କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
କେନ୍ଦ୍ରାପଡ଼ା: ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତି ସୋମବାର ଦିନ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ କରୁଛନ୍ତି ଅଭିଯୋଗ ଶୁଣାଣି। ହେଲେ ଏହି ଅଭିଯୋଗ ଶୁଣାଣି ବେଳେ ଲୋକମାନଙ୍କୁ କିପରି ନ୍ୟାୟ ମିଳୁଛି ତାହା ଆଜି କେନ୍ଦ୍ରାପଡ଼ାରୁ ସ୍ପଷ୍ଟ ହୋଇଛି। ଜଣେ ଅସହାୟ ମହିଳା ପକ୍କା ଘର ପାଇଁ ବାରମ୍ବାର ପ୍ରଶାସନ ପାଖରେ ଦାବି କରୁଥିଲେ ମଧ୍ୟ ସମସ୍ୟା ସମାଧାନ ହେଉନି। ଶେଷରେ ମହିଳା ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା କରିବାକୁ ଚରମବାଣୀ ଶୁଣାଇଛନ୍ତି।
ଆଜି ଥିଲା ସୋମବାର। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଚାଲିଥିଲା ମିଳିତ ଅଭିଯୋଗ ଶୁଣାଣି। ହଠାତ ଜଣେ ମହିଳା ଆଭିଯୋଗକାରୀମାନଙ୍କ ଗହଣରୁ ଛୁଟି ଆସିଥିଲେ ଜିଲାପାଳଙ୍କ ଚଉକି ନିକଟକୁ। ପାଖରେ ଥିଲେ କେନ୍ଦ୍ରାପଡ଼ା ଏସପି, ଜିଲ୍ଲା ଗ୍ରମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ବରିଷ୍ଠ ପଦାଧିକାରୀଗଣ।
ଏହି ମହିଳା ଜଣକ କାନ୍ଦି କାନ୍ଦି ଚିତ୍କାର କରୁଥିଲେ କି ଏହି ଅଭିଯୋଗ ଶୁଣାଣି ବନ୍ଦକର। କାହିଁକି ଏମିତି ଅଭିଯୋଗ ଶୁଣାଣି ନାଁରେ ପ୍ରଶାସନ ଫାର୍ସ କରୁଛି? କେତେଦିନ ଆଉ ଏମିତି ଫାର୍ସ ଚାଲିଥିବ? ଗରିବ ଗୁରୁବାଙ୍କୁ ନ୍ୟାୟ ତ ମିଳୁନି। କେତେଥର ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଦୌଡ଼ିଲେ ତାଙ୍କୁ ପ୍ରଶାସନ ନ୍ୟାୟ ଦେବ ବୋଲି ପ୍ରଶ୍ନ କରିଥିଲେ ମହିଳା ଜଣକ।
“ମତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାନଗଲେ ମୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଷ ପିଇ ଆତ୍ମହତ୍ୟା କରିବି”, ଅଭିଯୋଗ ଶୁଣାଣି ବେଳେ କାନ୍ଦି କାନ୍ଦି ଏହା କହିଥିଲେ ମହିଳା ଜଣକ।
ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ସହରର ୪ ନମ୍ବର ୱାର୍ଡ ଚକଡା ଗାଁର ଭାରତୀ ଲେଙ୍କା। ଭାରତୀ ଜଣେ ଅସହାୟା ମହିଳା। ୧୨ ବର୍ଷ ହେଲା ତାଙ୍କ ସ୍ୱାମୀ କୁଳମଣି ଲେଙ୍କା ତାଙ୍କୁ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି। ଦୁଇ ଦୁଇଟି ଝିଅ ପୁଅଙ୍କୁ ପରଘରେ ବାସନ ମାଜି, ମୁଲ ଲାଗି ପାଠ ପଢ଼ାଉଛନ୍ତି ଭାରତୀ।
