ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ନାରୀ ଏକ ପଣ୍ୟ ବସ୍ତୁ ନୁହେଁ, କି ସହସ୍ର ଟଙ୍କାର ସଂପତ୍ତି ନୁହେଁ, ଯେ ତାକୁ ଯାହାକୁ ଇଚ୍ଛା ତାହାକୁ, ଯେଉଁଠି ଇଚ୍ଛା ସେଇଠି ହସ୍ତାନ୍ତର କରି ଦିଆଯାଇପାରେ।

ଏକବିଂଶ ଶତାବ୍ଦୀର ସବୁଠୁ ଲୋମହର୍ଷକ ବିଷୟ ଥିଲା ଡିସେମ୍ବର ୧୬ – ୨୦୧୨ ରାତିରେ ଘଟିଯାଇଥିବା ଗୋଟିଏ ବିଡମ୍ବିତ ନାରୀ ଭାଗ୍ୟର ଚରମ ବିପର୍ଯ୍ୟୟର କାହାଣୀ । ପାରାମେଡିକାଲ୍ ଛାତ୍ରୀ ନିର୍ଭୟାର ଚଳନ୍ତା ବସ୍‌ରେ ଗଣ ବଳାତ୍କାର ଏବଂ ଅତି ଜଘନ୍ୟ ଭାବରେ ଅମାନୁଷିକ ଅତ୍ୟାଚାର କରି ବସ୍‌ରୁ ଫିଙ୍ଗିଦେବାର କଥା, ଯାହା କେବଳ ସାରା ଦେଶ ନୁହେଁ ସାରା ବିଶ୍ୱକୁ ଥରାଇଦେଇଥିଲା ଏବଂ ସମଗ୍ର ଜନମାନସକୁ ଗଭୀର ଭାବରେ ଆନ୍ଦୋଳିତ କରିଥିଲା ।

ଗୋଟିଏ ନିର୍ଯାତିତା ନାରୀର ବୁକୁଫଟା ଚିତ୍କାର, ରାଜଧାନୀ ଦିଲ୍ଲୀର ଚଳନ୍ତା ବସ୍‌ରୁ ସୁଦୂର ପଲ୍ଲୀର ଧାନ କ୍ଷେତ ଯାଏ ବ୍ୟାପିଯାଇ ସମାଜକୁ ଲଜ୍ଜାନତ କରି ଦେଇଥିଲା । ଆଜି ପର୍ଯ୍ୟନ୍ତ ଯେତେ ନିରୀହ ନାରୀମାନେ ଏମିତି ଦୁଷ୍କର୍ମର ଶିକାର ହୋଇ ସମାଜରେ ଲାଂଛିତା ହୋଇଛନ୍ତି ଯୁଗ ଯୁଗ ଧରି ହୁଏତ ତାଙ୍କର ଅନ୍ତରାତ୍ମା ଗୁମୁରି ଗୁମୁରି ବିଳାପ କରୁଛି ଏବଂ ତାଙ୍କର ଆତ୍ମା ପାଉଁଶ ତଳର ନିଆଁରୁ ଊର୍ଦ୍ଧ୍ୱକୁ ଉଠି ନ୍ୟାୟ ପାଇବା ପାଇ ଏବେ ବି ଆର୍ତ୍ତନାଦ କରୁଛି ।

ନାରୀର ସଂଭ୍ରମତା, ସ୍ୱାଧୀନତା, ଅଧିକାର ତଥା ମଣିଷଭଳି ମଣିଷଟିଏ ହୋଇ ବଂଚିରହିବା ପାଇଁ ତାର ଦାବି ଆଜି ସମଗ୍ର ସମାଜ ବୁକୁରେ ଭୂକମ୍ପନ ସୃଷ୍ଟି କରିଛି ଏବଂ ନାରୀର ମୁକ୍ତି, ତଥା ନାରୀର ମର୍ଯ୍ୟାଦା ପାଇଁ ଅହରହ ଆନ୍ଦୋଳନ କରୁଛି ।

