ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ଶୁକ୍ରବାର ଦିନ ମୋବାଇଲ ବ୍ୟବସାୟରେ  ଆଉ ଏକ ହଲଚଲ ସୃଷ୍ଟି କରିଛନ୍ତି। ମୁକେଶ ଅମ୍ବାନୀଙ୍କ କମ୍ପାନି 4ଜିର ଏଭଳି ଏକ ନୂଆ ମୋବାଇଲ ଫୋନ ବଜାରକୁ ଛାଡ଼ିବ ଯାହା ଆପଣ ପୂରା ମାଗଣାରେ ପାଇବେ। ଏହା ଏକ ଫିଚର ଫୋନ ଅର୍ଥାତ ଆଣ୍ଡ୍ରଏଡ୍ ନୁହେଁ। କମ୍ପାନିର ୪୦ତମ ସାଧାରଣ ବୈଠକରେ ଏହା ଘୋଷଣା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଅଗଷ୍ଟ ୨୪ରୁ ଏହି ଫୋନର ପ୍ରି-ବୁକିଂ ଆରମ୍ଭ ହେବ।

ତିନି ମାସ ତଳେ ଜିଓ ନେଟୱାର୍କ୍‌ ଆରମ୍ଭ କରି ମୁକେଶ ସମଗ୍ର ଟେଲିକମ ଇଣ୍ଡଷ୍ଟ୍ରିରେ ଯେଉଁ ଧମାକା କରିଥିଲେ ଏଥର ଏକ 4ଜି ଫିଚର ଫୋନ ଆଣି ସେହିଭଳି ଏକ ହଲଚଲ ସୃଷ୍ଟି କରିବା ସହ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବା ପାଇଁ ଯାଉଛନ୍ତି। ଏହାଦ୍ୱାରା ବର୍ତ୍ତମାନ ଯେ କେହି ସହଜରେ 4ଜି ନେଟୱାର୍କରେ ରହିପାରିବ।

ଏଭଳି ଏକ ନୂଆ ଓ ଶସ୍ତା ଫୋନ ଆସିବ ବୋଲି ଅନେକ ଦିନ ଧରି ଆଲୋଚନା ଚାଲିଥିଲା। କେହି କେହି ଏହାର ମୂଲ୍ୟ ୫୦୦ ଟଙ୍କା ରହିବ ବୋଲି ଅନୁମାନ କରୁଥିଲେ।

ମୁକେଶ ଏହି ଫୋନ ବଜାରକୁ ଛାଡ଼ିବା ସହିତ ଏକ ବ୍ୟବସାୟିକ ରଣ କୌଶଳ ମଧ୍ୟ ଗ୍ରହଣ କରିଛନ୍ତି। ପ୍ରକୃତରେ ରିଲାଏନ୍ସର ଏହି ଫୋନର ଦାମ ୧୫୦୦ ଟଙ୍କା। ଘୋଷଣା ଅନୁଯାୟୀ ଆପଣ ୧୫୦୦ ଦେଇ ଫୋନକୁ କିଣିବେ। କିନ୍ତୁ ଯଦି ଆପଣ ଏହାକୁ ଫେରାଇବାକୁ ଚାହାଁନ୍ତି ୩ ବର୍ଷ ପରେ ତାହା କରିପାରିବେ ଓ ଆପଣଙ୍କୁ ସେହି ଟଙ୍କା ଫେରସ୍ତ ମିଳିବ।

ଏହି ଫୋନଟି ଏକ ବେସିକ୍ ଫୋନ। କିନ୍ତୁ ଛୋଟ ସ୍କ୍ରିନ ହେଲେବି ଜିଓ ସିନେମା ଆଦି ଦେଖିହେବ। ଏସଏମଏସ୍, ଇଣ୍ଟରନେଟ ଆଦି ମୌଳିକ ସୁବିଧା ଏଥିରେ ରହିଛି। ଏହି ଫୋନରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ କଲ ମାଗଣା। ଏଥିରେ ଡାଟା ବି ମାଗଣା ମିଳିବ। ମୁକେଶ ୫୦ କୋଟି ଫୋନ ବିକ୍ରି ପାଇଁ ଲକ୍ଷ୍ୟ ରଖିଛନ୍ତି ।

ସବୁବେଳେ ଆଗରେ ରହିବା ପାଇଁ ଚାହୁଁଥିବା ଭାରତର ସବୁଠାରୁ ଧନୀ ମୁକେଶଙ୍କ ଏହି ପଦକ୍ଷେପ ଆଗାମୀ ଦିନରେ ମୋବାଇଲ ବଜାରରେ କି ପ୍ରକାର ପ୍ରଭାବ ପକାଇବ ତାହା ଅପେକ୍ଷା କରି ଦେଖିବାକୁ ହେବ। କିନ୍ତୁ ଏହା ନିଶ୍ଚିତ ଯେ ଜିଓ ମୋବାଇଲ ଟେଲିଫୋନି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆଣିପାରିଛି, ତାହା ଅସାଧାରଣ।

LEAVE A REPLY

Please enter your comment!
Please enter your name here