ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେବି ବହୁ ପର୍ଯ୍ୟଟନ ସ୍ଥାନ ଅଛି ଯାହା ପର୍ଯ୍ୟଟକଙ୍କ ଅଗୋଚରରେ ରହିଛି। କୋରାପୁଟଠାରୁ ମୟୂରଭଞ୍ଜ ଯାଏଁ ପର୍ଯ୍ୟଟନ-ସମୃଦ୍ଧ ଜିଲ୍ଲାମାନଙ୍କରେ ଜଣାଶୁଣା ଓ ନିୟମିତ ଭାବେ ପର୍ଯ୍ୟଟକ ଆସୁଥିବା ସ୍ଥାନକୁ ଛାଡ଼ିଦେଲେ ଏଭଳି ଅନେକ ସ୍ପଟ୍ ରହିଛି ଯେଉଁଠିକୁ ପର୍ଯ୍ୟଟକଙ୍କ ଆଗମନ ଏତେ ଉତ୍ସାହଜନକ ନୁହେଁ। ସେହିଭଳି ଏକ ପର୍ଯଟନ ସ୍ଥାନ ହେଉଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନର ଅଭ୍ୟନ୍ତରରେ ଥିବା ମାଛକାନ୍ଦଣା ଝର।

ପର୍ଯ୍ୟଟକଙ୍କ ପାଇଁ ଏହି ଜଳପ୍ରପାତ ଅତ୍ୟନ୍ତ ଆକର୍ଷଣର ସ୍ଥାନ ହୋଇପାରନ୍ତା ଯଦି ପର୍ଯ୍ୟଟନ ଓ ଅନ୍ୟାନ୍ୟ ବିଭାଗ ତରଫରୁ ଏଠାକୁ ସବୁ ପ୍ରକାର ସୁବିଧା କରାଯାଆନ୍ତା। ଦୁର୍ଭାଗ୍ୟର ବିଷୟ ହେଉଛି ଏକେତ ମାଛକାନ୍ଦଣା ଝରକୁ ଯିବା ପାଇଁ ରାସ୍ତାଟିଏ ନାହିଁ ତାହାଛଡ଼ା ଆନୁସଂଗିକ ସୁବିଧା ମଧ୍ୟ ଉପଲବ୍ଧ ନୁହେଁ। ଏହି କାରଣରୁ ଏଠାକୁ ପର୍ଯ୍ୟଟକ ଆସିପାରୁନାହାନ୍ତି। ଖାଲି ସେତିକି ନୁହେଁ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ଏହି ଜଳପ୍ରପାତଟି ସ୍ଥାନ ପାଇପାଇପାରିନାହିଁ।

ଏହି ଜଳପ୍ରପାତ ବାରିପଦା ବନ ବିଭାଗ ଅଧିନରେ ଆସୁଛି। ଉଦଳାଠାରୁ ୧୮ କିଲୋମିଟର ଦୂରରେ ଥିବା ମାଛକାନ୍ଦଣା ଝର ପ୍ରତ୍ୟେକ ପ୍ରକୃତି ପ୍ରେମୀ ପାଇଁ ଅପୂର୍ବ ଆକର୍ଷଣର ସମ୍ଭାବନା ରଖେ। ଯଦି ଶିମିଳିପାଳର ଜୈବିକ ସମୃଦ୍ଧି ଓ ଗଛଲତାର ଅମାପ ସମ୍ଭାରକୁ ଆପଣ ଆହରଣ କରିବାକୁ ଚାହୁଁଛନ୍ତି ମାଛକାନ୍ଦଣା ଝର ଏକ ପ୍ରକୃଷ୍ଟ ସ୍ଥାନ।

