ଓଡ଼ିଶାଲାଇଭ୍‌ ବ୍ୟୁରୋ

“କଂଗ୍ରେସ ଏବଂ ବିଜେପିଠାରୁ ଆମେ ସମାନ ଦୂରତା ରଖିବୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଣୁ ୨୦୧୯ରେ ବିଜେପି ସହ ମେଣ୍ଟ ଆଶା କ୍ଷୀଣ” – କ୍ୟାପଟେନ୍‍ ଦିବ୍ୟଶଙ୍କର ମିଶ୍ର, ବିଜେଡି ବିଧାୟକ।

ଭାରତୀୟ ରାଜନୀତିରେ ମେଣ୍ଟ ଶାସନ ବେଶୀ ଦିନ ତିଷ୍ଠେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ନିକଟରେ ବିହାର ଘଟଣାରୁ ସତ ପ୍ରମାଣିତ ହୋଇଛି। ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିକୁ ଚେକ୍‍ ଦେବା ପାଇଁ ବିହାରରେ ଯେଉଁ ମହାମେଣ୍ଟ ଗଠନ ହୋଇଥିଲା ତାହା ଶେଷରେ ଭାଙ୍ଗିଯାଇଛି। ଶେଷରେ ନୀତିଶ ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବା ପାଇଁ ପୁଣି ଏନଡିଏ ହାତ ଧରିଛନ୍ତି। ଯେଉଁ ନୀତିଶ ମୋଦିଙ୍କୁ ସମାଲୋଚନା କରି ଆସୁଥିଲେ ଏବେ ସେ ଏନଡିଏ ଶରଣରେ ପଶିଛନ୍ତି।

ବିହାରର ଏହି ହାଇଭୋଲ୍ଟେଜ ଡ୍ରାମା ପରେ ଏବେ ରାଜନୀତି ପଣ୍ଡିତଙ୍କ ନଜର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ନୀତିଶଙ୍କ ଭଳି ନବୀନ ପୁଣିଥରେ ଏନଡିଏ ହାତ ଧରିବେ କି ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ମୋଦିଙ୍କୁ ପ୍ରଥମେ ‘ପୋଷ୍ଟର ବୟ’ ଭାବେ ଉପସ୍ଥାପିତ କରିଥିଲା। ଏନଡିଏର ଅନ୍ୟ ସହଯୋଗୀମାନେ ବିଜେପିର ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହାକୁ ବିରୋଧ କରିଥିଲେ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ନ କରିବାକୁ ଏମାନେ ଦାବି କରୁଥିଲେ। ହେଲେ ଏମାନଙ୍କ ଦାବିକୁ ଭ୍ରୁକ୍ଷେପ ନ କରି ଶେଷରେ ମୋଦି ହୋଇଥିଲେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ।

ଏନଡିଏର ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ନୀତିଶ ଏନଡିଏ ସହ ସମ୍ପର୍କ ତୁଟାଇଥିଲେ। ଫଳରେ ୨୦୧୪ ନିର୍ବାଚନରେ ନୀତିଶ ଏବଂ ବିଜେପି ପୃଥକ୍‍ ପୃଥକ୍‍ ଭାବେ ନିର୍ବାଚନ ଲଢ଼ିଥିଲେ। ଏପଟେ ନବୀନ ମଧ୍ୟ ୨୦୦୯ରେ ଏନଡିଏଠାରୁ ଦୂରେଇ ଯାଇଥିଲେ।

୨୦୧୪ରେ ବିଜେଡି ସହ ପୁଣି ମେଣ୍ଟ କରିବାକୁ ବିଜେପି ନେତାମାନେ ଗୋଟିଚାଳନା କରିଥିଲେ ମଧ୍ୟ ମୋଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାରୁ ନବୀନ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ। ଉଭୟ ଉପା ଏବଂ ଏନଡିଏଠାରୁ ତାଙ୍କ ଦଳ ସମାନ ଦୂରତା ରଖିବ ବୋଲି ନବୀନ କହି ଆସୁଥିଲେ। କିନ୍ତୁ ଏବେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି।

