କପିଳାସ ଭୂୟାଁ

ସିନେମା ତିଆରି ବେଳେ ସାଉଣ୍ଡ୍ ଇଞ୍ଜିନିୟର୍ ଡିଜାଇନର୍ମାନେ ଯେଉଁ ମୂଳ ତତ୍ତ୍ୱକୁ ଘେନି କାମ କରନ୍ତି ତାହେଲାସାଉଣ୍ଡ୍ ଇଜ୍କନ୍ସସ୍ପିକସ୍ଇନ୍ଇଟ୍ସ୍ଆବ୍‌ସେନ୍ସ‘, ଅର୍ଥାତ୍, ନିଃଶଦ୍ଦ ବା ନୀରବତାରେ ହିଁ ଶଦ୍ଦର ଗୁରୁତ୍ୱ ବୁଝିହୁଏ ସଂଗୀତଜ୍ଞମାନେ ମଧ୍ୟ ଏହି ତତ୍ତ୍ୱକୁ ବହୁଦା ବ୍ୟବହାର କରନ୍ତି ଶଦ୍ଦର ଉପସ୍ଥିତି ଅନୁପସ୍ଥିତି ଭିତରେ ଯେଉଁ ଭାଗମାପ ସେମାନେ ତାଙ୍କ ସ୍ୱର ବା ବାଦ୍ୟଯନ୍ତ୍ର ମାଧ୍ୟମରେ ତିଆରି କରନ୍ତି, ତହିଁରୁ ହିଁ ସଂଗୀତର ମୂର୍ଚ୍ଛନା ସୃଷ୍ଟି ହୁଏ

ରମାକାନ୍ତ ଜଣେ ଲେଖକ। ଚିତ୍ରକର ବି। ତେଣୁ ଚିତ୍ରରେ କଥା କହିବା ଓ ଲେଖାରେ ଚିତ୍ର ରୂପ ଦର୍ଶାଇବା ଦକ୍ଷତା ତାଙ୍କର ଅଛି। ଏହାଛଡ଼ା, ନୂଆ ପିଢ଼ିର ପ୍ରତିନିଧିତ୍ୱ କରୁଥିବା ରମାକାନ୍ତ ତାଙ୍କ ଚିନ୍ତନ ଓ ଅଭିବ୍ୟକ୍ତିରେ ସବୁବେଳେ କିଛିଟା ନୂଆ, ଭିନ୍ନ। ଏଥିରେ ସନ୍ଦେହ ନାହିଁ।

କିଛି ଦିନ ତଳେ ପ୍ରାୟ ମଧ୍ୟ ରାତ୍ରିରେ ତାଙ୍କ ମେସେଜ୍ ଆସିଲା ‘ହ୍ୱାଟ୍‌ସଆପ୍‌’ରେ – “ଆର୍ଟ ଇଜ୍ ହାଓ ୱି ଡେକୋରେଟ୍‌ ସ୍ପେସ୍, ମ୍ୟୁଜିକ୍ ଇଜ୍ ହାଓ ୱି ଡେକୋରେଟ୍‌ ସାଇଲେନ୍ସ”। ଏହା ଅବଶ୍ୟ ତାଙ୍କର ନିଜସ୍ୱ ବକ୍ତବ୍ୟ ନୁହେଁ। କେହି ଜଣେ କେଉଁଠାରେ କହିଥିବା କଥାଟି ତାଙ୍କୁ ଭଲ ଲାଗିଛି ଓ ସେ ତାହାକୁ ତାଙ୍କ ବନ୍ଧୁ ତାଲିକାରେ ଥିବା ବ୍ୟକ୍ତିମାନଙ୍କ ସହ ସେୟାର କରିଛନ୍ତି।