ଅନେକ ପର୍ଯ୍ୟଟକ ଯଦିଓ ଶିମିଳିପାଳ ଯାଇଥାନ୍ତି ମାଛକାନ୍ଦଣାକୁ ଯିବା ପାଇଁ ସାହସ କରିନଥାନ୍ତି କାରଣ ଏ ପର୍ଯ୍ୟନ୍ତ ଏଠାକୁ ଯିବା ପାଇଁ ଚଳନୀୟ ରାସ୍ତାଟିଏ ବି ତିଆରି ହୋଇପାରୁନାହିଁ। ପର୍ଯ୍ୟଟନ ଋତୁରେ କେବଳ ସ୍ଥାନୀୟ ଅଞ୍ଚଳର ଲୋକେ ଏଠାକୁ ଆସିଥାନ୍ତି, ମୁଖ୍ୟତଃ ଟ୍ରେକିଂ ପାଇଁ। ତେବେବି ଏମାନଙ୍କ ସଂଖ୍ୟା ଏତେ ଉତ୍ସାହଜନକ ନୁହେଁ। ମାଛକାନ୍ଦଣା ଝର ନିକଟକୁ ଯିବାକୁ ହେଲେ ୫ କିଲୋମିଟର ଗଛର ଚାନ୍ଦୁଆ ତଳେ ଓ ଆବୁଡ଼ାଖାବୁଡ଼ା ରାସ୍ତା ଦେଇ ଯିବାକୁ ହେବ।

କପ୍ତିପଦାର ଜଣେ ଅଧିବାସୀ ସୁଶାନ୍ତ କୁମାର ମିଶ୍ରଙ୍କ କହିବା ଅନୁସାରେ ନିମ୍ନତମ ସୁବିଧା ଓ ଭିତ୍ତିଭୂମି ନଥିବା କାରଣରୁ ଏକ ଚମତ୍କାର ପର୍ଯ୍ୟଟନ କେନ୍ଦ୍ରକୁ ଏ ପର୍ଯ୍ୟନ୍ତ ଲୋକେ ଜାଣିପାରିନାହାନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଏକ ବଣଭୋଜି ସ୍ଥାନ ହେବା ବ୍ୟତୀତ ମାଛକାନ୍ଦଣା ଆଉ ଅଧିକ ବାଟ ଯାଇପାରିନାହିଁ। ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବହୁ ଉଦ୍ୟମ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନାହିଁ। ବିଶେଷକରି ଇକୋ-ଟୁରିଜିମ୍ ପାଇଁ ଏହା ଏକ ଚମତ୍କାର ସ୍ଥାନ ଏବଂ ଯଦି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତେ ଅନେକ ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ।

ବାରିପଦା ଡିଏଫଓ ସଞ୍ଜୟ କୁମାର ସ୍ୱାଇଁଙ୍କ କହିବା ଅନୁସାରେ ମାଛକାନ୍ଦଣା ଝରକୁ ଯିବା ପାଇଁ ଯେଉଁ ଭିତ୍ତିଭୂମି ଦରକାର ସେଥିପାଇଁ ଆର୍ଥିକ ସାହାଯ୍ୟ ଯୋଗାଇବା ସକାଶେ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି।

କେବଳ ମାଛକାନ୍ଦଣା ଝର ନୁହେଁ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ବହୁ ପର୍ଯ୍ୟଟନ ସ୍ଥାନ ରହିଛି ଯଥା ଜରନ୍ଦା, ବଢ଼େଇପାଣି ଓ ଦେବକୁଣ୍ଡ। କିଛି ବର୍ଷ ତଳେ ଶିମିଳିପାଳ ଇକୋ ଡେଭଲପମେଣ୍ଟ ସୋସାଇଟି ନାମରେ ଏକ ସଂସ୍ଥା ଗଠନ ହୋଇଥିଲା, ଯେଉଁ ସଂସ୍ଥା ଏହିସବୁ ଆନାଲୋଚିତ ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ବିକଶିତ କରିବା ପାଇଁ ଉଦ୍ୟମ କରିଆସିଛି।

Comment