ଓଡ଼ିଶାଲାଇଭ୍ ବ୍ୟୁରୋ

ଲିଟରେଚର କାଉଚ୍ ମାମଲାରେ ଲେଖକ ହରପ୍ରସାଦ ଦାସଙ୍କ ମାନହାନି ମକଦ୍ଦମା ପରେ ଏବେ ସମ୍ପୃକ୍ତ ମହିଳାଙ୍କ ଏତଲା ଘଟଣାକୁ ନୂଆମୋଡ଼ ଦେଇଛି ।

ଏ ହେଲା ସୋସିଆଲ୍ ମିଡିଆ ମାମଲା। କଥା କଥାକେ ଝଡ଼। ଓଡ଼ିଆ ସାହିତ୍ୟକୁ ନେଇ ସୋସିଆଲ୍ ମିଡିଆରେ ଯେତିକି ଚର୍ଚ୍ଚା ତା’ଠୁଁ ଅଧିକ ଚର୍ଚ୍ଚା ଲିଟରେଚର କାଉଚ୍ ଅଭିଯୋଗକୁ ନେଇ। ଏଭଳି ଏକ ଅଭିଯୋଗରେ ଫସିଛନ୍ତି ଜଣାଶୁଣା ଲେଖକ ଓ ସ୍ତମ୍ଭକାର ତଥା କବି ହରପ୍ରସାଦ ଦାସ। ମାମଲା ଧୀରେ ଧୀରେ ଜଟିଳ ହେଉଛି।

କିଛିଦିନ ତଳେ ଲେଖକ ଡକ୍ଟର ବିମଳେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ କିଛି ସାହିତ୍ୟ-ସମର୍ଥକ ମହିଳା କମିଶନରେ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ବିଷୟବସ୍ତୁ ଥିଲା ଯେ ଲେଖକ ହରପ୍ରସାଦ ଦାସ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଜଣେ ଅଧ୍ୟାପିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏହି ମହିଳାଙ୍କ ସହ ଶ୍ରୀ ଦାସଙ୍କର କିଛି ମାସ ତଳେ ସୋସିଆଲ୍ ମିଡିଆରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଅଶାଳୀନ ଏବଂ ଅଶ୍ଳୀଳ ମ୍ୟାସେଜ୍ ଦେଉଥିଲେ ବୋଲି ଏଥିରେ ପ୍ରଶ୍ନ ଉଠାଯିବା ସହ ଲେଖକ ଶ୍ରୀ ଦାସଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଥିଲା।

ଏହାର ଉତ୍ତରରେ ହରପ୍ରସାଦ ଦାସ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଭଳି ଅଭିଯୋଗର କୌଣସି ଯୁକ୍ତି ନାହିଁ ବୋଲି କହିଥିଲେ। କେବଳ ସେତିକି ନୁହେଁ କିଛିଦିନ ମଧ୍ୟରେ ହରପ୍ରସାଦ ମହିଳା କମିଶନରେ ଅଭିଯୋଗ ଉଠାଇଥିବା ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାନହାନି ମକଦ୍ଦମା ଦାଏର କରିଥିଲେ। ସେତେବେଳେ କେହି କେହି ପ୍ରଶ୍ନ ଉଠାଇଥିଲେ ଯେ ଯଦି ଏଭଳି କୌଣସି ନିର୍ଯାତନାର ଘଟଣା ଘଟିଛି ତେବେ ସମ୍ପୃକ୍ତ ମହିଳା ଆଗକୁ ଆସିଲେ ନାହିଁ କାହିଁକି? ସେହିପରି କେଉଁ ପରିପ୍ରେକ୍ଷୀରେ ବିମଳେନ୍ଦୁ ବାବୁ ଓ ଅନ୍ୟମାନେ ତାଙ୍କ ପାଇଁ ଓକିଲାତି କରିବାକୁ ବାହାରିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।

ଏବେ ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ଭବନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ ସ୍ଥାନୀୟ ଥାନାରେ ହରପ୍ରସାଦଙ୍କ ନାଁରେ ଏତଲା ଦେଇଛନ୍ତି। ଏହି ଏତଲାରେ  ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ବିଭିନ୍ନ ପ୍ରକାର ଅରୁଚିକର ମେସେଜ୍ ଦେବା ସହ ବିଳମ୍ବିତ ରାତ୍ରିରେ ଭିଡ଼ିଓ କଲିଂ କରି ହରପ୍ରସାଦ ତାଙ୍କୁ ମାନସିକ ଭାବେ ଆଘାତ ଦେଇଛନ୍ତି।

ହରପ୍ରସାଦଙ୍କ ମାନହାନି ମାମଲା ପଛକୁ ଏବେ ସମ୍ପୃକ୍ତ ମହିଳାଙ୍କ ଏତଲା ଘଟଣାକୁ ଆହୁରି ଆଗକୁ ଟାଣିନେଇଛି। ଫଳରେ ମାମଲା ସୋସିଆଲ୍ ମିଡିଆରୁ ବାହାରି ଥାନା ଓ କୋର୍ଟକଚେରିରେ ପହଞ୍ଚିଯାଇଛି। ଏହା ମୋଟାମୋଟି ଭାବରେ ଡକ୍ଟର ପଟ୍ଟନାୟକଙ୍କ ଏତଲା ଏବେ ହରପ୍ରସାଦଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

Tags: Digital Media, Haraprasad, Haraprasad Das, Pallishree Patnaik, Sexual Harassment, Social Media

Comment