ସମଗ୍ର ସମାଜରେ ଆଜି ଆଲୋଡ଼ନ । ଏକବିଂଶ ଶତାବ୍ଦୀରେ ପାଦ ଦେଇଥିବା ସଭ୍ୟ ସମାଜରେ କାହିଁକି ଏ ପାଶବିକତା? କାହିଁକି ଏ ବର୍ବରତା? ଆଜି ଏହି ’କାହିଁକି’ର ଉତ୍ତର ଖୋଜୁଛନ୍ତି କବି, ସାହିତ୍ୟିକ, ଛାତ୍ର, ଶିକ୍ଷକ, ସମାଜ ବିଜ୍ଞାନୀ ଏବଂ ଉତ୍ତର ଖୋଜୁଛି ସମଗ୍ର ସମାଜ । ସମାଜର ଅନ୍ତଃସ୍ଥଳକୁ ବିଦୀର୍ଣ୍ଣକରି ଅଙ୍କୁରିତ ଅଭୂତପୂର୍ବ ଆଲୋଡ଼ନର ପୃଷ୍ଠଭୂମିରେ ସମଗ୍ର ସମାଜକୁ ଗ୍ରାସ କରିବାକୁ ବସିଥିବା ଅଶ୍ଳୀଳତା, ନଗ୍ନତା ଓ ରୁଚିହୀନତା ସମସ୍ତଙ୍କୁ ବ୍ୟଥିତ କରୁଛି । ଆଧୁନିକତାର ଆବରଣ ତଳେ ଶିଳ୍ପ, ସାହିତ୍ୟ, ସଙ୍ଗୀତ, ନୃତ୍ୟ ସମେତ ମଣିଷର ସମସ୍ତ ସୂକ୍ଷ୍ମ ସୃଜନଶୀଳ କ୍ଷେତ୍ର ପାଇଁ ନାରୀ ଦେହ ପରିଣତ ହୋଇଛି ଏକ ଉପଜୀବ୍ୟରେ । ନାରୀ ଏକ ପଣ୍ୟ ବସ୍ତୁ ନୁହେଁ, କି ସହସ୍ର ଟଙ୍କାର ସଂପତ୍ତି ନୁହେଁ, ଯେ ତାକୁ ଯାହାକୁ ଇଚ୍ଛା ତାହାକୁ, ଯେଉଁଠି ଇଚ୍ଛା ସେଇଠି ହସ୍ତାନ୍ତର କରି ଦିଆଯାଇପାରେ ।

ନିର୍ଭୟାର ମୃତ୍ୟୁ ପରେ ସାରା ପୃଥିବୀ ସ୍ତବ୍ଧ ହୋଇଯାଇଥିଲା । ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ସୁପ୍ରିମକୋର୍ଟର ନ୍ୟାୟମୂର୍ତ୍ତିମାନଙ୍କର ବିଚାରକୁ । ସର୍ବଶେଷରେ ବହୁଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଦେଇଥିବା ମୃତ୍ୟୁଦଣ୍ଡ ଆଦେଶକୁ ଯଥାର୍ଥ ବୋଲି ମାନ୍ୟବର ବିଚାରପତିମାନେ ଦର୍ଶାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ରାୟ ନାରୀସମାଜକୁ ନୂତନ ପ୍ରେରଣା ଦେଇଛି । ସମାଜ ପାଇଁ ଏହା ମଧ୍ୟ ଏକ ଚେତାବନୀ । ସାରା ଦେଶରେ ଆଜି ଯେତେ ନିର୍ଭୟା ଅଛନ୍ତି ସେମାନଙ୍କୁ ଶକ୍ତି ମିଳିଛି। ତେଣୁ ବ୍ୟକ୍ତିଗତ ସ୍ତରରେ, ପରିବାରରେ ତଥା ସାମାଜିକ ସ୍ତରରେ ସମସ୍ତେ ସଚେତନ ହୋଇ ଯତ୍ନଶୀଳ ହେଲେ ନିଶ୍ଚିତ ଭାବରେ ଦୁଷ୍କର୍ମର ହାର କମିଯିବ ଏବଂ ନିର୍ଭୟାମାନେ ନିର୍ଭୟରେ ରହିବେ ।

(ଲେଖିକା ଜଣେ ଜଣାଶୁଣା ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ଏବଂ କବି)

Comment