ଓଡ଼ିଶାଲାଇଭ୍ ବ୍ୟୁରୋ

  • ମେଟଲ ମିଟ୍‌ର ଗ୍ରାଣ୍ଡଫିନାଲେ
  • ସିନିଅର ବର୍ଗରେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ, ଏମ୍‌ସ ଭୁବନେଶ୍ୱର ତୃତୀୟ
  • ଜୁନିଅର ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ୍‌ ୮ ଦ୍ୱିତୀୟ
  • ତୃତୀୟ ସ୍ଥାନ ହାସଲ କଲା ଡିଏଭି ପବ୍ଲିକ୍ ସ୍କୁଲ, ସିଡିଏ କଟକ
  • କୁଇଜ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କୁଇଜ୍‌ ମାଷ୍ଟର ଅଜୟ ପୁନିଆ

କୁଇଜ୍ ପ୍ରତିଯୋଗିତାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ଆୟୋଜନ କରାଯାଇଥିବା ମେଟଲ୍‌ ମିଟ୍‌-୨୦୧୯ ରବିବାର ଶେଷ ହୋଇଛି। ଚଳିତ ମେଟଲ୍‌ ମିଟ୍‌ରେ ସିନିଅର ବର୍ଗରେ ଆଇଜିଆଇଟି ସରାଙ୍ଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୁନିଅର ବର୍ଗରେ ମଦର୍ସ ପବ୍ଲିକ ସ୍କୁଲ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିଛି।

ଏହାସହ ସିନିଅର ବର୍ଗରେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଏମ୍‌ସ-ଭୁବନେଶ୍ୱର। ସେହିପରି ଜୁନିଅର ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲ- ୟୁନିଟ୍‌ ୮ ଦ୍ୱିତୀୟ ଏବଂ ଡିଏଭି ପବ୍ଲିକ୍ ସ୍କୁଲ-ସିଡିଏ କଟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଭୟ ସିନିଅର ଏବଂ ଜୁନିଅର ବର୍ଗର ଶ୍ରେଷ୍ଠ ତିନୋଟି ଟିମ୍‌କୁ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୧ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍‌କୁ ଟ୍ରଫି ସହ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ସହ ୨୫ ହଜାର ଟଙ୍କା ଦିଆଯାଇଥିଲା।

ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା, ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ଟିମ୍‌ର ସିଏମ୍‌ଡି ନିଶିକାନ୍ତ ମିଶ୍ର ଉପସ୍ଥିତ ରହି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ପୁରସ୍କୃତ କରିଥିଲେ।

ଉଭୟ ସିନିଅର ଏବଂ ଜୁନିଅର ବର୍ଗର ବିଜୟୀ ଟିମ୍‌କୁ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଅଭିନନ୍ଦନ ଜଣାଇଥିଲେ। ଏହାସହ ଚଳିତ ମେଟଲ୍‌ ମିଟ୍‌ର ସମସ୍ତ ପାର୍ଟନର୍‌ମାନଙ୍କୁ ଧନ୍ୟବାଦ ଦେଇଥିଲେ।

‘‘କୁଇଜ୍ ପ୍ରତିଯୋଗିତା ବିଭିନ୍ନ ସ୍କୁଲ, କଲେଜମାନଙ୍କରେ ଆଗରୁ ହେଉଥିଲା। ହେଲେ ଏହି ପ୍ରତିଯୋଗିତା ଧିରେ ଧିରେ ହଜି ଯାଉଥିଲା। କିନ୍ତୁ ଓଡ଼ିଶାପୋଷ୍ଟ ଏହି କୁଇଜ୍‌ ପରମ୍ପରାକୁ ଉଜ୍ଜୀବୀତ କରି ରଖିଛି। ଏହା ବହୁତ ଭଲ ପଦକ୍ଷେପ’’, କହିଥିଲେ ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା।

ସିନିଅର ବିଭାଗରେ ଜୋରଦାର ଲଢ଼େଇ

ଶନିବାର ଦିନ ସିନିଅର ବର୍ଗର ପ୍ରିଲିମ୍ସ ରାଉଣ୍ଡରେ ହୋଇଥିଲା ଜୋରଦାର ଲଢ଼େଇ। ଏଥିରେ ସାମିଲ ହୋଇଥିଲେ ୪୬ଟି ଟିମ୍‌। ଫାଇନାଲକୁ ଯିବା ପାଇଁ ଏମାନଙ୍କ ଭିତରେ କଡ଼ା ଫାଇଟ୍‌ ହୋଇଥିଲା। ଶେଷରେ ୮ଟି ଟିମ୍‌ ବାଜି ମାରିଥିଲେ। ଏକ୍‌ସଆଇଏମ୍‌ବି, ଏମ୍‌ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ନିଟ୍‌–ରାଉରକେଲା, ନାଇଜର–ଖୋର୍ଦ୍ଧା, କଟକ ଏସ୍‌ସିବି ମେଡିକାଲ, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଆଇଜିଆଇଟି–ସରାଙ୍ଗ ଫାଇନାଲକୁ ଯାଇଥିଲେ।