ଏଭଳି ସେୟାର କରିବା ଆଜିକା ଦିନରେ ଏକ ଟ୍ରେଣ୍ଡ୍ ପାଲଟିଛି। ଏକଦା ଯାହା ‘ଓର୍‌କୁଟ୍‌’ରୁ ବହୁଳ ପ୍ରସାରିତ ରୂପରେ ଆରମ୍ଭ ହୋଇଥିଲା ସେହି ସୋସିଆଲ୍ ମିଡିଆ ଏବେ ‘ଫେସ୍‌ବୁକ୍’, ‘ଟ୍ୱିଟର’, ଇତ୍ୟାଦି ସାଇଟ୍ ଓ ‘ହ୍ୱାଟ୍‌ସଆପ୍‌’ ପରି ସ୍ମାର୍ଟଫୋନ୍‌ ମାଧ୍ୟମରେ ବ୍ୟକ୍ତି ମାନସକୁ ଅହରହ ଆନ୍ଦୋଳିତ କରିବାର କ୍ଷମତା ହାସଲ କରିଛି।

ସୋସିଆଲ୍ ମିଡିଆଗୁଡ଼ିକର ମୁଖ୍ୟ ଅପଗୁଣଟି ହେଉଛି କି ବନ୍ଧୁ ତାଲିକାରେ ହଜାର ହଜାର ଲୋକଙ୍କ ନାଁ ରହୁଛି କିନ୍ତୁ ପ୍ରକୃତରେ ସେମାନେ କଣ ବନ୍ଧୁ? ବନ୍ଧୁ କଥା ଛାଡ଼ନ୍ତୁ, ସେମାନଙ୍କ ମଧ୍ୟରୁ ଶତକଡ଼ା ୯୯ ଭାଗରୁ ଅଧିକ ଲୋକ ପରିଚିତ ବି ନୁହନ୍ତି କିନ୍ତୁ ଆଜିକା ଦିନର ଟ୍ରେଣ୍ଡ୍ ଅନୁଯାୟୀ ସୋସିଆଲ୍ ମିଡିଆ ମାଧ୍ୟମରେ ଆମକୁ ପ୍ରତିଦିନ ସେହିଭଳି ଅପରିଚିତ ଲୋକମାନଙ୍କ ଗହଳି ଭିତରେ ବଞ୍ଚିବାକୁ ପଡ଼ୁଛି

ଏପରି ନ କଲେ ନ ଚଳେ। କାରଣ ସୋସିଆଲ୍ ମିଡିଆ ଯୁଗରେ ଆପଣ ଏକା ରହିବାର ଅଧିକାର ହରାଇ ବସିଛନ୍ତି। ଯଦି କେତୋଟି ସୋସିଆଲ୍‌ ମିଡିଆ ସାଇଟ୍‌ରେ ଆପଣ ସଭ୍ୟ ନାହାନ୍ତି, ତେବେ ଆପଣ ନିଶ୍ଚୟ ଆପଣଙ୍କ ସମସାମୟିକ ସମୟରେ ବଞ୍ଚୁ ନାହାନ୍ତି। ଆପଣ ନିଶ୍ଚୟ ଜଣେ ପଛୁଆ ଲୋକ। ତା’ ଛଡ଼ା ସୋସିଆଲ୍ ମିଡିଆ ସାଇଟ୍‌ରେ ନ ରହିଲେ ଆପଣ ଅଛନ୍ତି କି ନାହାନ୍ତି ତା’ ମଧ୍ୟ ଅନ୍ୟମାନେ ଭୁଲିଯାଇ ପାରନ୍ତି। ଅବଶ୍ୟ ଅନ୍ୟ ଦୃଷ୍ଟିରୁ ବିଚାର କଲେ କେବଳ ଏହି କାରଣରୁ ହିଁ ବୋଧେ ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକରେ ଉପସ୍ଥିତ ରହିଛନ୍ତି।

ସୋସିଆଲ୍ ମିଡିଆ ସାଇଟ୍‌ଗୁଡ଼ିକରେ ଖାଲି ଉପସ୍ଥିତ ରହିଲେ ଚଳିବ ନାହିଁ, ମଝିରେ ମଝିରେ ଆପଣଙ୍କ ଉପସ୍ଥିତି ଜାହିର କରିବାକୁ ମଧ୍ୟ ପଡ଼ିବ। ସେହି ଦୃଷ୍ଟିରୁ ମଝିରେ ମଝିରେ ଅନ୍ୟ କେହି, ଅନ୍ୟ କେଉଁଠି ଚମତ୍କୃତ କଲା ଭଳି କହିଥିବା କଥାକୁ କପି କରି ଆଣି ନିଜ ବନ୍ଧୁ ତାଲିକାରେ ଥିବା ଲୋକଙ୍କ ପାଇଁ ‘ପେଷ୍ଟ’ କରି ନିଜ ଜାଣିବାପଣିଆକୁ ଜାହିର୍ କରିବାକୁ ପଡିବ।