ମୋଦିଙ୍କ ବିରୋଧୀ ଭାବେ ପରିଚିତ ନୀତିଶ ଯେତେବେଳେ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଏନଡିଏ ସହ ଯୋଡ଼ି ହୋଇଛନ୍ତି ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ କ’ଣ କରିବେ, ତା’କୁ ନେଇ ରାଜନୀତି କରିଡରରେ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି।

ମୋଦିଙ୍କ ଗତିରୋଧରେ ବ୍ରେକ ଲଗାଇବା ପାଇଁ ଅଣ-ବିଜେପି ଦଳମାନେ ଏକାଠି ହୋଇଥିଲେ। ଆଉ ଏହାର ନେତୃତ୍ୱ ନେଉଥିଲେ ଜେଡି(ୟୁ)ନେତା ନୀତିଶ ଏବଂ ଶରଦ ଯାଦବ। ଗତ କିଛିଦିନ ତଳେ ଶରଦ ଏବଂ ନୀତିଶ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ନବୀନ-ନିବାସରେ ଏ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏହି ଆଲୋଚନା ସଫଳ ରୂପାୟନ ନେଇ ପାରି ନ ଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିପକ୍ଷରେ ଏମାନେ ଏକାଠି ହେବେ ବୋଲି ରାଜନୀତି ପଣ୍ଡିତ ଆକଳନ କରୁଥିଲେ। କିନ୍ତୁ ଏହି ଆକଳନ ଭୁଲ୍‍ ପ୍ରମାଣିତ ହୋଇଛି।

୨୦୧୯ ନିର୍ବାଚନର ଅଢେ଼ଇ ବର୍ଷ ପୂର୍ବରୁ ନୀତିଶ ପୁଣି ଏନଡିଏ ସହ ଯୋଡ଼ି ହୋଇଯାଇଛନ୍ତି। ଫଳରେ ବିଜେଡି ଜାତୀୟ ରାଜନୀତିରେ ଏକୁଟିଆ ହୋଇ ଯାଇଛନ୍ତି। ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ବିଜେଡିକୁ ଦିଲ୍ଲୀ ଦରବାରରେ ସାଥୀଟିଏ ଦରକାର ହେଉଥିବାରୁ ବିଜେଡି ସୁପ୍ରିମୋ କି ପଦକ୍ଷେପ ନେବେ, ତା’ ଉପରେ ନଜର ରହିଛି।

ଏବେ ବିଜେପି ଯେଉଁଭଳି ଭାବେ ଆକ୍ରମଣାତ୍ମକ ପଦକ୍ଷେପ ନେଉଛି ସେଥିରେ ବିଜେଡି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଥିବାରୁ ୨୦୧୯ରେ ଓଡ଼ିଶା ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ପଞ୍ଚାୟତ ନିର୍ବାଚନରେ ଭୋଟହାର ବୃଦ୍ଧି ପାଇବା ପରେ ବିଜେପି ନେତା ଓଡ଼ିଶାକୁ ଅଧିକ ଫୋକସ୍‍ କରୁଛନ୍ତି। ୨୦୧୯ରେ ୧୨୦ ଆସନ ପାଇବ ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍‍ ଶାହା ଜୋର୍‍ ଦେଇ କହିଛନ୍ତି। ହେଲେ ବର୍ତ୍ତମାନର ସ୍ଥିତି ଯାହା କହୁଛି ବିଜେପି ଏକାକୀ ୧୨୦ ଆସନ ପାଇବା କାଠିକର ପାଠ। କାରଣ ୨୦୧୪ରେ ଯେତେବେଳେ ସମଗ୍ର ଦେଶରେ ମୋଦି ହାୱା ବହୁଥିଲେ ସେତେବେଳେ ଓଡ଼ିଶାରେ ବ୍ୟତିକ୍ରମ ଦେଖାଦେଥିଲା। ମୋଦିଙ୍କ ପ୍ରଭାବ ଓଡ଼ିଶା ଭୋଟରଙ୍କ ଉପରେ ପଡ଼ିନଥିଲା। ଓଡ଼ିଶାବାସୀ ପୁଣିଥରେ ନବୀନଙ୍କ ଉପରେ ଭରସା କରିଥିଲେ।

