ଓଡ଼ିଶାଲାଇଭ ବ୍ୟୁରୋ

“ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିପାରିଛି ହିନ୍ଦୀ ଭାଷା। କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟ କୋଣ ଅଣୁକୋଣରେ ମଧ୍ୟ ହିନ୍ଦୀର ଆଦର ରହିଛି। ବିଶେଷତଃ ଅନେକ ଦେଶରେ ହିନ୍ଦୀ ଭାଷା କହିପାରୁନଥିଲେ ମଧ୍ୟ ହିନ୍ଦୀ ଗୀତର ମଜା ନେଉଛନ୍ତି ଅନେକେ। ତେବେ ହିନ୍ଦୀ ଭାଷାରେ ଅଧିକରୁ ଅଧିକ ଶିଶୁ ସାହିତ୍ୟ ରଚନା ହେବାର ଆବଶ୍ୟକତା ରହିଛି। ଏହା ହେଲେ ହିନ୍ଦୀ ଭାଷା ଆହୁରି ଆଗକୁ ଯାଇପାରିବ” ଢେଙ୍କାନାଳ ଆଇଆଇଏମସିରେ ହିନ୍ଦୀ ଦିବସ ଅବସରରେ କହିଛନ୍ତି ଶିକ୍ଷାବିତ ଡକ୍ଟର ଉମାଶଙ୍କର ପାଣ୍ଡେ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ହିନ୍ଦୀ ଦିବସ ପାଳିତ ହୋଇଛି। ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡକ୍ଟର ଉମାଶଙ୍କର ପାଣ୍ଡେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି ସହାୟକ ପ୍ରଫେସର ସମ୍ବିତ ପାଲ କହିଛନ୍ତି, “ବିଶ୍ୱର ଯେକୌଣସି କୋଣକୁ ଗଲେ ମଧ୍ୟ ହିନ୍ଦୀ ଜାଣିଥିବା ଲୋକ ଅଛନ୍ତି। ଏହା ହେଉଛି ହିନ୍ଦୀ ଭାଷାର ସ୍ୱତନ୍ତ୍ରତା”।

ହିନ୍ଦୀ ସପ୍ତାହ ଉପଲକ୍ଷେ ହୋଇଥିବା ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯତୀନ ଗ୍ରୋଭର, ଦ୍ୱିତୀୟ ସ୍ଥାନରେ ପ୍ରାଚୀ ରାଠୀ ଓ ତୃତୀୟ ସ୍ଥାନରେ ରହିଥିବା ଆକାଂକ୍ଷା ସୋନିଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାର ବାବଦକୁ ମାନପତ୍ର ସହ ଯଥାକ୍ରମେ ୪ହଜାର ଟଙ୍କା, ୩ ହଜାର ଟଙ୍କା ଓ ୨ ହଜାର ଟଙ୍କା ଦିଆଯାଇଛି। ଏହାସହ ଦେବଶ୍ରୀ ଦେବସ୍ମିତା ସାହୁ, ନିଳାଦ୍ରୀ ନିବାସିନୀ ଦାସ ଓ ଅମନ ଆୟୁଷ୍ମାନ୍‍ ଦାସଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ଭାବେ ମାନପତ୍ର ଓ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ସେହିପରି ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ପ୍ରୀତମ କଶ୍ୟପ୍‍, ରାକେଶ କୁମାର ଓ ଯତୀନ ଗ୍ରୋଭର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ପୁରସ୍କାର ଭାବେ ମାନପତ୍ର ସହ ୪ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୩ ହଜାର ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାସହ ପ୍ରାଚୀ ରାଠୀ ଏବଂ ସୋନାଲି ଓଝାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ମାନପତ୍ର ଓ ୧ ହଜାର ଟଙ୍କା ଦିଆଯାଇଛି।

ସଂସ୍ଥାନର କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ପତ୍ର ଲିଖନ ଏବଂ ଟିପ୍ପଣି ଲିଖନ ପ୍ରତିଯୋଗିତାରେ ଷ୍ଟେନୋଗ୍ରାଫର ଲକ୍ଷ୍ମୀ ନାରାୟଣ ମିଶ୍ର ପ୍ରଥମ ହୋଇଥିବାବେଳେ ଟେକ୍ନିକାଲ୍‍ କୋର୍ଡିନେଟର ବଦ୍ରିନାଥ ଜେନା ଦ୍ୱିତୀୟ ଏବଂ ମନୋଜ କୁମାର ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସେକ୍ସନ ଅଫିସର ସମ୍ମାନୀତ ଅତିଥି ଡକ୍ଟର ପାଣ୍ଡେଙ୍କୁ ଏକ ଐତିହାସିକ ପୋଷ୍ଟକାର୍ଡ ସେଟ୍‍ ପ୍ରଦାନ କରିଛନ୍ତି। ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର। ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା ହିନ୍ଦୀ ନାଟକ ‘ଭୋଲାରାମ୍‍ କା ଜୀବ’। ହରିଶଙ୍କର ପରସାଇଙ୍କ ରଚନାରେ ମଞ୍ଚସ୍ଥ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଚଳିତ ଶିକ୍ଷାବର୍ଷର ଛାତ୍ର ପ୍ରୀତମ କଶ୍ୟପ୍‍। ବିଭିନ୍ନ ଭୂମିକାରେ ପ୍ରୀତମ୍‍ କଶ୍ୟପ୍‍, ପ୍ରିୟା ଭାରତୀ, ଅନୁରାଧା ମିଶ୍ରା, କୋମଲ ରାନୀ, କିରଣ, ସୋନାଲି ଖଟ୍ଟା, ନାଭ୍ୟା, ରାକେଶ କୁମାର, ସୌମ୍ୟା ସୌରଭ ଦାସ, ଡେଜି ରାନୀ, ଦୀପାଲି, ଆକାଂକ୍ଷା ଟଣ୍ଡନ, ଆକାଂକ୍ଷା ସୋନି, ସୌପ୍ତିକ୍‍, ପୃଥ୍ୱୀରାଜ ରାୟ, ଅମନ ଆୟୁଷ୍ମାନ ଦାସ, ଅନିମେଶ, ଅବିନାଶ, ବିଶ୍ୱଜିତ ସାହୁ ଓ ଅଙ୍କିତ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here