ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ ଥିବା ରାଣୀପୁର ଝରିଆଲ ଏଣିକି ଜାତୀୟ କୀର୍ତ୍ତିର ମାନ୍ୟତା ପାଇବ।

ଅଷ୍ଟମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିଥିଲା। ଏହି ମାନ୍ୟତା ପାଇଲା ପରେ ରାଣୀପୁର ତାର ଗୌରବକୁ ଫେରିପାଇବା ଆଶା କରାଯାଉଛି। ଅତୀତରେ ଟିଟିଲାଗଡ଼ଠାରୁ ମଧ୍ୟଭାରତ ପର୍ଯ୍ୟନ୍ତ ଯେଉଁ ବାଣିଜ୍ୟ ପଥ ପଡ଼ିଥିଲା ତାହା ରାଣୀପୁର ନିକଟରୁ ବାହାରିଥିଲା। ଏବେ ବି ମଧ୍ୟପ୍ରଦେଶ ସହିତ ଏହି ଅଞ୍ଚଳର ସମ୍ପର୍କ ରହିଛି।

ସଦ୍ୟ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ ରାଣୀପୁର ଓ ତା’ର ଆଖପାଖ ଅଞ୍ଚଳର ଭଗ୍ନ ଅବସ୍ଥାରେ ଥିବା ମନ୍ଦିରକୁ ବି କେନ୍ଦ୍ର ସରକାର ନିଜ ହାତକୁ ନେବେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ (ଏଏସଆଇ) ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓ ଜନସାଧାରଣଙ୍କର କିଛି ଆପତ୍ତି ଥିଲେ ଜଣାଇବାକୁ କହିଛନ୍ତି।

ରାଣୀପୁର-ଝରିଆଲର ଭୌଗୋଳିକ ଅବସ୍ଥିତି ଓ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ଏଗୁଡ଼ିକର ଇତିହାସ ମଧ୍ୟ ସେତିକି ସମୃଦ୍ଧ। ଉଲ୍ଲେଖଯୋଗ୍ୟ ବିଷୟ ହେଲା ରାଣୀପୁର ନିକଟରେ ଥିବା ୬୪ ଯୋଗିନୀ ମନ୍ଦିର ଢ଼େର ପୂର୍ବରୁ କେନ୍ଦ୍ରୀୟ ମାନ୍ୟତା ପାଇ ସାରିଛି।

ଏଏସଆଇର ୧୮୭୬ ମସିହା ରିପୋର୍ଟ ଅନୁସାରେ ଏହି ମଧ୍ୟଯୁଗୀୟ ମନ୍ଦିର ପରିସରରେ ଏକଦା ୧୨୦ଟି ମନ୍ଦିର ବିରାଜମାନ କରୁଥିଲା। ରାଣୀପୁରର ଚାରି ଦିଗ ଗହନ ପାହାଡ଼ ଓ ଗଛ ବୃକ୍ଷରେ ଭରା। ନିକଟରେ ରହିଛି ପରିବେଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୃସିଂହନାଥ। ତା’ଛଡ଼ା ମାରାଗୁଡା, ପୋଡ଼।ଗଡ଼, ଅସୁରଗଡ଼, ବେଲଖଣ୍ଡି, ସଇଁତଳା ଆଦି ଇତିହାସ ପ୍ରସିଦ୍ଧ ସ୍ଥାନ ମଧ୍ୟ ରାଣୀପୁରର ଗୁରୁତ୍ୱକୁ ବଢ଼ାଇ ଆସିଛି।

ରାଣୀପୁରକୁ ଜାତୀୟ କୀର୍ତ୍ତିର ମାନ୍ୟତା ପ୍ରଦାନ ପାଇଁ ୨୦୧୪ରେ ଏକ ପ୍ରସ୍ତାବ ସରକାର ଦେଇଥିଲେ। ଏହାପରେ ପ୍ରସ୍ତାବର ନିରୀକ୍ଷା କରାଯାଇଥିଲା। ନିରୀକ୍ଷଣ ଦଳ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ରାଣୀପୁରର ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ।

ଏଏସଆଇ ଚାହୁଁଛି ରାଣୀପୁର ନିକଟରେ ଥିବା ସୋମେଶ୍ୱର ମନ୍ଦିର ସମୂହ, ଝରିଆଲ, ଇନ୍ଦ୍ରନାଥ ମନ୍ଦିର, କପିଳେଶ୍ୱର ମନ୍ଦିର ଭଗ୍ନାବଶେଷ ଓ ଧବଳେଶ୍ୱର ମନ୍ଦିରର ଯାହା କିଛି ରହିଛି ସେ ସବୁକୁ ନିଜ ଅକ୍ତିଆରକୁ ନେଇ ଏହାର ସଂରକ୍ଷଣ କରିବ। ଆଗ୍ରହର ବିଷୟ ହେଲା ଯେ ଏହି ମନ୍ଦିରଗୁଡ଼ିକ ଶିବ, ବିଷ୍ଣୁ ଓ ଯୋଗିନୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା। ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଏହାର ଗୁରୁତ୍ୱ ରହିଛି।

ଖାଲି ସେତିକି ନୁହେଁ, ରାଣୀପୁର-ଝରିଆଲରେ ଥିବା ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଭିନ୍ନ। ଏଠାରେ ଦେଖିବାକୁ ମିଳେ ଓଡ଼ିଶୀ ମନ୍ଦିରର ରେଖ, ପୀଢ଼, ଖାକର ଆଦି ସ୍ଥାପତ୍ୟ ଶୈଳୀ। ଗ୍ରାନାଇଟ, ସାଣ୍ଡଷ୍ଟୋନ, ଇଟା ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ସାହାଯ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା ପ୍ରାୟ ୧୨୦୦ ବର୍ଷ ତଳେ।

Comment