ତେବେ ସୋସିଆଲ୍ ମିଡିଆର ଏହି ଯେଉଁ ଟ୍ରେଣ୍ଡ୍ ଏବେ ଆମ ଦେଶ ଓ ଅନ୍ୟାନ୍ୟ ଏକାଧିକ ପଛୁଆ ଦେଶରେ ଚାଲିଛି, ପାଶ୍ଚାତ୍ୟରେ, ବିଶେଷକରି ଆମେରିକାରେ ତାହାର ଅନେକ ଭଟ୍ଟା ପଡ଼ିଆସିଲାଣି। ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେ ‘ଟ୍ୱିଟର’ରେ ଯେତେ ପରିମାଣରେ ଦେଖୁଛୁ ତାହା ଅନ୍ୟ କୌଣସି ଦେଶର ନେତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ଆମେରିକାରେ ‘ଫେସ୍‌ବୁକ୍‌’ର ବ୍ୟବହାର ଏତେ କମ୍‌ ହୋଇଗଲାଣି ଯେ ଏହାର ମାଲିକ ମାର୍କ ଜୁକର୍‌ବର୍ଗ ବିଗତ କେତେ ବର୍ଷ ଭିତରେ ତାଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ଏସିଆ ମହାଦେଶ, ବିଶେଷ କରି ଭାରତ ଉପରେ ତାଙ୍କ ଦୃଷ୍ଟି ନିବଦ୍ଧ କରୁଛନ୍ତି। ଅବଶ୍ୟ ଅନ୍ୟ ଏକ ବିଶାଳ ବ୍ୟବସାୟିକ କ୍ଷେତ୍ର ଚୀନ୍‌ରେ ସେ ପଶିପାରିବେ ନାହିଁ, କାରଣ ସେଠାରେ ‘ଆଲିବାବା’ ଅଛି।

ମୂଳ ପ୍ରସଙ୍ଗକୁ ଫେରିଗଲେ ରମାକାନ୍ତଙ୍କ ‘ହ୍ୱାଟ୍‌ସଆପ୍‌’ ପୋଷ୍ଟିଂରେ ସଂଗୁପ୍ତ ରହିଛି ଦୁଇଟି ପ୍ରଶ୍ନ – “କଳା କ’ଣ?” ଓ “ସଂଗୀତ କ’ଣ?”। ତାଙ୍କ ପୋଷ୍ଟିଂ ହେଉଛି ଏହି ଦୁଇଟି ପ୍ରଶ୍ନର ଉତ୍ତର – “ଆର୍ଟ ଇଜ୍ ଡେକୋରେଟିଂ ଦି ସ୍ପେସ୍” ଓ “ମ୍ୟୁଜିକ୍ ଇଜ୍ ଡେକୋରେଟିଂ ଦି ସାଇଲେନ୍ସ”।

ତେବେ ବର୍ତ୍ତମାନ ଏଥିରୁ ସୃଷ୍ଟି ହେଉଛି ଆଉ ଦୁଇଟି ପ୍ରଶ୍ନ – “ସ୍ପେସ୍ ?” ସାଇଲେନ୍ସ ?” ଏହି ଦୁଇଟି ପ୍ରଶ୍ନର ଉତ୍ତର ପାଇଲେ କଳା ସଂଗୀତ ତାହା ହୁଏତ ବୁଝାପଡ଼ିବ ନାହିଁ

