ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’
  • ଏଥରର ପ୍ରସଙ୍ଗ: ‘କୋଭିଡ୍‌ ମୁକାବିଲାରେ କର୍ପୋରେଟ୍‌ ସେକ୍ଟରର ଭୂମିକା
  • ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇଲେ ବିଭିନ୍ନ ଉଦ୍ୟୋଗ
  • କରୋନା ମୁକାବିଲାରେ ଘରୋଇ ଉଦ୍ୟୋଗକୁ ୟୁନିସେଫ୍‌ର ସହଯୋଗ
  • କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠାରେ କର୍ପୋରେଟ୍‌ ସେକ୍ଟରର ସହଭାଗିତା

ସାରା ବିଶ୍ୱ ଏବେ କରୋନା ମହାମାରୀ କବଳରେ। ଗତ ସାଢ଼େ ୪ ମାସ ହେଲା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଚାଲିଛି। କରୋନା ମୁକାବିଲା ପାଇଁ ସମସ୍ତେ ଏକାଠି ହୋଇଛନ୍ତି। ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା, କର୍ପୋରେଟ୍‌ ସେକ୍ଟର ଏହି ମହାମାରୀକୁ ହରାଇବା ପାଇଁ ଏକାଠି ହୋଇଛନ୍ତି। ଓଡ଼ିଶାରେ କରୋନା ମୁକାବିଲାରେ ସାମିଲ ହୋଇଛନ୍ତି ଓଏମ୍‌ସି, ଏମ୍‌ସିଏଲ୍‌, ନାଲ୍‌କୋ, ଏନ୍‌ଟିପିସି, ପିପିଏଲ୍‌ ଭଳି ଅନେକ ଅନୁଷ୍ଠାନ।

ନିଜ ନିଜ କ୍ଷେତ୍ରରେ ରହି ଏମାନେ କରୋନା ମୁକାବିଲାରେ ଲାଗିପଡ଼ିଛନ୍ତି। ୟୁନିସେଫ୍‌ ମଧ୍ୟ ଏମାନଙ୍କୁ ସହାୟତାର ହାତ ବଢ଼ାଇଛି। କୋଭିଡ୍‌-୧୯ ମୁକାବିଲାରେ ଘରୋଇ ଉଦ୍ୟୋଗ ବା କର୍ପୋରେଟ୍‌ ଜଗତ କ’ଣ ଗୁରୁ ଦାୟିତ୍ୱ ତୁଲାଉଛି ତାହା ଏଥରର ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ କରାଯାଉଛି।

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଜୁଲାଇ ୨୬, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ନବମ ଅଧ୍ୟାୟରେ କୋଭିଡ୍‌ ସମୟରେ କର୍ପୋରେଟ୍‌ ସେକ୍ଟରର ଭୂମିକା ଉପରେ ଆଲୋଚନା କରାଯାଇଛି।

‘‘ଓଡ଼ିଶାରେ କୋଭିଡ୍‌-୧୯ ମୁକାବିଲାରେ ଘରୋଇ ଉଦ୍ୟୋଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସରକାରଙ୍କ ସହ ମିଶି ଓଡ଼ିଶାରେ କରୋନା ମୁକାବିଲା ପାଇଁ ବହୁତ କିଛି ପଦକ୍ଷେପ ନେଇଛନ୍ତି। ସାରା ବିଶ୍ୱ ସମେତ ଭାରତରେ ଥିବା ଘରୋଇ ଉଦ୍ୟୋଗଗୁଡ଼ିକୁ ୟୁନିସେଫ୍‌ କୋଭିଡ୍‌ ସଙ୍କଟ ବେଳେ ସହାୟତାର ହାତ ବଢ଼ାଇଛି। ଭାରତରେ ଫିକି ସହ ମିଶି ୟୁନିସେଫ୍‌ ଅସୁରକ୍ଷିତ ବର୍ଗ ଏବଂ ପିଲାମାନଙ୍କ ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଓଡ଼ିଶାରେ ବି ବିଭିନ୍ନ ଘରୋଇ ଉଦ୍ୟୋଗ ସହ ମିଶି ୟୁନିସେଫ୍‌ କରୋନା ମୁକାବିଲା କରିବାକୁ ଆଗ୍ରହୀ ଅଛି’’, କହିଛନ୍ତି ୟୁନିସେଫ୍‌, ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍‌।

କୋଭିଡ୍‌ ମୁକାବିଲା ପାଇଁ ଆବଶ୍ୟକ ସୁଦୃଢ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି। ଏହାର ଗୁରୁତ୍ୱକୁ ବୁଝି ରାଜ୍ୟ ସରକାର ବିଭିନ୍ନ ଘରୋଇ ଉଦ୍ୟୋଗ ସହାୟତାରେ ଓଡ଼ିଶାରେ ସ୍ଥାପନା କରିଥିଲେ କୋଭିଡ୍‌ ହସ୍ପିଟାଲ। କଟକ, ଭୁବନେଶ୍ୱର ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ହସ୍ପିଟାଲ ଏବଂ କୋଭିଡ୍‌ ହେଲ୍‌ଥ ସେଣ୍ଟର ଖୋଲିଥିଲା। ଏହି କୋଭିଡ୍‌ ହସ୍ପିଟାଲର ଅନୁଭୂତି ସମ୍ପର୍କରେ କହିଛନ୍ତି କିଟ୍‌ ଓ କିମ୍‌ସ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।