ରବିବାର ହୋଇଥିଲା ଗ୍ରାଣ୍ଡଫିନାଲେ। ଶ୍ରେଷ୍ଠ ୩ଟି ସ୍ଥାନ ପାଇଁ ଏହି ୮ଟିମ୍ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ପ୍ରଶ୍ନର ସହଜରେ ଉତ୍ତର ଦେଇଥିଲେ ପ୍ରତିଯୋଗୀ।

ଜୁନିଅର ବର୍ଗରେ କଡ଼ା ଟକ୍କର

ଚଳିତ ମେଟଲ୍‌ ମିଟ୍‌ରେ ଜୁନିଅର ବର୍ଗର ପ୍ରିଲିମ୍ସ ରାଉଣ୍ଡରେ ୪୩ଟି ଟିମ୍‌ ଭାଗ ନେଇଥିଲେ। ଏଥିରୁ ୮ଟି ଟିମ୍‌ ଆସିଥିଲେ ଫାଇନାଲକୁ। ଭୁବନେଶ୍ୱରର ସାଇ ଇଣ୍ଟରନାସନାଲ ସ୍କୁଲ, ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ, ଓଡିଏମ୍‌ ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ, ଡିଏଭି ପବ୍ଲିକ ସିଡିଏ, ଡିଏଭି ୟୁନିଟ୍‌-୮, ରାଉରକେଲାର ସେଣ୍ଟ ପଲ୍‌, ମଦର ପବ୍ଲିକ ସ୍କୁଲ ଫାଇନାଲରେ ପ୍ରବେଶ କରିଥିଲେ। ଶ୍ରେଷ୍ଠ ତିନି ସ୍ଥାନ ପାଇଁ ହୋଇଥିଲା ଜୋରଦାର ଟକ୍କର।

ଗ୍ରାଣ୍ଡଫିନାଲେକୁ ଆସିଥିବା ଉଭୟ ସିନିଅର ଏବଂ ଜୁନିଅର ବର୍ଗ ଟିମ୍‌ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରତିଯୋଗୀମାନେ ପୂରା ପ୍ରସ୍ତୁତ ହୋଇ ଆସିଥିଲେ। କୁଇଜ୍‌ ମାଷ୍ଟର ମଧ୍ୟ ପ୍ରତିଯୋଗୀଙ୍କୁ କଠିନ ପ୍ରଶ୍ନରେ ଛନ୍ଦିଥିଲେ। ହେଲେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଚାଲିଥିଲେ ପ୍ରତିଯୋଗୀ।

ଗ୍ରାଣ୍ଡଫିନାଲେରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା। ମେଟଲ ମିଟ୍‌ ଫେସ୍‌ବୁକ୍‌ ପେଜ୍‌ ଏବଂ ଓଡ଼ିଶାପୋଷ୍ଟର ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା।

ଚଳିତ ବର୍ଷ ମେଟଲ୍ ମିଟ୍‌ର ପାର୍ଟନରମାନଙ୍କ ମଧ୍ୟରେ ଥିଲେ ଟିମ୍ ଏବଂ ଏକ୍ସପୋଜ୍ ଆଡଭର୍ଟାଇଜିଂ। ସେହିପରି ରାଜ୍ୟର ଆଗଧାଡ଼ିର ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡିଆ ପାର୍ଟନର୍ ରହିଥିଲା।

ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଥିଲା ମେଟଲ ମିଟ୍। ପ୍ରଥମ ବର୍ଷ ୧୮ଟି ଟିମ୍‌ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମ ବର୍ଷର ସଫଳତା ପରେ ୨୦୧୭ରେ ଆରମ୍ଭ ହୋଇଥିଲା ମେଟଲ ମିଟ୍‌ର ଦ୍ୱିତୀୟ ସଂସ୍କରଣ। ୨୦୧୮ରେ ତୃତୀୟ ସଂସ୍କରଣ ହେବା ପରେ ଏବେ ମେଟଲ୍‌ ମିଟ୍‌ର ଚତୁର୍ଥ ସଂସ୍କରଣ ସଫଳତାର ସହ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here