ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି
ଡିଜିଟାଲ୍ ମିଡିଆର ବଡ଼ ଆକର୍ଷଣ ହେଉଛି ଭିଡିଓ, ଆଉ ଭିଡିଓ କଥା ଉଠିଲେ ପ୍ରଥମେ ଆସୁଛି ୟୁଟ୍ୟୁବ୍ର ନାଁ। କେବଳ ମନୋରଞ୍ଜନ ନୁହେଁ ଭିଡିଓ ଜରିଆରେ ଖବର ଦେଖିବାକୁ ୟୁଟ୍ୟୁବ୍ରେ କେତେକ ଭିଡ଼ ତାହା ଭିଡୋଲି ପ୍ରସ୍ତୁତ କରିଥିବା ସର୍ବଭାରତୀୟ ରିପୋର୍ଟରୁ ଜଣାପଡ଼ୁଛି। ଜାଣନ୍ତୁ କ’ଣ ରହିଛି ଓଡ଼ିଶାରେ ଡିଜିଟାଲ୍ ମିଡିଆର ଚିତ୍ର।
ୟୁଟ୍ୟୁବ୍ ପ୍ଲାଟଫର୍ମରେ ଖବର ପରିବେଷଣ କରୁଥିବା ଓଡ଼ିଶାର ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରେ ‘ଡିଜିଟାଲ୍ ଓନ୍ଲି’ ନ୍ୟୁଜ୍ ଚ୍ୟାନେଲ୍ ବର୍ଗରେ ‘ଓଡ଼ିଶାଲାଇଭ୍’ ଏକ ନମ୍ବର ସ୍ଥାନରେ ରହିଛି। ଭିଡିଓ ଆନାଲିଟିକ୍ସ କ୍ଷେତ୍ରରେ କାମ କରୁଥିବା ଭିଡୋଲି କମ୍ପାନି ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ନିକଟରେ ଏହା ପ୍ରକାଶ ପାଇଛି।
ଓଡ଼ିଶାର ବିଭିନ୍ନ ଚ୍ୟାନେଲ୍ ୟୁଟ୍ୟୁବ୍ ମାଧ୍ୟମରେ ଭିଡିଓ ପରିବେଷଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ଖବର ପରିବେଷଣ କରୁଥିବା ତେରଟି ଚ୍ୟାନେଲ୍କୁ ଭିଡୋଲି ହିସାବକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ ‘ପାରମ୍ପରିକ ନ୍ୟୁଜ୍ ଚ୍ୟାନେଲ୍’ ବର୍ଗରେ କନକ ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ସର୍ବାଧିକ ଭିଉଜ୍ ହାସଲ କରିଛି। ସେହିପରି ‘ଡିଜିଟାଲ୍ ଓନ୍ଲି’ ବା କେବଳ ଡିଜିଟାଲ୍ ମିଡିଆ ପାଇଁ ଖବର ପ୍ରସ୍ତୁତ କରୁଥିବା ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକ ମଧ୍ୟରେ ଓଡ଼ିଶାଲାଇଭ୍ ସର୍ବାଧିକ ଭ୍ୟୁଜ୍ ପାଇ ଏକ ନମ୍ବର ସ୍ଥାନରେ ରହିଛି।
ଭିଡୋଲି ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏହି ଭିଡିଓ ଆନାଲିଟିକ୍ସ ପ୍ରସ୍ତୁତ କରାଯାଇଛି। ୨୦୧୯ ଜାନୁଆରିରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟକୁ ଏହି ରିପୋର୍ଟରେ ସାମିଲ୍ କରାଯାଇଛି। ଓଡ଼ିଶାର ସମୁଦାୟ ତେରଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏହି ସମୟ ମଧ୍ୟରେ ମୋଟ୍ ୧୩୪ କୋଟି ଭ୍ୟୁଜ୍ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ପାରମ୍ପରିକ ନ୍ୟୁଜ୍ ଚ୍ୟାନେଲ୍ ବର୍ଗରେ କନକ ନ୍ୟୁଜ୍, ଓଟିଭି, ନ୍ୟୁଜ୍ ୧୮ ଓଡ଼ିଆ, କଳିଙ୍ଗ ଟିଭି ଏବଂ ପ୍ରମେୟ ନ୍ୟୁଜ୍ ସେଭେନ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହିଛି।
ସେହିପରି ଡିଜିଟାଲ୍ ଓନ୍ଲି ବର୍ଗରେ ଓଡ଼ିଶାଲାଇଭ୍ ଆଗରେ ଥିବା ବେଳେ ତା’ ପଛକୁ ରହିଛନ୍ତି ଅର୍ଗସ୍ ଏବଂ ଏନ୍ଏନ୍ଏସ୍ ନ୍ୟୁଜ୍।