‘‘କିମ୍‌ସ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ଼ ବୋଲି କରୋନା ମହାମାରୀକୁ ଆମେ ମୁକାବିଲା କରିବାରେ ସମର୍ଥ ହେଉଛୁ। ବର୍ତ୍ତମାନସୁଦ୍ଧା କିମ୍‌ସ୍‌ ଭୁବନେଶ୍ୱରରୁ ଅଢ଼େଇ ହଜାର ଏବଂ ବାରିପଦା, ବଲାଙ୍ଗିର ଏବଂ ଫୁଲବାଣୀରେ ଥିବା ହସ୍ପିଟାଲରୁ ପ୍ରାୟ ଅଢ଼େଇ ହଜାର ରୋଗୀ ସୁସ୍ଥ ହୋଇଛନ୍ତି। ଏଥିପାଇଁ ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ଉଦ୍ୟମ ପ୍ରଶଂସନୀୟ’’, କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

କରୋନା ଲକ୍‌ଡାଉନ୍‌ ବେଳେ ଗରିବ ପରିବାର, ଶ୍ରମିକ ଶ୍ରେଣୀର ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ବହୁ ଘରୋଇ ଉଦ୍ୟୋଗ। ସେମାନଙ୍କ ଭିତରେ ଜେଏସ୍‌ପିଏଲ୍‌ ଅନ୍ୟତମ। କରୋନା ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ରନ୍ଧା ଖାଦ୍ୟ, ସାବୁନ୍‌, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଥିଲା ଜେଏସ୍‌ପିଏଲ୍‌। ଏ ସମ୍ପର୍କରେ ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ଅଧିକ ସୂଚନା ଦେଇଛନ୍ତି ଜେଏସ୍‌ପିଏଲ୍‌ର ସିଏସ୍‌ଆର୍‌ ଏବଂ ଏଜୁକେସନ ଗ୍ରୁପ୍‌ ମୁଖ୍ୟ ପ୍ରଶାନ୍ତ କୁମାର ହୋତା।

‘‘ଛତିଶଗଡ଼ରେ ୧୩୩ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଜେଏସ୍‌ପିଏଲ୍‌ ପକ୍ଷରୁ ଖୋଲାଯାଇଛି। ଆମର ଯେଉଁଠି ଶିଳ୍ପ ପ୍ରତିଷ୍ଠାନ ଅଛି ସେଠି ଆଇସୋଲେସନ ସେଣ୍ଟର ବି ଖୋଲାଯାଉଛି। ଯେଉଁଠି ଆମର ଶିଳ୍ପ ଅଛି ସେଠାକାର ଚାଷୀମାନଙ୍କୁ ମଧ୍ୟ ଆମେ ସହଯୋଗ କରୁଛୁ। ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟ କେମିତି ଠିକ୍‌ ସମୟରେ ବିକ୍ରି ହେବ ସେଥିପାଇଁ ଆମେ ବ୍ୟବସ୍ଥା କରିଛୁ’’, କହିଛନ୍ତି ପ୍ରଶାନ୍ତ କୁମାର ହୋତା।

କରୋନା ମୁକାବିଲାରେ ପାରାଦୀପ ଫସ୍‌ଫେଟ୍‌ସ୍‌ ଲିମିଟେଡ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। କରୋନା ମହାମାରୀ ବେଳେ ପିପିଏଲ୍‌ କେମିତି ଚାଷ କାର୍ଯ୍ୟ ପାଇଁ ସାର ଉତ୍ପାଦନ କରିବା ସହ ନିଜ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଥିଲା ସେ ସମ୍ପର୍କରେ କହିଛନ୍ତି ପିପିଏଲ୍‌ର ଜେନେରାଲ ମ୍ୟାନେଜର (ଏଚ୍‌ଆର୍‌) ଜଗନ୍ନାଥ ଖୁଣ୍ଟିଆ।

‘‘ଚାଷ କାର୍ଯ୍ୟ ପାଇଁ ସାର ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ। ଏଣୁ ଉତ୍ପାଦନ ବନ୍ଦ ନକରିବାକୁ ଆମକୁ ନିର୍ଦ୍ଦେଶ ରହିଥିଲା। ଏଣୁ ଆମେ ଲକ୍‌ଡାଉନ୍‌ ସମୟରେ ଉତ୍ପାଦନ ଜାରି ରଖିଥିଲୁ। କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ସଚେତନ ଥିଲୁ। ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ଆମେ ସମସ୍ତଙ୍କୁ ସଚେତନ କରିଥିଲୁ। ପ୍ରାୟ ୧୦୦ ଜଣ କର୍ମଚାରୀଙ୍କୁ ପିପିଏଲ୍‌ ସ୍କୁଲରେ ରଖିଥିଲୁ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲୁ’’, କହିଛନ୍ତି ଜଗନ୍ନାଥ ଖୁଣ୍ଟିଆ।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗ ଏବଂ ଘରୋଇ ଉଦ୍ୟୋଗମାନେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସିଏସ୍‌ଆର୍‌ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହେଉଛି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେଉଛି।

Comment