ସ୍ପେସ୍, ଅର୍ଥାତ୍ ସ୍ଥାନ, ତାହା ଭରି ରହିଥିଲେ ଜଣେ ଶିଳ୍ପୀ ତାହାକୁ କେମିତି ସଜାଇବ? ତେଣୁ ସ୍ଥାନ ଶୂନ୍ୟ ହୋଇଥିବା ଦରକାର। କାନ୍‌ଭାସ୍‌ଟି ଶୂନ୍ୟ ଥିବା ଦରକାର ଯାହା ଉପରେ ଚିତ୍ରଶିଳ୍ପୀ ଜଣକ ତାଙ୍କ ତୁଳୀ ଦ୍ୱାରା ବିଭିନ୍ନ ରଙ୍ଗ ଲଗାଇ ସଜାଇବା କାମଟି କରିବେ ବା ତାଙ୍କ ଚିତ୍ରକଳା ସୃଷ୍ଟି କରିବେ। ସେହିଭଳି ରମାକାନ୍ତ ଜଣେ ଲେଖକ ହୋଇଥିବାରୁ ତାଙ୍କୁ ଫର୍ଦ୍ଦେ ସାଧା କାଗଜ ଦରକାର। ଯାହା ଉପରେ ସେ ତାଙ୍କ ଚିନ୍ତନରୁ ସୃଷ୍ଟି ହେଉଥିବା ଶଦ୍ଦଗୁଡ଼ିକୁ ସଜେଇ ଲେଖାଟିଏ ଲେଖିପାରିବେ। ଏହି ଉଭୟ କ୍ଷେତ୍ରରେ ଖାଲି କାନ୍‌ଭାସ୍‌ ବା ସାଧା କାଗଜ ହେଉଛି ବସ୍ତୁ ପର୍ଯ୍ୟାୟର ସାମଗ୍ରୀ, ଅର୍ଥାତ୍‌ ଯାହାକୁ ଛୁଇଁ ହେବ ଓ ଯାହାକୁ ରଖିବା ପାଇଁ କିଛି ସ୍ଥାନ ଦରକାର ହେବ। କିନ୍ତୁ ସାଇଲେନ୍ସ ବା ନୀରବତା ତ ଏହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ! ନା ଏହାକୁ ଛୁଇଁ ହେବ, ନା ଏହାର ଅବସ୍ଥିତିକୁ ଜାଣିହେବ!

ପ୍ରଖ୍ୟାତ ହିନ୍ଦୁସ୍ଥାନୀ କ୍ଲାସିକାଲ୍ ଗାୟିକା ସୁନନ୍ଦା ପଟ୍ଟନାୟକ ତାଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ନୀଳମାଧବ’ରେ ନିଜ ବକ୍ତବ୍ୟରେ କହିଛନ୍ତି, “ସାଇଲେନ୍ସ ଇଜ୍ ଦ ବେଷ୍ଟ୍ ମ୍ୟୁଜିକ୍”, ଅର୍ଥାତ୍‌, “ନୀରବତା ହିଁ ସର୍ବଶ୍ରେଷ୍ଠ ସଂଗୀତ”। ତେଣୁ ସୁନନ୍ଦା ପଟ୍ଟନାୟକଙ୍କ ମତରେ “ନୀରବତାକୁ ସଜାଇବା ଦ୍ୱାରା ସଂଗୀତ ସୃଷ୍ଟି ହୁଏ” ନୁହେଁ, ବରଂ ନୀରବତା ହିଁ ସଂଗୀତ। ତେବେ ନୀରବତାର ଏହି ସଂଗୀତକୁ ଶୁଣିପାରିବାର କ୍ଷମତା ଥିବା ଦରକାର, ନଚେତ୍‌ ତାହାକୁ ଶୁଣିବା ସହଜ କଥା ନୁହେଁ। ତେବେ ନୀରବତା କାହିଁ ଯେ ଆମେ ତା’ର ସଂଗୀତକୁ ଶୁଣିବାର ସୁଯୋଗ ପାଇବା?

