ସୌମ୍ୟ ରଞ୍ଜନ ବିହାରା
ଓଡ଼ିଆ ଜାତିର ପ୍ରାଣ ‘ପଖାଳ’। ବର୍ଷ ତମାମ୍ ଘରେ ଘରେ ପଖାଳ ଖାଆନ୍ତି ଲୋକେ। ଶ୍ରୀମନ୍ଦିରରେ ବି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହୁଏ। ତେବେ କେବଳ ଓଡ଼ିଶା ନୁହେଁ – ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମରେ ମଧ୍ୟ ପଖାଳ ଏକ ଲୋକପ୍ରିୟ ଖାଦ୍ୟ। ପଶ୍ଚିମବଙ୍ଗରେ ଏହାକୁ ‘ପାନ୍ଥଭାତ’, ଛତିଶଗଡ଼ରେ ‘ବୋଇଭାତ’, ବିହାର ଓ ଝାଡ଼ଖଣ୍ଡରେ ‘ପାନିଭାତ’, ଆସାମରେ ‘ପୋଇତାଭାତ’ କୁହାଯାଏ।
ଧୂଧୂ ଖରାବେଳ। ମୁଣ୍ଡରୁ ଝାଳ ବାହାରୁଥିବ। ଘରେ ପହଞ୍ଚିବାବେଳକୁ ବଢ଼ା ହୋଇଥିବ ଓଡ଼ିଆଙ୍କ ଅତି ଆଦରର ପଖାଳ। ପଖାଳ କଂସା ସାଙ୍ଗକୁ ଥିବ ଶାଗଭଜା, ବଡ଼ିଚୂରା, ଆଳୁ ଚକଟା, ଉଲି ପିଆଜ ଓ କଞ୍ଚାଲଙ୍କା। ଏସବୁକୁ ଦେଖିଦେଲେ ଖରାକଷ୍ଟ କୁଆଡ଼େ ଉଭାନ ହୋଇଯାଉଥିବ। ଏ ଅନୁଭବ ପ୍ରାୟ ପ୍ରତ୍ୟେକ ଓଡ଼ିଆଙ୍କର ଥିବ।
ଓଡ଼ିଆଙ୍କ ସହ ପଖାଳର ସମ୍ପର୍କ ଅତି ଆପଣାର। ଯୁଗ ଯୁଗରୁ ଓଡ଼ିଆମାନେ ପଖାଳ ଖାଇଆସୁଛନ୍ତି। ତେବେ ବାସିପଖାଳର ବାସ୍ନା ଅନନ୍ୟ। ଏ ବାସ୍ନା ନାକରେ ବାଜିଲେ ମନ ହୋଇଉଠେ ବେଶ୍ ଆଚ୍ଛନ୍ନ। ଗରିବ ହେଉ କି ଧନୀ, ପଖାଳ ପ୍ରତି ଦୁର୍ବଳତା ରହିଛି ପ୍ରତ୍ୟେକ ଓଡ଼ିଆଙ୍କର। ତେବେ ଖରାଦିନେ ଘରେ ଘରେ ମହକେ ବାସି ପଖାଳ।
ଆଜି ବିଶ୍ୱ ପଖାଳ ଦିବସ
ମାର୍ଚ୍ଚ ୨୦ ତାରିଖ ହେଉଛି ବିଶ୍ୱ ପଖାଳ ଦିବସ। ଏହିଦିନ ସାରା ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆମାନେ ପଖାଳ ଦିବସ ପାଳନ କରୁଛନ୍ତି। ଅନେକେ ପଖାଳ ଖାଇବାର ସୁଯୋଗ ମଧ୍ୟ ପାଇପାରୁ ନାହାନ୍ତି। ବିଶେଷକରି ଓଡ଼ିଶା ବାହାରେ ଖୁବ୍ କମ୍ ହୋଟେଲ୍ରେ ପଖାଳ ମିଳେ। ତେଣୁ ଅନେକ ଓଡ଼ିଆ ପଖାଳ ଖାଇପାରୁ ନାହାନ୍ତି। ତେବେ ଓଡ଼ିଶା ବାହାରେ ଅନ୍ୟ ରାଜ୍ୟରେ କିମ୍ବା ବିଦେଶରେ ରହୁଥିବା ଅଧିକାଂଶ ଓଡ଼ିଆ ଘରେ ପଖାଳ ଖାଉଛନ୍ତି।
ମାର୍ଚ୍ଚ ୨୦ କାହିଁକି?
ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ମାର୍ଚ୍ଚ ୨୦କୁ କାହିଁକି ପଖାଳ ଦିବସ ଭାବେ ପାଳନ କରାଯାଉଛି? ଏହାର କାରଣ, ବର୍ଷର ଦୁଇଦିନ ଅର୍ଥାତ୍ ମାର୍ଚ୍ଚ ୨୦ କିମ୍ବା ୨୧ ଏବଂ ସେପ୍ଟେମ୍ବର ୨୨ କିମ୍ବା ୨୩ ତାରିଖ ଦିନ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂମଧ୍ୟ ରେଖାରେ ପଡ଼ିଥାଏ। ଏହି ଦୁଇ ଦିନରେ ସାରା ବିଶ୍ୱରେ ଦିନ ଓ ରାତିର ଅବଧି ପ୍ରାୟତଃ ସମାନ ଥାଏ। ତେବେ ମାର୍ଚ୍ଚ ମାସ ଖରାଦିନ ହୋଇଥିବାରୁ ୨୦ ତାରିଖକୁ ପଖାଳ ଦିବସ ପାଇଁ ସ୍ଥିର କରାଯାଇଛି।
ଓଡ଼ିଆମାନେ ବର୍ଷତମାମ୍ ପଖାଳ ଖାଉଥିଲେ ମଧ୍ୟ ବିଶ୍ୱବ୍ୟାପି ଏହାର ପ୍ରସାର କରିବା ଉଦ୍ଦେଶ୍ୟରେ ପଖାଳ ଦିବସ ପାଳନ କରାଯାଉଛି। ୨୦୧୧ରୁ କିଛି ଓଡ଼ିଆ ଲୋକ ଓ ସ୍ୱେଚ୍ଛାସେବୀ ସଂଗଠନ ପଖାଳ ଦିବସ ପାଳନ ପାଇଁ ସଚେତନତା ଆରମ୍ଭ କରନ୍ତି। ପରେ ଏହାକୁ ଅନେକେ ସମର୍ଥନ କରନ୍ତି। ୨୦୧୫ରେ ଏହା ଟ୍ୱିଟରରେ ଖୁବ୍ ଟ୍ରେଣ୍ଡ୍ କରିଥିଲା।
ପରବର୍ତ୍ତୀ ସମୟରେ ଏହା ଅଘୋଷିତ ବିଶ୍ୱ ପଖାଳ ଦିବସ ଭାବେ ମାନ୍ୟତା ପାଇଛି । ସେ ଯାହାହେଉ, ପଖାଳ ଦିବସ ଆଳରେ ଖରାଦିନକୁ ସ୍ୱାଗତ କରିବା ଛଡ଼ା ଆଉ ଭଲ ବାଟ କିଛି ବୋଧେ ନାହିଁ। କାରଣ, ଖରାଦିନ ସମସ୍ତଙ୍କୁ କଷ୍ଟଦିଏ। ତେବେ ଏ କଷ୍ଟକୁ ପଖାଳ ହିଁ କିଛି ମାତ୍ରାରେ କମାଇଥାଏ ନିଶ୍ଚୟ।
ଫ୍ୟୁଜନ୍ ପଖାଳ
ଫ୍ୟୁଜନ୍ ପଖାଳ କହିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କାରଣ, ପଖାଳ ତ ପଖାଳ, ତା’ ପୂର୍ବରୁ ପୁଣି ଫ୍ୟୁଜନ୍ କ’ଣ? ଫ୍ୟୁଜନ୍ ଶବ୍ଦଟି ଏଇଥିପାଇଁ ଏଠାରେ କୁହାଯାଉଛି, କାରଣ ପଖାଳକୁ ଅଧିକ ଆକର୍ଷଣୀୟ କରିବା ଲାଗି ବିଶେଷତଃ ହୋଟେଲ୍ଗୁଡ଼ିକରେ ଏହାକୁ ଫ୍ୟୁଜନ୍ କରାଯାଉଛି।
ପଖାଳରେ ଦହି ପକାଇ ଖାଇଲେ ତାକୁ ଦହି ପଖାଳ କୁହାଯାଏ। ହେଲେ ଅନେକ ହୋଟେଲ୍ରେ ଏବେ ଦହି ସହ କାକୁଡ଼ି, ଗାଜର, କଟା ପିଆଜ, କଞ୍ଚାଲଙ୍କା, ଲେମ୍ବୁ, ଧନିଆ ପତ୍ର, ପୁଦିନା ପତ୍ର, ଆମ୍ବ ଅଦା ପକାଇ ଲୋକଙ୍କୁ ପରଷା ଯାଉଛି।
