଲ ଭାରତୀୟ ମହିଳା ହକି ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା। ତଥାପି ଦଳ ପାଇଁ ଆଗକୁ ଅନେକ ଆହ୍ୱାନ ରହିଛି।

LEAVE A REPLY

Please enter your comment!
Please enter your name here