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ଘର କହିଲେ ତାଙ୍କର ଭଙ୍ଗା ଆଜବେଷ୍ଟସ ଘର। କବାଟ ଝରକା ମଧ୍ୟ ଭାଙ୍ଗି ଗଲାଣି। କଣା ଆଜବେଷ୍ଟସରୁ ବର୍ଷା ହେଲେ ପାଣି ଗଳୁଛି। ଭଙ୍ଗା ଆଜବେଷ୍ଟସକୁ ବଦଳାଇବାକୁ ଜୁ ନାହିଁ ତାଙ୍କର। ପରଘରେ କାମ ନକଲେ ଉପାସ ରହିବାକୁ ପଡ଼େ। ଏତେ ସବୁ ଦୁର୍ଦ୍ଦିନ ମଧ୍ୟରେ ରହୁଥିଲେ ମଧ୍ୟ ତାଙ୍କ ପାଇଁ ପକ୍କା ଘର ସାତ ସପନ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଖଣ୍ଡେ ପକ୍କା ଘର ନିଶ୍ଚୟ ମିଳିବ ବୋଲି ଭାରତୀଙ୍କ ମନରେ ଆଶାର ସଞ୍ଚାର ହେଲା। ହେଲେ ସରକାରୀବାବୁମାନେ ଯେଉଁ ତାଲିକା ପ୍ରସ୍ତୁତ କଲେ ସେଥିରେ ତାଙ୍କ ନାଁ ନଥିଲା।
ମନ ଦୁଃଖରେ ଭାରତୀ ନିଜର ଦୁଃଖ ଜଣାଇବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ। ୨୦୧୭ ମସିହାରେ ଜିଲ୍ଲାପାଳଙ୍କ ପାଖରେ ସେ ଏହି ଅଭିଯୋଗ ନେଇ ଆସିଥିଲେ। ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ତାଙ୍କ ଅଭିଯୋଗ କେବଳ ଶୁଣନ୍ତି ଆଉ କେନ୍ଦ୍ରାପଡ଼ା ପୌରସଂସ୍ଥାକୁ ନିର୍ଦ୍ଦେଶ ବି ଦିଅନ୍ତି। ହେଲେ ଫଳ ଶୂନ।
ପୌର ସଂସ୍ଥାର କହିବାକଥାକି ଭାରତୀ ଯେଉଁ ଜାଗାରେ ରହୁଛନ୍ତି ତାହା ତାଙ୍କ ସ୍ୱାମୀଙ୍କ ନାମରେ ରହିଛି। ତେଣୁ ଭାରତୀଙ୍କୁ ସ୍ୱାମୀଙ୍କ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ହେଉନାହିଁ। ଭାରତୀ ଦୀର୍ଘ ଦିନ ପୌରସଂସ୍ଥାକୁ ଦୌଡି ବିଫଳ ହେବା ପରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣି ଯାଇ ତାଙ୍କର ଚରମ ନିଷ୍ପତ୍ତି ଶୁଣାଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏମିତି ଏକ ଇନ୍ଦିରା ଆବାସ ଘର ପାଇଁ ଅଭିଯୋଗ କରିବାକୁ ଆସି ବିଫଳ ହେବା ପରେ ଗତ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କଳପଡ଼ା ପଞ୍ଚାୟତର ନିରଞ୍ଜନ ସିଂହ ନାମକ ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିଲେ। ଏହା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଶେଷରେ ପ୍ରଶାସନ ମୃତ ନିରଞ୍ଜନଙ୍କ ସମସ୍ୟାରେ ତଦନ୍ତ କରି ତାଙ୍କ ବିଧବା ପତ୍ନିଙ୍କୁ ତାଙ୍କର ଯାହା ପ୍ରାପ୍ୟ ପ୍ରଦାନ କରିଥିଲେ।
ଯଦି ପ୍ରଶାସନ ନିରଞ୍ଜନଙ୍କ ଅଭିଯୋଗ ଠିକ ଭାବେ ବିଚାରକରି ତାହାର ସମାଧାନ କରିଥାନ୍ତା ତାହେଲେ ନିରଞ୍ଜନ ଆତ୍ମହତ୍ୟା କରିନଥାନ୍ତେ। ନିରଞ୍ଜନଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ଭାରତୀଙ୍କ କ୍ଷେତ୍ରରେ ନଘଟୁ ବୋଲି ବହୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ତୁରନ୍ତ ପ୍ରଶାସନ ଭାରତୀଙ୍କର ଏହି ସମସ୍ୟା ସମାଧାନ କରିବାକୁ ନ୍ୟାୟିକ ବିଚାର ଯୋଗାଇ ଦେଇ କେନ୍ଦ୍ରାପଡା ଜିଲାକୁ ଆଉ ଏକ ଅପବାଦମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି।