ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’
  • କୋଭିଡ୍‌ ସଙ୍କଟ ବେଳେ ‘ଜଳ, ପରିମଳ ଓ ପରିଚ୍ଛନ୍ନତା’ ଉପରେ ଗୁରୁତ୍ୱ
  • ୟୁନିସେଫ୍‌ ଓଡ଼ିଶାର ଜଳ, ପରିମଳ ଓ ପରିଚ୍ଛନ୍ନତା ବିଶେଷଜ୍ଞଙ୍କ ପରାମର୍ଶ
  • ପରିମଳ ସଫେଇ ଉପରେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ସୂଚନା
  • କୋଭିଡ୍‌ ସମୟରେ ନିରନ୍ତର ଜଳ ଯୋଗାଣ ଉପରେ ‘ୱାଟ୍‌କୋ’ର ଗୁରୁତ୍ୱ
  • କରୋନା ଯୋଦ୍ଧାଙ୍କ ଅଙ୍ଗେନିଭା କାହାଣୀ

ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼େଇ କରୁଛି। ଏହି ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ପ୍ରତିଷେଧକ ଟିକା ବାହାରି ନାହିଁ। କେବଳ ସଚେତନତା ଏବଂ ପରିଚ୍ଛନତା ହିଁ କରୋନା ମୁକାବିଲା ପାଇଁ ଅସ୍ତ୍ର ପାଲଟିଛି। କୋଭିଡ୍‌ ସଙ୍କଟ ବେଳେ ଜଳ, ପରିମଳ ଓ ପରିଚ୍ଛନ୍ନତାର କ’ଣ ଭୂମିକା ରହିଛି ଏବଂ ଏହା କେତେ ଜରୁରୀ ତାହା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ଏଥରର ପ୍ରସଙ୍ଗ।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ କରାଯାଉଛି।

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଜୁଲାଇ ୧୮, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ଅଷ୍ଟମ ଅଧ୍ୟାୟରେ କୋଭିଡ୍‌ ସମୟରେ ‘ଜଳ, ପରିମଳ ଏବଂ ପରିଚ୍ଛନ୍ନତା’ କେତେ ଜରୁରୀ ତାହା ସ୍ଥାନ ପାଇଛି।

ଚଳିତ ଅଧ୍ୟାୟରେ ୟୁନିସେଫ୍‌, ଓଡ଼ିଶାର ଜଳ, ପରିମଳ ଏବଂ ପରିଚ୍ଛନ୍ନତା ବିଶେଷଜ୍ଞ ସିପ୍ରା ସକ୍ସେନା, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ୱାଟ୍‌କୋ ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ସୂଚନା ସମେତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଅଙ୍ଗେନିଭା କାହାଣୀ ରହିଛି।

CGU newକରୋନା ସମୟରେ ଘର, ଆଖପାଖ ପରିବେଶ, ଅଫିସ୍‌, ସଙ୍ଗରୋଧକେନ୍ଦ୍ର ଏବଂ ଡାକ୍ତରଖାନାର ପରିଚ୍ଛନ୍ନତା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ଏ ଦିଗରେ ଲାଗିପଡ଼ିଛନ୍ତି। କରୋନା ଭୂତାଣୁକୁ ମାତ୍‌ ଦେବା ପାଇଁ ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା କେତେ ଜରୁରୀ ସେ ସମ୍ପର୍କରେ ୟୁନିସେଫ୍‌, ଓଡ଼ିଶାର ଜଳ, ପରିମଳ ଏବଂ ପରିଚ୍ଛନ୍ନତା ବିଶେଷଜ୍ଞ ସିପ୍ରା ସକ୍ସେନା ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।

‘‘କୋଭିଡ୍‌ ମୁକାବିଲା ପାଇଁ ଜଳ, ପରିମଳ ଏବଂ ପରିଚ୍ଛନ୍ନତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କରୋନା ମହାମାରୀଠୁ ରକ୍ଷା ପାଇବା ପାଇଁ ଏସବୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି। କେବଳ କରୋନା ସମୟରେ ନୁହେଁ, ପ୍ରତିଦିନ ଯଦି ଆମେ ସମସ୍ତେ ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଏବଂ ସଫାସୁତୁରା ରହିବା ତାହାଲେ ଆମେ ବହୁ ରୋଗକୁ ଦୂରେଇ ଦେଇପାରିବା। କରୋନା ସମୟରେ ଆମେ ନିଜକୁ ସଫାସୁତୁରା ରଖିବା ପାଇଁ ଆମ ଆଖପାଖ ପରିବେଶକୁ ମଧ୍ୟ ସଫା ରଖିବା ନିହାତି ଦରକାର’’, କହିଛନ୍ତି ସିପ୍ରା ସକ୍ସେନା।