ଗହଳ ଚହଳ, ପେଁ ପାଁ, ଢ଼ୋ ଢ଼ା, କେଁ କଟର, ଗାଳି ବଚସା, ସଁ ସାଁ, ଗାଡି ମଟର, ରେଳଗାଡ଼ି, ଉଡାଜାହାଜ, କଳକାରଖାନା ଇତ୍ୟାଦିର ବିକଟାଳ ଶଦ୍ଦ ଭିତରେ ଆମ ଦୈନନ୍ଦିନ ଜୀବନ। ଏହା ଭିତରେ ନୀରବତାକୁ ଖୋଜି ନପାଇବା ହୁଏତ ଏକ ସହରୀ ସମସ୍ୟା ହୋଇଥାଇପାରେ, କିନ୍ତୁ ଗାଁରେ କ’ଣ ନୀରବତା ଅଛି? ଏଭଳିକି ଆକାଶରେ ବି ଉଡାଜାହାଜ, ହେଲିକପ୍ଟର ଓ ଜେଟ୍‌ ଉଡ଼ାଣର ଶଦ୍ଦ ଅହରହ ଶୁଣାଯାଉଛି। ‘ଶଦ୍ଦ’ ଯାହା ନୀରବତାର ଶତ୍ରୁ ତାହା ସବୁଠାରେ ସବୁବେଳେ ବିରାଜମାନ। ‘ହ୍ୱାଇ ୱି ହିଅର୍ ହ୍ୱାଟ୍ ୱି ହିଅର୍’ ପୁସ୍ତକର ଲେଖକ ଏରିକ୍ ହେଲର୍‌ଙ୍କ ମତରେ “ଶଦ୍ଦର ଏପରି ନିରନ୍ତର ଉପସ୍ଥିତି ରହିଛି ଯେ ଆମେ ତା’ ବିଷୟରେ ଚିନ୍ତା ହିଁ କରନ୍ତି ନାହିଁ”।

ଶଦ୍ଦ ମାପକକୁ ଡେସିବ୍‌ଲ୍‌ କୁହାଯାଏ। ‘ଜିରୋ’ ବା ‘ଶୂନ୍ୟ’ ଡେସିବ୍‌ଲ୍‌ ଏପରି ଏକ ସ୍ଥିତି ଯେ ତାହାକୁ ଶୁଣିହୁଏ। ତିନି ଫୁଟ୍ ଦୂରରୁ ଅତି ଧୀରେ ଫିସ୍ ଫିସ୍ କରି କହିଲେ ତାହା ୩୦ ଡେସିବ୍‌ଲ୍‌ ଏବଂ ଏକ ନିଛାଟିଆ ଜାଗାର ଘର ଭିତରେ ୪୦ ଡେସିବ୍‌ଲ୍‌ ଶଦ୍ଦ ଶୁଣାଯାଏ। ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡ ଅନୁଯାୟୀ ପୃଥିବୀର ସର୍ବାଧିକ ନୀରବତାର ସ୍ଥାନ ହେଉଛି ଆମେରିକାର ମିନିଆପଲିସ୍‌ ସ୍ଥିତ ଓର୍‌ଫିଲ୍‌ଡର ଆନେଇକୋଇକ୍‌ ଚାମ୍ବର, ଯେଉଁଠାରେ ଶଦ୍ଦ ଉପସ୍ଥିତି ହେଉଛି – ୯ ଡେସିବ୍‌ଲ୍‌। ସେଠାରେ କ’ଣ ପ୍ରକୃଷ୍ଟ ସଂଗୀତ ଶୁଣିବାର ସୁଯୋଗ ମିଳିପାରିବ?

ନା। ନୀରବତା ଏକ କଷ୍ଟକର ଅବସ୍ଥା। -୯ ଓ ଶୂନ୍ୟ ଡେସିବ୍‌ଲ୍ ତ ଦୂରର କଥା ୩୦ ଡେସିବ୍‌ଲ୍‌ ଶଦ୍ଦ ଥିବା ସ୍ଥାନରେ ନୀରବତାର ଏଭଳି ପ୍ରଭାବ ଯେ ତାହା  ଆମ ମସ୍ତିଷ୍କକୁ ଭାରସାମ୍ୟହୀନ କରିଦେଇପାରେ। ବେଳେ ବେଳେ ନୀରବତାର ଶଦ୍ଦ ଆମକୁ ଅତି କଷ୍ଟକର ଅନୁଭୂତି ମଧ୍ୟ ଆଣିଦିଏ।

‘ହାଲୁସିନେସନ୍‌’ ହେଲେ ଯେମିତି ଉପସ୍ଥିତ ନଥିବା ଜିନିଷ ଆମକୁ ଦେଖାଯାଏ, ନୀରବତାରେ ମଧ୍ୟ ସେଭଳି ପରିସ୍ଥିତି ସୃଷ୍ଟି ହୋଇ ଉପସ୍ଥିତ ନଥିବା ଶଦ୍ଦ ଆମକୁ ଶୁଣାଯାଇପାରେ, ଯାହାକୁ ଆମେ ‘ହିଅରିଂ ହାଲୁସିନେସନ୍‌’ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ।