ଏହାର ମୁଖ୍ୟ କାରଣ ପଖାଳର ସ୍ୱାଦକୁ ବଢ଼ାଇବା ପାଇଁ ନୁହେଁ, ବରଂ ପଖାଳ ଅଧିକ ଆକର୍ଷଣୀୟ ଦେଖାଯିବାକୁ। ତେଣୁ ଏହାକୁ ଫ୍ୟୁଜନ୍ ପଖାଳ କହିଲେ କିଛି ଭୁଲ୍ ହେବନି। ତେବେ ପଖାଳ ବି ବିଭିନ୍ନ ପ୍ରକାରର ରହିଛି। ଯେମିତି ବାସି ପଖାଳ, ସଜ ପଖାଳ, ଦହି ପଖାଳ, ବଘରା ପଖାଳ ଇତ୍ୟାଦି।
ବିଶ୍ୱର ସବୁଠୁଁ ଶସ୍ତା ଖାଦ୍ୟ, ହେଲେ ତୃପ୍ତି କୋଟିଏ ଟଙ୍କାର…
କଥାରେ ଅଛି ବାସି ପଖାଳକୁ କିଛି ଦରକାର ନାହିଁ। ଖାଲି ଲଙ୍କା, ଲୁଣ ଲଗାଇ ଜଣେ ଆନନ୍ଦରେ ଏହାକୁ ଖାଇ କୋଟିଏ ଟଙ୍କାର ଆତ୍ମତୃପ୍ତି ପାଇପାରିବ। ଓଡ଼ିଶାରେ ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ବର୍ଷର ଅନେକ ସମୟରେ ଲଙ୍କା, ପିଆଜ କି ରସୁଣ ଲଗାଇ ପଖାଳ ଖାଉଛନ୍ତି। କାରଣ, ପଖାଳ ଏମିତି ଏକ ଖାଦ୍ୟ ଯାହା ପାଇଁ କିଛି ଦରକାର ନାହିଁ। ତେଣୁ ଏହାକୁ ବିଶ୍ୱର ସବୁଠୁଁ ଶସ୍ତା ଖାଦ୍ୟ କହିଲେ ଭୁଲ ହେବନି।
ପୋଡ଼ା, ଛେଚା, ଭଜା, ବେସର
ପଖାଳ ସାଙ୍ଗକୁ ଆଳୁ ପୋଡ଼ା, ବାଇଗଣ ପୋଡ଼ା, ଟମାଟୁ ପୋଡ଼ା, ଜହ୍ନି ପୋଡ଼ା, ଭେଣ୍ଡି ପୋଡ଼ା, ପୋଟଳ ପୋଡ଼ା ଆଦି ବେଶ୍ ଜମେ। ନିଜ ମନ ପସନ୍ଦର ପରିବା ପୋଡ଼ିବା ପରେ ସେଥିରେ ରସୁଣ କି ପିଆଜ, କଞ୍ଚାଲଙ୍କା, ଲୁଣ, ସୋରିଷ ତେଲ ପକାଇ ଖାଇବାରେ ଖୁବ୍ ମଜା ମିଳେ।
ସେହିପରି ଆଳୁ ଭଜା, ଶାଗ ଭଜା, ନିମ୍ବ କଢ଼ ଭଜା, କଖାରୁ ଫୁଲ ଭଜା, ଛତୁ ଭଜା ମଧ୍ୟ ଘରେଘରେ ଲୋକପ୍ରିୟ। ଏହାସହ ମସଲା ଦିଆ ଗୋଟା ଭେଣ୍ଡି ଭଜା, ଗୋଟା କଲରା ଭଜା, ଗୋଟା ପୋଟଳ ଭଜାର ସ୍ୱାଦ ବି କିଛି କମ୍ ନୁହେଁ। ଆମିଷ ଭିତରେ ମାଛ କି ଶୁଖୁଆ ଭଜା ମଧ୍ୟ ଅନେକଙ୍କ ଘରେ ପରଷା ଯାଏ।
ଏହାସହ କେହି କେହି ମାଛ ଛେଚା, ଆମ୍ବ ଛେଚା, ବଡ଼ି ଛେଚା ଆଦି ଖାଇବାକୁ ପସନ୍ଦ କରନ୍ତି। ଆଉ କିଛି ଘରେ ଚୂନାମାଛ ବେସର, ଚିଙ୍ଗୁଡ଼ି ବେସର, ଛତୁ ବେସର, ସଜନା ଛୁଇଁ-ଆଳୁ ବେସର ମଧ୍ୟ ବନାଯାଏ।
ମନେ ପଡ଼ୁଛି ପଖାଳ-ଗୁପ୍ଚୁପ୍
ଖରାଦିନ। ସମୟ ପାଖାପାଖି ଅଢ଼େଇଟା। ରିପୋର୍ଟିଂ ସାରି ଫେରିଥାଏ। ଭାରି ଭୋକ। ଭୁବନେଶ୍ୱର ଭଡ଼ାଘରେ ଥାଏ କେବଳ ବାସି ପଖାଳ। ପରିବା ବି କିଛି ନଥାଏ। ପରିବା ଡାଲାରେ ଖାଲି ଆଳୁ ଗଡୁଥାଏ। ଆଳୁ କାଟି ଭଜା ଭାଜିବାକୁ ଗଲାବେଳକୁ ଦେଖେ ଗ୍ୟାସ୍ ସରିଯାଇଛି । ଏପଟେ ଭୋକରେ କେଁକଟର ଡାକୁଛି ପେଟ । କ’ଣ କରିବି ମୁଣ୍ଡରେ କିଛି ପଶୁନଥାଏ।
ଶେଷରେ କିଛି ଗୋଟେ ଆଣିବାକୁ ପାଖ ଛକକୁ ଯାଏ। ହୋଟେଲ୍ ଖାଦ୍ୟ ପ୍ରତି ଏତେ ବିତୃଷ୍ଣା ହୋଇଯାଇଥାଏ ଯେ ହୋଟେଲ୍କୁ ଦେଖିଲେ ଭୋକ ଆପେଆପେ ମରିଯାଏ। ଦେଖିଲି ଛକ ମୁଣ୍ଡ ବଉଳ ଗଛତଳେ ଗୁପ୍ଚୁପ୍ବାଲାଟିଏ ସାଇକେଲ୍ ଧରି ଠିଆହୋଇଛି। ସେଠିକି ଗଲି। ପନ୍ଦର ଟଙ୍କାରେ ଗୁପ୍ଚୁପ୍ ଆଣିଲି। ତାକୁ କହିଦେଇଥିଲି- ମସଲା ଟିକେ ରାଗ କରିବାକୁ । ସେ ବି ଜମେଇକି ରାଗ କଲା। ଲଙ୍କାଗୁଣ୍ଡ ସହ କଞ୍ଚାଲଙ୍କା ପକାଇ ମସଲାକୁ ଆଉ ଥରେ ଚକଟିଲା।
ତାପରେ ଜରିରେ ପୂରାଇଲା। ତାକୁ ରୁମ୍କୁ ଆଣି ସିଧା ପଖାଳ କଂସାଏ ଧରି ବସିପଡ଼ିଲି। ପଖାଳରେ ସେ ଖଟାପାଣିରୁ କିଛି ପକେଇଦେଲି। ଆଉ ତା’ପରେ….. । ଓଃ କି ଆତ୍ମତୃପ୍ତି।
“ପରେ ଅନେକଥର ମୁଁ ଗୁପ୍ଚୁପ୍ ଲଗାଇ ପଖାଳ ଖାଇଛି। ଖାଲି ଗୁପ୍ଚୁପ୍ ନୁହେଁ, ପଖାଳ ସହ ଦହିବରା-ଆଳୁଦମ୍ ନହେଲେ ଚନାଚୂର (ମିକ୍ସର)-ପିଆଜ, ବରା କିମ୍ବା ଆଳୁଚପ୍ରେ ଲଙ୍କା ରସୁଣ ଚକଟି ମଧ୍ୟ ପଖାଳର ମଜା ଉଠାଇଛି।”
ଫେସ୍ବୁକ୍, ଟ୍ୱିଟରରେ ଟ୍ରେଣ୍ଡ
ପଖାଳ ଦିବସ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଫେସ୍ବୁକ୍ ଓ ଟ୍ୱିଟର୍ରେ ଟ୍ରେଣ୍ଡ। ପଖାଳକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ନିଜର ମତ ରଖୁଛନ୍ତି। ଫଟୋ ପୋଷ୍ଟ କରୁଛନ୍ତି, ଦି ଧାଡ଼ି ଲେଖୁଛନ୍ତି ବି। ଏହା ନିଶ୍ଚିତଭାବେ ଭଲ କଥା ।
(ଲେଖକ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ଆକାଡେମିକ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।)