କରୋନା ସମୟରେ ନିଜ ଶୌଚାଳୟକୁ ସ୍ୱଚ୍ଛ ରଖିବା ଦରକାର। ସରକାର ମଧ୍ୟ ଏଥିପ୍ରତି ସଚେତନ ଅଛନ୍ତି। ପ୍ରବାସୀମାନଙ୍କ ପାଇଁ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଜଳ, ପରିମଳ ଏବଂ ପରିଚ୍ଛନ୍ନତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ମିଳିବ ଏବଂ ଶୌଚାଳୟକୁ କିପରି ସଫାସୁତୁରା ରଖାଯିବ ସେ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ୟୁନିସେଫ୍‌ ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇଥିବା କହିଛନ୍ତି ସିପ୍ରା ସକ୍ସେନା।

କରୋନା ସମୟରେ ଲୋକଙ୍କୁ ନିରବଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଇ ଦେବା, ହାଟ ଓ ବଜାରରେ ଥିବା ସମୂହ ଶୌଚାଳୟକୁ ସଫା ରଖିବା, ପରିମଳ ସ୍ୱଚ୍ଛ ରଖିବା ସହ ଲୋକଙ୍କୁ ସଚେତନ କରିବା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ଚାଲେଞ୍ଜ ଥିଲା। ସରକାର ଏହାକୁ କେମିତି ପରିଚାଳନା କରି ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଥିଲେ ସେ ସମ୍ପର୍କରେ କହିଛନ୍ତି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ।

‘‘କରୋନା ବେଳେ ବିଭିନ୍ନ ସହରାଞ୍ଚଳର ପରିବେଶକୁ ସଫାସୁତୁରା ରଖିବା ପାଇଁ ଆମକୁ ନିର୍ଦ୍ଦେଶ ଦିଆଗଲା। ଏଣୁ ଆମ ବିଭାଗ ତରଫରୁ ଜନଗହଳିପୂର୍ଣ୍ଣ ସ୍ଥାନ ହାଟ, ବସ୍‌ ଷ୍ଟାଣ୍ଡ, ଡାକ୍ତରଖାନା ପରିସର ଆଦିକୁ ଦିନକୁ ଦୁଇଥର ସଫା କରିବାକୁ ପଦକ୍ଷେପ ନିଆଗଲା। ସଫେଇ କର୍ମଚାରୀମାନେ ମଧ୍ୟ ଏଥିପାଇଁ ଆଗେଇ ଆସିଥିଲେ। ୧୧୪ ପୌରାଞ୍ଚଳରେ ସଫେଇକୁ ଗୁରୁତ୍ୱ ଦିଆଯାଇଥିଲା। ଓ୍ୱାର୍ଡରେ ପରିମଳ ଦାୟିତ୍ୱର ତଦାରଖ କରିବା ପାଇଁ ୱାର୍ଡ କମିଟି ଗଠନ କରାଯାଇଥିଲା। ଏହାସହ କରୋନା ସଙ୍କଟ କାଳରେ ଗଳି ସଫେଇ ଅଭିଯାନ ମଧ୍ୟ ଆମେ ଆରମ୍ଭ କରିଥିଲୁ’’, କହିଛନ୍ତି ସଂଗ୍ରାମଜିତ୍‌ ନାୟକ।

କରୋନା ସମୟରେ ପ୍ରତି ଘର, ଡାକ୍ତରଖାନା, କ୍ୱାରେଣ୍ଟାଇନ୍‌ ସେଣ୍ଟର ଏବଂ କୋଭିଡ୍‌ ହସ୍ପିଟାଲକୁ ନିରନ୍ତର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏକ ବଡ଼ ଚାଲେଞ୍ଜ ଥିଲା। ହେଲେ ଓଡ଼ିଶା ଜଳ ନିଗମ (ୱାଟ୍‌କୋ) ଏହାକୁ କେମିତି ସଫଳତାର ସହ ପରିଚାଳନା କରିଥିଲା। ଖରାଦିନେ କରୋନା ମହାମାରୀ ତାଣ୍ଡବ ରଚିଥିବାରୁ ୱାଟ୍‌କୋ ୨୪ ଘଣ୍ଟିଆ ଜଳ ଯୋଗାଣକୁ କିପରି ସୁପରିଚାଳନା କରିଥିଲା ସେ ସମ୍ପର୍କରେ ସୂଚନା ଦେଇଛନ୍ତି ୱାଟ୍‌କୋ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସ୍ୱାଇଁ।