ପ୍ରାତ୍ୟହିକ ଜୀବନରେ ଆମେ ପ୍ରତି ନିୟତ ଏତେ ମାତ୍ରାରେ ଶଦ୍ଦ ଶୁଣୁଥାଉ ଯେ ନୀରବତା ଭିତରେ କାନ ଚାରିପଟର ନର୍ଭ ସେହିସବୁ ଶଦ୍ଦକୁ ଅତି ମାତ୍ରାରେ ଖୋଜିଥାନ୍ତି। ତେଣୁ ସାମାନ୍ୟ ଶଦ୍ଦ ଅତି ଉଚ୍ଚ ଧ୍ୱନୀରେ ଶୁଭେ। ଟିକିଏ ପବନ, ସଁ ସଁ ଶୁଣାଯାଇପାରେ। ଏଭଳି ପରିସ୍ଥିତିରେ କେତେକ ବ୍ୟକ୍ତି ସେମାନଙ୍କ ହୃତପିଣ୍ଡରୁ ମସ୍ତିଷ୍କକୁ ଯାଉଥିବା ରକ୍ତ ପ୍ରବାହର ଶଦ୍ଦ ମଧ୍ୟ ଶୁଣିପାରନ୍ତି। ଅନ୍ୟ କେତେକ ବ୍ୟକ୍ତି ସେମାନଙ୍କ ନିଃଶ୍ୱାସ ପ୍ରଶ୍ୱାସ, ହୃତ୍‌ପିଣ୍ଡର ରକ୍ତ ସଞ୍ଚାଳନ ଶଦ୍ଦ ମଧ୍ୟ ବହୁ ଉଚ୍ଚ ଶଦ୍ଦରେ ଶୁଣିବାକୁ ସକ୍ଷମ ହୁଅନ୍ତି। ଆହୁରି କେହି କେହି ଏକାଧିକ କାଳ୍ପନିକ ଶଦ୍ଦ ମଧ୍ୟ ଶୁଣିବାର ନଜିର୍‌ ରହିଛି। ତେଣୁ ନିଃଶଦ୍ଦ ସ୍ଥାନ ମିଳିପାରେ, କିନ୍ତୁ ନୀରବତା ମିଳିବା ମୁସ୍‌କିଲ୍‌ ନିଶ୍ଚୟ।

ସିନେମା ତିଆରି ବେଳେ ସାଉଣ୍ଡ୍ ଇଞ୍ଜିନିୟର୍‌ ଓ ଡିଜାଇନର୍‌ମାନେ ଯେଉଁ ମୂଳ ତତ୍ତ୍ୱକୁ ଘେନି କାମ କରନ୍ତି ତା’ ହେଲା ‘ସାଉଣ୍ଡ୍ ଇଜ୍‌ କନ୍ସସ୍ପିକସ୍‌ ଇନ୍‌ ଇଟ୍‌ସ୍‌ ଆବ୍‌ସେନ୍ସ’, ଅର୍ଥାତ୍, ନିଃଶଦ୍ଦ ବା ନୀରବତାରେ ହିଁ ଶଦ୍ଦର ଗୁରୁତ୍ୱ ବୁଝିହୁଏ। ସଂଗୀତଜ୍ଞମାନେ ମଧ୍ୟ ଏହି ତତ୍ତ୍ୱକୁ ବହୁଦା ବ୍ୟବହାର କରନ୍ତି। ଶଦ୍ଦର ଉପସ୍ଥିତି ଓ ଅନୁପସ୍ଥିତି ଭିତରେ ଯେଉଁ ଭାଗମାପ ସେମାନେ ତାଙ୍କ ସ୍ୱର ବା ବାଦ୍ୟଯନ୍ତ୍ର ମାଧ୍ୟମରେ ତିଆରି କରନ୍ତି, ତହିଁରୁ ହିଁ ସଂଗୀତର ମୂର୍ଚ୍ଛନା ସୃଷ୍ଟି ହୁଏ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here