୨୦୧୪ ନିର୍ବାଚନକୁ ୩ ବର୍ଷ ପୂରି ଯାଇଥିଲେ ମଧ୍ୟ ଏବେ ବି ଗାଁ ଗହଳିରେ ନବୀନଙ୍କ ଲୋକପ୍ରିୟତା ରହିଛି। ବିଜେଡିର ନେତା, ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ରାଜରାସ୍ତାକୁ ଆସୁଥିଲେ ହେଁ ଏହାକୁ ଭୋଟର ଗ୍ରହଣ କରିବା ମୁଡରେ ନାହାନ୍ତି। ଏହାସହ ସବୁଠୁ ବଡ କଥା ହେଉଛି ନବୀନଙ୍କ ଲୋକପ୍ରିୟତାକୁ ଟକ୍କର ଦେବା ପାଇଁ ବିଜେପିରେ ସେଭଳି କେହି ଦକ୍ଷ ନେତା ନ ଥିବାରୁ ନବୀନ ସଫଳତାର ସିଡି ଚଢ଼ି ଚାଲିଛନ୍ତି। ଏହି ଧାରା ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ଆଲୋଚନା ହେଉଛି।

ଯଦି ଏହି ଧାରା ଆଗକୁ ଅବ୍ୟାହତ ରହେ, ତେବେ ବିଜେପି ଏକାକୀ ସରକାର ଗଢ଼ିବା କଷ୍ଟକର ହୋଇଯିବ। ଏଣୁ ନବୀନଙ୍କ ସହ ମେଣ୍ଟ କରିବା ପାଇଁ ବିଜେପି ନେତାମାନେ ପ୍ରସ୍ତାବ ମଧ୍ୟ ଦେଇପାରନ୍ତି। ଏହାସହ ନବୀନ ମଧ୍ୟ ବିଜେପିକୁ ଅଣଦେଖା କରୁନାହାନ୍ତି। ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ଅପ୍ରତ୍ୟାଶିତ ଭାବେ ସମର୍ଥନ ଦେବା, ବିମୁଦ୍ରୀକରଣ ଏବଂ ଜିଏସଟିକୁ ସମର୍ଥନ କରି ନବୀନ ତାଙ୍କ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ତେବେ ଏସବୁ ସତ୍ତ୍ୱେ ବିହାର ଭଳି ଓଡ଼ିଶାରେ ସେମିତି କିଛି ଘଟିବ ନାହିଁ ବୋଲି ବିଜେଡି ନେତାମାନେ ମନ୍ତବ୍ୟ ଦେଉଥିଲେ ହେଁ ଆଗକୁ କ’ଣ ଘଟୁଛି ତା’ ଉପରେ ନଜର ରହିଛି।

(ପ୍ରସ୍ତୁତି: ସରୋଜ)

1 COMMENT

  1. ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତା ବଜାୟ ରଖିବା କଥା ବିଜେଡି ପକ୍ଷରୁ ଯାହା କୁହାଯାଉଛି ତାହା ଏବେ ଆଉ କାମ ଦେବ ନାହିଁ କାରଣ କଂଗ୍ରେସ ଓଡ଼ିଶାରେ ତାର ଅସ୍ତିତ୍ବ ହଜାଇ ସାରିଥିବା ବେଳେ ବିଜେପି ଆଡକୁ ଢ଼ଳିବାକୁ ବିଜେଡି ବାଧ୍ୟ ଏଥି ପାଇଁ ଯେ ଏହା ହିଁ ବର୍ତ୍ତମାନର ରାଜନୀତି।

Comment