ସହରାଞ୍ଚଳରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ମିଶନ କରାଯାଇଛି। ଏହି ମିଶନ ଅଧୀନରେ ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ‘ଜଳସାଥୀ’ମାନେ। ନୂଆ ସଂଯୋଗ ଦେବାଠାରୁ ଆରମ୍ଭ କରି ବିଲ୍‌ ଆଦାୟ ଏବଂ ଜଳ ଯୋଗାଣରେ ଯାହା ସମସ୍ୟା ଅଛି ତାର ସମାଧାନ କରୁଛନ୍ତି ଏହି ଜଳସାଥୀ। ବିଶେଷକରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କରୋନା ସଙ୍କଟ କାଳରେ ଏହି ମହିଳାମାନେ କେମିତି ଘର ଘର ବୁଲି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ସେ ସମ୍ପର୍କରେ ନିଜ ଅନୁଭୂତି କହିଛନ୍ତି ମା’ ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଜଳସାଥୀ ସୁଜାତା ଦାସ।

‘‘କରୋନା କାଳରେ ଘର ଘର ବୁଲି ବିଲ୍‌ ଆଦାୟ କରିବା ବେଳେ ଆମକୁ ବହୁତ ଡର ଲାଗୁଥିଲା। ଲୋକମାନେ ବି ଆମ ପାଖକୁ ଆସିବାକୁ ଭୟ କରୁଥିଲେ। ହେଲେ ଆମେ କିନ୍ତୁ ସତର୍କତା ଅବଲମ୍ବନ କରୁଥିଲୁ। ମାସ୍କ ପିନ୍ଧିବା ସହ ବାରମ୍ବାର ସାନିଟାଇଜର ବ୍ୟବହାର କରୁଥିଲୁ। ଲୋକଙ୍କ ପାଖକୁ ଯିବା ବେଳେ ସାମାଜିକ ଦୂରତା ବି ରକ୍ଷା କରୁଥିଲୁ’’, କହିଛନ୍ତି ସୁଜାତା ଦାସ।

କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ବି କୋଭିଡ୍‌ ମହାମାରୀର ପ୍ରଭାବ ରହିଛି। ଗ୍ରାମାଞ୍ଚଳରେ କିପରି ପରିଚ୍ଛନ୍ନତା ରକ୍ଷା କରାଯିବ ଏବଂ ଲୋକଙ୍କୁ ବିଶୁଦ୍ଧ ପାଣି କେମିତି ମିଳିବ ସେଥିପାଇଁ ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ସରପଞ୍ଚମାନେ କାମ କରୁଛନ୍ତି। ଘର ଲୋକଙ୍କୁ ପଛରେ ଛାଡ଼ି କୋଭିଡ୍‌ ଯୁଦ୍ଧରେ ନିଜକୁ କେମିତି ସାମିଲ କରିଛନ୍ତି ସେ ସମ୍ପର୍କରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରାଧାଦେଈପୁର ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଆଶିଷ ରଞ୍ଜନ ଚୌଧୁରୀ ନିଜ ଅଙ୍ଗେନିଭା କାହାଣୀ ବର୍ଣ୍ଣନା କରିଛନ୍ତି।

ଆଉ ଜଣେ କରୋନା ଯୋଦ୍ଧା ହେଲେ କଟକର ସ୍ନିଗ୍ଧା ମହାନ୍ତି। କରୋନା ବେଳେ ଗୋଷ୍ଠୀ ଶୌଚାଳୟ କେମିତି ପରିଚାଳନା କରାଯାଉଛି ଏବଂ ଏହାର ବ୍ୟବହାର ସମ୍ପର୍କରେ ଲୋକଙ୍କୁ କିପରି ସଚେତନ କରାଯାଉଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ସେ।

କରୋନା ମହାମାରୀଠାରୁ ଦୂରେଇ ରହିବା ପାଇଁ ଜଳ, ପରିମଳ ଓ ପରିଚ୍ଛନ୍ନତାର ଗୋଟିଏ ବଡ଼ ଭୂମିକା ରହିଛି। କରୋନାକୁ ହରାଇବା ପାଇଁ ସମସ୍ତେ ଭଲଭାବେ ସାବୁନରେ ହାତ ଧୋଇବା ସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ନନ୍ଦିତା ଦାସ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେଉଛି।

Comment