ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଖଣିମାଲିକଙ୍କ ଉପରେ ଖଣିଖନନ ସମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ରାୟ ପ୍ରକାଶ ପାଇବା ପରେ ଶିଳ୍ପ ପ୍ରତିଷ୍ଠାନମାନେ ଏବେ ଘୋର ଚିନ୍ତିତ ଅବସ୍ଥାରେ ଅଛନ୍ତି।

ସରକାର ଖଣିମାଲିକଙ୍କଠାରୁ ପ୍ରକୃତ ପରିମାଣରେ ଜୋରିମାନା କେତେ ଆଦାୟ କରିବେ, ତାହା ସ୍ଥିର ହେବା ଉପରେ। ହେଲେ ଏହା ୬୦ ହଜାର କୋଟି ଟଙ୍କା ନୁହେଁ ବରଂ ତା’ଠାରୁ ଢ଼େର କମ ଏହା ସ୍ପଷ୍ଟ। ଯଦି ବି ଏହା ୨୫ ହଜାର କୋଟି ଟଙ୍କା ହୁଏ, ଶିଳ୍ପ ସଂସ୍ଥା ଏହି ଜୋରିମାନା ଦେବେ କି ନା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜୋରିମାନା ଆଦାୟ ପରେ ଏହା ଦେଶର ଖଣି ବ୍ୟବସାୟ ଉପରେ ସାଂଘାତିକ ପ୍ରଭାବ ପକାଇବ ଏହି ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ଯେଉଁମାନେ ଲାଇସେନ୍ସ ପାଇଛନ୍ତି ସେମାନେ ଚିନ୍ତିତ ଅବସ୍ଥାରେ ଅଛନ୍ତି।

ସୁପ୍ରିମକୋର୍ଟ ତାଙ୍କର ୧୪୪ ପୃଷ୍ଠା ବ୍ୟାପି ରାୟରେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ପରିବେଶବିତମାନଙ୍କ ପାଇଁ ଆଶିର୍ବାଦ ଭଳି ହୋଇଛି ଏବଂ ସେମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି।ଏହି ନୂଆ ଅସ୍ତ୍ର ଜରିଆରେ ଓଡ଼ିଶା ବ୍ୟତୀତ ଗୋଆ ଆଦି ରାଜ୍ୟର ପରିବେଶବିତମାନେ ଖଣିମାଲିକମାନଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଚାହୁଁଛନ୍ତି। ଏମାନଙ୍କ ମଧ୍ୟରୁ କିଛି କୋର୍ଟ ଓ ଟ୍ରିବ୍ୟୁନାଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି।

ଓଡ଼ିଶା କ୍ଷେତ୍ରରେ ଏହି ରାୟ ଏକ ପ୍ରକାର ହଲଚଲ ସୃଷ୍ଟି କରିଛି।ଏହା ଅନ୍ୟ ରାଜ୍ୟର ଖଣିଖନନ କାର୍ଯ୍ୟ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ଶିଳ୍ପସଂସ୍ଥା ପକ୍ଷରୁ କୁହାଯାଇଛି। ବିଶେଷକରି ବିନା ପରିବେଶ ମଞ୍ଜୁରିରେ ଯେଉଁ କୋଇଲା ଖଣିଖନନ କାର୍ଯ୍ୟ ଚାଲିଆସିଛି ତାହା ପ୍ରଭାବିତ ହେବ।

ଭାରତୀୟ ଖଣି ମହାସଂଘର ସମ୍ପାଦକ ଆର କେ ଶର୍ମାଙ୍କ କହିବା ଅନୁଯାୟୀ ୧୯୯୪ ପରିବେଶ ପ୍ରଭାବ ଆଇନ ଅନୁଯାୟୀ ଯେଉଁମାନେ କାମ କରିଆସୁଛନ୍ତି ସେମାନେ ବ୍ୟବସାୟ କ୍ଷେତ୍ରରେ ତିଷ୍ଠିବେ କି ନା ସେହିପରି ଅନେକ ପ୍ରଶ୍ନ ଉଠିଥିବା ଆରମ୍ଭ ହୋଇଛି। କେନ୍ଦ୍ରସରକାରଙ୍କ ଖଣିସଚିବ ଅରୁଣ କୁମାର କହିଛନ୍ତି ଯେ ସୁପ୍ରିମକୋର୍ଟ ରାୟ ଉପରେ ଅନୁଧ୍ୟାନ ଚାଲିଛି।

ବିଶେଷଜ୍ଞମାନେ କହୁଛନ୍ତି ଏହି ରାୟ ପରେ ସମଗ୍ର ଦେଶରେ ଖଣିଖନନ ପ୍ରଭାବିତ ହେବ। ପରିବେଶ ମଞ୍ଜୁରିକୁ ନେଇ କୋର୍ଟ ଯେଉଁ କେତୋଟି ପ୍ରଶ୍ନ କରିଛନ୍ତି, ତାହା ପୂରଣ କରିବା କଷ୍ଟ। ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ହଜାର ହଜାର କମ୍ପାନି ଖଣି ଓ ପରିବେଶ ଆଇନର ଖିଲାପ କରିଛନ୍ତି ବୋଲି ଧରିନିଆଯିବ। ବିଶେଷକରି ୨୦୧୦ ପରେ ଯେଉଁମାନେ ଖଣି ଲିଜ୍ ପାଇଛନ୍ତି ସେମାନେ ବିବ୍ରତ ହୋଇ ପଡିଛନ୍ତି।

ଠିକ୍ ସେହିଭଳି ବେଆଇନ ଖଣିଖନନ କାହାକୁ କୁହାଯିବ ସେ ନେଇ କୋର୍ଟ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି ତାହା ଏକ ନୂଆ ସମସ୍ୟା ଛିଡ଼ା କରିଛି।

Comment