ଜାନୁଆରିରୁ ଅଗଷ୍ଟ ୮ ମାସ ମଧ୍ୟରେ କନକ ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ୪୫୨.୩୬ ନିୟୁତ ଭ୍ୟୁଜ୍ ହାସଲ କରିଛି। ତା’ର ଠିକ୍ ପଛକୁ ରହିଛି ଓଟିଭିର ୟୁଟ୍ୟୁବ୍ ଚ୍ୟାନେଲ୍। ଓଟିଭିର ମୋଟ୍ ଭ୍ୟୁଜ୍ ସଂଖ୍ୟା ୪୫୦.୮୭ ନିୟୁତ ବୋଲି ଭିଡୋଲି ଏହି ରିପୋର୍ଟରେ ପ୍ରକାଶ କରିଛନ୍ତି। ସେହିପରି ନ୍ୟୁଜ୍ ୧୮ ଓଡ଼ିଆର ମୋଟ୍ ଭ୍ୟୁଜ୍ ସଂଖ୍ୟା ୧୦୯.୩୭ ନିୟୁତ ରହିଛି।
ଡିଜିଟାଲ୍ ଓନ୍ଲି ନ୍ୟୁଜ୍ ଚ୍ୟାନେଲ୍ ବର୍ଗରେ ଓଡ଼ିଶାଲାଇଭ୍ ୪୨.୯୧ ନିୟୁତ ଭ୍ୟୁଜ୍ ହାସଲ କରିଛି।
ଓଡ଼ିଶାର ୟୁଟ୍ୟୁବ୍ରେ ପ୍ରସାରିତ ୧୩ଟି ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରେ ପାରମ୍ପରିକ ନ୍ୟୁଜ୍ ଚ୍ୟାନେଲ୍ ୯୩% ଦର୍ଶକୀୟତା ହାସଲ କରିଥିବା ବେଳେ ଡିଜିଟାଲ୍ ଓନ୍ଲି ଚ୍ୟାନେଲ୍ ଭାଗରେ ପ୍ରାୟ ୭% ଭ୍ୟୁଜ୍ର ପଡ଼ିଛି। ସେହିପରି ପ୍ରଥମ ତିନୋଟି ପାରମ୍ପରିକ ନ୍ୟୁଜ୍ ଚ୍ୟାନେଲ୍ ପ୍ରାୟ ୭୫% ଭ୍ୟୁଜ୍ ଗୋଟାଇ ନେଉଥିବା ଭିଡୋଲି ରିପୋର୍ଟରେ ଦର୍ଶାଯାଇଛି।
ଜାନୁଆରିରୁ ଅଗଷ୍ଟ ୮ ମାସ ସମୟ ଭିତରୁ ୟୁଟ୍ୟୁବ୍ରେ ଭିଡିଓ ପ୍ରସାରିତ କରୁଥିବା ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକ ମେ’ ମାସରେ ସର୍ବାଧିକ ଦର୍ଶକ ପାଇଛନ୍ତି। ଏହି ମାସରେ ଭ୍ୟୁଜ୍ ପରିମାଣ ମୋଟ୍ ଭ୍ୟୁଜ୍ର ୧୫% ଯାହାକି ମାସିକ ହିସାବରେ ଦେଖିଲେ ସର୍ବାଧିକ ବୋଲି ଜଣାପଡ଼ିଛି। ଏହାର ପଛର କାରଣ ହେଉଛି ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ।
ତା’ ପଛକୁ ଜୁଲାଇ ମାସରେ ଦର୍ଶକ ସଂଖ୍ୟା ୮ ମାସର ମୋଟ୍ ଦର୍ଶକର ୧୪.୭୬% ରେକର୍ଡ କରାଯାଇଛି। ଏହି ମାସରେ ରଥଯାତ୍ରା ପଡ଼ିଥିବାରୁ ଦେଶବିଦେଶର ବହୁ ଦର୍ଶକ ଓଡ଼ିଶାର ଏହିସବୁ ଡିଜିଟାଲ୍ ଚ୍ୟାନେଲ୍ରେ ସକ୍ରିୟ ଥିବା କୁହାଯାଇପାରେ।
ଭିଡୋଲି ପକ୍ଷରୁ ପ୍ରକାଶିତ ଏହି ସର୍ବଭାରତୀୟ ରିପୋର୍ଟରେ ବିଭିନ୍ନ ଭାଷାର ପ୍ରମୁଖ ୟୁଟ୍ୟୁବ୍ ଚ୍ୟାନେଲ୍କୁ ହିସାବକୁ ନିଆଯାଇଛି। ଏହି ରିପୋର୍ଟ ଅନୁଯାୟୀ ପ୍ରତିଦିନ ଭାରତରେ ୟୁଟ୍ୟୁବ୍ରେ ପରିବେଷିତ ବିଭିନ୍ନ ଭାଷାରେ ନ୍ୟୁଜ୍ ଚ୍ୟାନେଲ୍ର ଭ୍ୟୁଜ୍ ସଂଖ୍ୟା ୧୫୫ ନିୟୁତରୁ ଅଧିକ।
ସେହିପରି ଭାରତର ପ୍ରଥମ ୧୦ଟି ଲୋକପ୍ରିୟ ୟୁଟ୍ୟୁବ୍ ନ୍ୟୁଜ୍ ପ୍ଲାଟଫର୍ମର ସର୍ବମୋଟ୍ ଭ୍ୟୁଜ୍ ସେୟାର ହେଉଛି ୨୭.୯%। ସେଗୁଡ଼ିକ ମଧ୍ୟରେ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି ଇଣ୍ଡିଆ ଟୁଡେ ଗ୍ରୁପ୍ (୬୫୭ କୋଟି), ଏବିପି ନ୍ୟୁଜ୍ ନେଟ୍ୱାର୍କ (୪୩୭ କୋଟି) ଏବଂ ନେଟୱାର୍କ ୧୮ ଗ୍ରୁପ୍ (୨୫୦ କୋଟି)।
ଓଡ଼ିଶାଲାଇଭ୍ ସର୍ବାଧିକ ଭ୍ୟୁଜ୍ ପାଇ ଆଗରେ ରହିଥିବାରୁ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ସମସ୍ତ ଦର୍ଶକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।