ଓଡ଼ିଶାଲାଇଭ୍‍ ବ୍ୟୁରୋ

“ଗ୍ଲାମର ଦୁନିଆ ବାହାରକୁ ଯେତେ ସୁନ୍ଦର ଦେଖାଯାଏ, ତା’ ଭିତରେ ଖାପଖୁଆଇ ନିଜକୁ ଠିକ୍‍ ବାଟରେ ରଖି କାମ କରିବା ବହୁତ କଷ୍ଟ”

‘ତୁ ମୋ ଲଭ୍‍ ଷ୍ଟୋରି’ ସିନେମାର ସଫଳତା ପରେ ନବାଗତା ହିରୋ‍ଇନ୍‍ ଭୂମିକା ଦାଶ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ନିଜର ଭବିଷ୍ୟତ ପାଇଁ ବିଶେଷ ଆଶାବାଦୀ ଅଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍‌ ଓ ଡି.କେ.ମୁଭିଜ୍‍ ଦ୍ୱାରା ପ୍ରଯୋଜିତ ଏହି ସିନେମାର କାହାଣୀ, ଗୀତ, ସୁଟିଙ୍ଗ୍‍ ଲୋକେସନ୍‌ସ୍‌ ତଥା କଷ୍ଟୁମ୍ ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଡିଏଭି ସ୍କୁଲ୍‌ର ଦଶମ ଶ୍ରେଣୀରେ ପଢୁଥିବା ଭୂମିକା ଓଡ଼ିଶୀ ନୃତ୍ୟରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି।

“ମୋ ଜୀବନରେ ପରିବର୍ତ୍ତନ ଆସିଛି, ଯାହା ମତେ ବହୁତ ଖୁସି ଦେଉଛି। ଏବେ ବାହାରକୁ ଗଲେ ଲୋକମାନେ ମତେ ହିରୋ‌ଇନ୍‌ ବୋଲି ଚିହ୍ନି ପାରୁଛନ୍ତି”, କହିଛନ୍ତି ଭୂମିକା ଯିଏ ନିଜ ସ୍କୁଲ୍‌ରେ ଅଲ୍‍ ରାଉଣ୍ଡର ଛାତ୍ରୀ ଭାବେ ପରିଚିତ। ଏହି ସିନେମାର ସୁଟିଙ୍ଗ୍‍ ସମୟରେ ଆମକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା ଏବଂ କୋ-ଆର୍ଟିଷ୍ଟମାନଙ୍କ ସହଯୋଗ ଯୋଗୁଁ ସେ ଏଥିରେ ସଫଳତାର ସହ ଅଭିନୟ କରିପାରିଛନ୍ତି ବୋଲି ଓଡ଼ିଶାଲାଇଭ୍‌ ସାଙ୍ଗେ କଥା ହେବା ବେଳେ ସେ କହିଛନ୍ତି।

“ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଗୀତଗୁଡ଼ିକର ସୁଟିଙ୍ଗ୍‍ ହୋ‍ଇଥିଲା। ଦେଓମାଳି ପାହାଡ଼ ଓ କୋରାପୁଟର ଅନ୍ୟାନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ବିିଭିିନ୍ନ ଜାଗାରେ ସୁଟିଙ୍ଗ୍‌ କରିଥିଲୁ। ଏହି ସିନେମା ଦେଖିଲା ପରେ ଲୋକମାନଙ୍କର ଓଡ଼ିଆ ସିନେମା ପ୍ରତି ଥିବା ଧାରଣାରେ ପରିବର୍ତ୍ତନ ଆସିଛି। ବିଶେଷକରି ଯୁବଗୋଷ୍ଠୀକୁ ଏହା ବେଶ୍‍ ପସନ୍ଦ ଆସିଛି”, କହିଛନ୍ତି ବହୁ ପ୍ରତିଭାର ଅଧିକାରିଣୀ ଭୂମିକା।

ଏହି ସିନେମାରେ ସଫଳ ତଥା ଭାବୋଦ୍ଦୀପକ ଅଭିନୟ ପାଇଁ ଓଡ଼ିଶୀ ନୃତ୍ୟ ଶିକ୍ଷା ତାଙ୍କୁ ବହୁତ ସାହାଯ୍ୟ କରିଛି ବୋଲି ସେ କହନ୍ତି।

ଏହି ସିନେମାର ସଫଳତା ପରେ ତାଙ୍କୁ ଅନେକ ଅଫର ଆସିଥିଲେ ମଧ୍ୟ ୨୦୧୮ ମସିହାରେ ତାଙ୍କର ବୋର୍ଡ ପରୀକ୍ଷା ପାଇଁ ଚିନ୍ତା କରିବାକୁ ସମୟ ନେଉଛନ୍ତି। ତେବେ ଭଲ ବ୍ୟାନର ତଥା ଭଲ ବିଷୟବସ୍ତୁର ଅଫର୍‍ ଆସିଲେ ସେ ଦଶହରା ପାଇଁ ଗୋଟିଏ ସିନେମାରେ ଅଭିନୟ କରିବେ ବୋଲି କହିଛନ୍ତି।
ଏତେ କମ୍‍ ବୟସରେ ଗ୍ଲାମର ଦୁନିଆ ଭିତରେ ନିଜକୁ କିପରି ଖାପଖୁଆଇ କାମ କରିବା ସମ୍ଭବ ହେଲା ପଚାରିବାରୁ ସେ କହନ୍ତି, “ଗ୍ଲାମର ଦୁନିଆ ବାହାରକୁ ଯେତେ ସୁନ୍ଦର ଦେଖାଯାଏ, ତା’ ଭିତରେ ଖାପଖୁଆଇ ନିଜକୁ ଠିକ୍‍ ବାଟରେ ରଖି କାମ କରିବା ବହୁତ କଷ୍ଟ।”

ଅଭିନୟରେ ସଫଳତା ହାସଲ କଲା ପରେ ମଧ୍ୟ ଭୂମିକା ନିଜର ଅନ୍ୟ କଳା ପ୍ରତି ଅଣଦେଖା କରିବାକୁ ଚାହାନ୍ତି ନାହିଁ। ତେଣୁ ଭବିଷ୍ୟତରେ ନିଜର କ୍ୟାରିଅର୍‌କୁ ନେଇ ଏବେ କିଛି ସ୍ଥିର କରିନାହାନ୍ତି।

LEAVE A REPLY

Please enter your comment!
Please enter your name here