ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିମାନ ଉଡାଣ କ୍ଷେତ୍ରରେ ଓଡ଼ିଶା ଆଉ ପଛରେ ପଡ଼ିରହିବ ନାହିଁ। ଯଦି ସବୁ କିଛି ଠିକ୍ ଚାଲେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଅଧିକ ୪ଟି ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ‘ଉଡାନ'(ଉଡ଼େ ଦେଶକା ଆମ୍‍ ନାଗରିକ) ଯୋଜନା ଅନୁସାରେ ଓଡିଶା ସରକାରଙ୍କ ପକ୍ଷରୁ ଉତ୍କେଲା, ଜୟପୁର, ଝାରସୁଗୁଡ଼ା ଓ ରାଉରକେଲାରୁ ଆଞ୍ଚଳିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।

ନିକଟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏହି ଆଞ୍ଚଳିକ ସେବାର ମୁଖ୍ୟ ସ୍ଥାନ ହେବ। ନିଷ୍ପତ୍ତି ନିଆଯାଇଛି ଯେ ଭୁବନେଶ୍ୱର-ଉତ୍କେଲା, ଉତ୍କେଲା-ରାୟପୁର, ଭୁବନେଶ୍ୱର-ଜୟପୁର, ଭୁବନେଶ୍ୱର-ଝାରସୁଗୁଡ଼ା, ଝାରସୁଗୁଡା-ରାଞ୍ଚି ଏବଂ ଭୁବନେଶ୍ୱର-ରାଉରକେଲାକୁ ଆସନ୍ତା ଚାରି ମାସ ମଧ୍ୟରେ ଆପଣ ବିମାନ ଯାତ୍ରା କରିପାରିବେ।

ଉଡାନ ଯୋଜନାରେ ସାମିଲ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ବିମାନ ସେବା ନଥିବା ଅଥଚ ଗୁରୁତ୍ୱପୂର୍ଣ୍ଣ ସହରକୁ ଏଥିରେ ଅଗ୍ରାଧିକାର ଦିଆଯିବ। କିନ୍ତୁ ଏଥିରେ ଅସୁବିଧା ହେଉଛି ବିମାନ ଭଡ଼ା। ଯାତ୍ରୀମାନଙ୍କ ଉପରେ ଯେପରି ବିମାନ ଭଡାର ଚାପ ନ ପଡ଼େ ସେଥିପାଇଁ କିଏ କେତେ ପରିମାଣର ସବ୍‌ସିଡି ଦେବେ ସେ ନେଇ ଆଲୋଚନା ସରିଛି। ବିମାନ ଚଲାଇବା ପାଇଁ ପ୍ରଥମେ ଏୟାର ଲାଇନ ଆଗକୁ ଆସିବା ଦରକାର। ତେବେ ଯାଇ ବିମାନ ସେବା ସଂପ୍ରସାରଣର ଅର୍ଥ ରହିବ।

ଖବର ଅନୁସାରେ ଏହି ସବୁ ସ୍ଥାନକୁ ବିମାନ ଯାତ୍ରା ପାଇଁ ଅତି କମ୍‌ରେ ଅଢେ଼ଇ ହଜାର ଟଙ୍କା ଟିକେଟର ଦାମ ରଖାଯିବ। ସବ୍‌ସିଡି ବାବଦକୁ କେନ୍ଦ୍ର ଓ ରାଜ୍ୟ ସରକାର ୮୦:୨୦ ଅନୁପାତରେ ଖର୍ଚ୍ଚ କରିବେ।

କେବଳ ଆଞ୍ଚଳିକ ବିମାନ ସଂଯୋଗ ନୁହେଁ ଓଡ଼ିଶାକୁ ଅନ୍ୟ ଦେଶ ସହିତ ଯୋଡ଼ିବା ପାଇଁ ମଧ୍ୟ ନବୀନ ସରକାରଙ୍କ ପକ୍ଷରୁ ଜୋରସୋର୍ ଉଦ୍ୟମ କରାଯାଉଛି। ଓଡ଼ିଶାର ସମୃଦ୍ଧ ବୌଦ୍ଧ ଧର୍ମ ଓ ଏହାର କୀର୍ତ୍ତିଗୁଡିକୁ ବିଦେଶରେ ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ୱର ବିମାନ ବନ୍ଦର ସହିତ ବାରଣାସୀ – କଲୋମ୍ବୋ ସର୍କିଟ୍‌କୁ ଯୋଡ଼ା ଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।ଏହା ହେଲେ ଭାରତର ବୌଦ୍ଧ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ମିଳିବ ଏବଂ ଓଡ଼ିଶା ବି ଏଥିରେ ଲାଭବାନ ହୋଇପାରିବ।

ନିକଟରେ ଭୁବନେଶ୍ୱର ଓ ଲଳିତଗିରିଠାରେ ଏକାଧିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ସମୂହ ମତ ପ୍ରକାଶ ପାଇଥିଲା ଯେ ଶ୍ରୀଲଙ୍କାରୁ ବେଶ୍ ପରିମାଣର ପର୍ଯ୍ୟଟକ ଓଡ଼ିଶା ଆସିପାରନ୍ତେ। କିନ୍ତୁ ସିଧାସଳଖ ବିମାନ ସେବା ନଥିବାରୁ ସେମାନେ ଏଠାକୁ ଆସିବାକୁ ଅଧିକ ଆଗ୍ରହ ପ୍ରକାଶ କରୁନାହାନ୍ତି। ମନେପକାଇ ଦିଆଯାଇପାରେ ଯେ କିଛି ଦିନ ତଳେ ବାର।ଣସୀଠାରୁ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଯୋଗାଇ ଦିଆଯାଇଛି।

ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସରକାର ରାଜ୍ୟର ପର୍ଯ୍ୟଟନ ପ୍ରାଚୁର୍ଯ୍ୟକୁ ଅଧିକ ପ୍ରସାର କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ପ୍ରଥମେ ମାଲେସିଆ ଓ ଏବେ କଲୋମ୍ବୋ,ଏହିଭଳି ଯଦି ଛୋଟ ଛୋଟ ଦେଶ ସହିତ ଓଡ଼ିଶାର ସିଧାସଳଖ ସଂଯୋଗ ସୃଷ୍ଟି ହୁଏ ତେବେ ଆଗାମୀ ଦିନରେ ରାଜ୍ୟ ପର୍ଯ୍ୟଟନ ଏକ ଉନ୍ନତ ସ୍ଥିତିରେ ପହଞ୍ଚିବା କଷ୍ଟକର ବ୍ୟାପାର ନୁହେଁ ବୋଲି ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଜଣେ ଅଧେ ଟୁର୍ ଅପରେଟର ମଧ୍ୟ ଏହି ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here