ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ରବା ରବା ରବା ଦେ ଦେ ମୁଝେ ମ‌ଉଲତ୍‌…’ ଏଥର ରଜରେ ରିଲିଜ୍‍ ହେବାକୁ ଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଓଡ଼ିଆ ସିନେମା ‘ଅଭୟ’ରେ ଜୁନିଅର୍‍ ଇଣ୍ଡିଆନ୍‍ ଆଇଡଲ୍‍ ଅନନ୍ୟା ଶ୍ରୀତମ୍‍ ନନ୍ଦଙ୍କ କଣ୍ଠରେ ଶୁଣିବାକୁ ମିଳିବ ଏହି ହୃଦୟସ୍ପର୍ଶୀ ଗୀତ। ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ୍‍ ସାଗର ଓ ଅନନ୍ୟା ଏଥିରେ କଣ୍ଠଦାନ କରିଛନ୍ତି।

“ଏଇ ଗୀତଟି ମୁଁ ଯେତେବେଳେ ଶୁଣିଲି, ମୋତେ କମ୍ପୋଜିସନ୍‍ ବହୁତ ଭଲ ଲାଗିଲା। କଟକରେ ଆମେ ରେକର୍ଡିଂ କରିଥିଲୁ। ମିକ୍ସିଙ୍ଗ୍‍ ପରେ ଅନୁଭବ ମହାନ୍ତି ଓ ଏଲିନା ମଧ୍ୟ ଏଇ ଗୀତଟି ଶୁଣି ବହୁତ ଭଲ ଲାଗୁଛି ବୋଲି କହିଥିଲେ”, ବୋଲି କହିଛନ୍ତି ଅନନ୍ୟା। ସେ ଗତବର୍ଷ ରଜରେ ରିଲିଜ୍‍ ହୋ‍ଇଥିବା ସୁପର୍‌ହିଟ୍‍ ସିନେମା ‘ଅଗସ୍ତ୍ୟ’ରେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ। ତାଙ୍କର ଗୀତ ‘ଧୀରେ ଧୀରେ ଭଲ ପାଇଗଲି…’ ପାଇଁ ସେ ତରଙ୍ଗ ସିନେ ପୁରସ୍କାର, ଓଡ଼ିଆ ଫିଲ୍ମଫେୟାର୍‌ ଓ ଚଳଚ୍ଚିତ୍ର ସମ୍ମାନ ଲାଭ କରିଥିଲେ। କ୍ରିକେଟ୍‌ର ଏମ୍‌.ଏସ୍‌.ଧୋନିଙ୍କ ଜୀବନୀ ଉପରେ ଆଧାରିତ ସିନେମା ’ଏମ୍‍.ଏସ୍‍.ଧୋନି : ଦ ଅନ୍‌ଟୋଲ୍‍ଡ୍‍ ଷ୍ଟୋରି’ରେ ଅନନ୍ୟା କଣ୍ଠଦାନ କରି ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ।

“ୟୁନିଭର୍ସାଲ୍‍ ମ୍ୟୁଜିକ୍‍ ସହ ହୋ‍ଇଥିବା ମୋର କଣ୍ଟ୍ରାକ୍ଟ ଆସନ୍ତା ଅଗଷ୍ଟ ମାସରେ ସରିଯିବ। ଯଦିଓ ଷ୍ଟେଜ୍‌ସୋ’ କରିବାର ଅନେକ ଅଫର୍‍ ଆସୁଛି, ମୁଁ ପ୍ଲେବ୍ୟାକ୍‍ ସିଙ୍ଗିଙ୍ଗ୍‍ ପାଇଁ ବେଶୀ ଆଗ୍ରହୀ। ତେବେ ଯେଉଁସବୁ ଅଫର୍‍ ମୋ ପାଖକୁ ଆସୁଛି, ପ୍ରଥମେ ମୁଁ ଲିରିକ୍ସ ପ୍ରତି ଧ୍ୟାନ ଦେଉଛି। ବର୍ତ୍ତମାନ ଯାଏ ମୁଁ ଯେତିକି ଓଡ଼ିଆ ସିନେମା ପାଇଁ କଣ୍ଠଦାନ କରିଛି, ସେସବୁର ଲିରିକ୍ସ ବହୁତ ଭଲ ଏବଂ ସଙ୍ଗୀତ ସଂଯୋଜନା ମଧ୍ୟ ମନଛୁଆଁ”, ଓଡ଼ିଶାଲାଇଭ୍‍ ସହ କଥାହେବା ବେଳେ ଅନନ୍ୟା କହିଛନ୍ତି। ଏଥର ରଜରେ ରିଲିଜ୍‍ ହେବାକୁ ଥିବା ସାର୍ଥକ ମୁଭିଜ୍‌ର ସିନେମା ‘ରୋମିଓ ଜୁଲିଏଟ୍‍’ରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। ବର୍ତ୍ତମାନ ସମୟରେ ଯୁବପିଢି ବିଶେଷ ଭାବରେ ୟୁଟ୍ୟୁବ୍‌ରେ ନିଜର କଭର ସଙ୍ଗ୍‍ କରିବାକୁ ଆଗ୍ରହୀ ଥିଲାବେଳେ ବଲିଉଡ୍‍ ପାଇଁ କଣ୍ଠଦାନ କରିବା ଅନନ୍ୟାଙ୍କ ସ୍ୱପ୍ନ।

“ମୋର ସ୍କୁଲ୍‍ ସରିବାକୁ ଆଉ ଦୁଇ ବର୍ଷ ରହିଲା। ଏଇଠି ରହି ମୋତେ ଓଲିଉଡ୍‌‍ରେ ଯେଉଁ ଗୀତସବୁ ଗାଇବାକୁ ସୁଯୋଗ ମିଳୁଛି, ତାହା ମୋତେ ଆହୁରି ମାର୍ଜିତ କରୁଛି। ଏସବୁ ମୋ ପାଇଁ ଅଭିଜ୍ଞତା। ସ୍କୁଲ୍‍ ପାଠ ସରିବା ପରେ ମୁମ୍ବାଇରେ ରହି ବଲିଉଡ୍‌ରେ ପ୍ଲେବ୍ୟାକ୍‍ ସିଙ୍ଗିଙ୍ଗ୍‍ ପାଇଁ ଚେଷ୍ଟା କରିବି”, କହିଛନ୍ତି ଅନନ୍ୟା। ତେବେ ସେ ରୋମାଣ୍ଟିକ୍‍ ନମ୍ବର ହେଉ, ଦୁଃଖ ଗୀତ ଅଥବା ମଜାଳିଆ ଗୀତ ଅନନ୍ୟାଙ୍କ କଣ୍ଠର ପରିପକ୍ୱତା ତଥା ଜାଦୁକରି ସବୁ ଗୀତକୁ କରିଛି ହୃଦୟସ୍ପର୍ଶୀ ତଥା ମନଛୁଆଁ।

Comment