କେଦାର ମିଶ୍ର

ମହାତ୍ମାଗାନ୍ଧିଙ୍କ ଓଡ଼ିଶା ସହ ସମ୍ପର୍କର ଅନୁସନ୍ଧାନ କଲାବେଳେ ଐତିହାସିକ ତଥ୍ୟ ତୁଳନାରେ ସାହିତ୍ୟ ଓ ପ୍ରଚାର ଗୀତରୁ ତାଙ୍କ ପ୍ରତି ଓଡିଆଙ୍କର ଭାବପ୍ରବଣ ସମ୍ପର୍କକୁ ବେଶ୍ ଆକଳନ କରିହେବ

ନାହମ୍ ତିଷ୍ଠାମି କଂଗ୍ରେସେ ନ ଚ ନେତୃଗଣାନ୍ତିକେ

ଅହିଂସା ସତ୍ୟ ତତ୍ତ୍ୱାନାମ୍ କର୍ମକ୍ଷେତ୍ରେ ବସାମ୍ୟହମ୍।

ଓଡ଼ିଶା ରାଜନୀତିରେ ଗାନ୍ଧିଙ୍କ ପ୍ରଭାବ ଓ ସାମାଜିକ ଜୀବନରେ ତାଙ୍କ ବ୍ୟକ୍ତିତ୍ୱର ପ୍ରତିଷ୍ଠା ବିଷୟରେ କେତୋଟି ଚମତ୍କାର ତଥ୍ୟ ଉପସ୍ଥାପନ କରିଛନ୍ତି ଆମ ସମୟର ଜଣେ ଗୁଣୀ ଐତିହାସିକ ତଥା ଗବେଷକ ଡକ୍ଟର କୈଳାସ ଚନ୍ଦ୍ର ଦାଶ। ଗାନ୍ଧି ଓଡ଼ିଆ କବିଙ୍କ କବିତାରେ କେଉଁଠି ଦେବତା, ପୁଣି କେଉଁଠି ନେତା। ତାଙ୍କ ପ୍ରଶଂସାରେ ମହାପୁରାଣ ବି ଲେଖାହୋଇଛି ଓଡ଼ିଆରେ। ଓଡ଼ିଆ ସଂସ୍କୃତ ପଣ୍ଡିତମାନେ ଲେଖିଛନ୍ତି ଗାନ୍ଧି ଗୀତା ଓ ଗାନ୍ଧି ଚରିତାମୃତ।

ଓଡ଼ିଶାରେ ଗାନ୍ଧିଙ୍କ ରହଣି ଖୁବ ବେଶୀ ଦିନର ନୁହଁ। ୧୯୨୧ରୁ ୧୯୪୬, ୨୫ ବର୍ଷ ଭିତରେ ଗାନ୍ଧି ସାତ ଥର ଓଡ଼ିଶାକୁ ଆସିଛନ୍ତି। ସାତ ଥର ଯାତ୍ରାରେ ତାଙ୍କର ସମୁଦାୟ ଓଡ଼ିଶା ରହଣି ଦିବସ ହେଉଛି ୬୯ ଦିନ। ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କଟକର କଦମ୍ ରସୁଲଠାରେ ଗାନ୍ଧି ପତ୍ନୀ କସ୍ତୁରବାଙ୍କ ସହ ଆସି ହିନ୍ଦୁ ମୁସଲମାନ୍ ଏକତା ସମ୍ପର୍କରେ ତାଙ୍କର ଭାଷଣ ରଖିଥିଲେ।

ପ୍ରଥମ ଯାତ୍ରାରେ ଗାନ୍ଧି କଟକ, ପୁରୀ, ଭଦ୍ରକ ଓ ବ୍ରହ୍ମପୁରଠାରେ ଭାଷଣ ଦେଇଥିଲେ। ତା’ପରେ ୧୯୨୫ ଡିସେମ୍ବର ମାସରେ ଓଡ଼ିଶା ଆସି ସେ ମଧୁସୁଦନ ଦାସଙ୍କ ଉତ୍କଳ ଟାନେରୀ ପରିଦର୍ଶନ କରିଥିଲେ। ୧୯୨୭ ଡିସେମ୍ବର ମାସରେ ପୁଣିଥରେ ମଧୁବାବୁଙ୍କ ଆତିଥ୍ୟ ସ୍ୱୀକାର କରିଥିଲେ  ।

୧୯୨୮ ମସିହାରେ ଝାରସୁଗୁଡ଼ା ଓ ସମ୍ବଲପୁରଠାରେ ସେ ଜନସଭାକୁ ଉଦବୋଧନ ଦେଇଥିଲେ। ୧୯୩୪ରେ ଓଡ଼ିଶାରେ ଗାନ୍ଧି ତାଙ୍କର ପଦଯାତ୍ରା ଆରମ୍ଭ କରିବା ସହିତ ପୁରୀ ବଡ଼ଦାଣ୍ଡରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ମାର୍ଚ୍ଚ ୮ ତାରିଖ ଦିନ ଉନ୍ମୋଚନ କରିଥିଲେ। ପୁଣି ୧୯୩୮ ଓ ୧୯୪୬ରେ ଗାନ୍ଧି ଓଡ଼ିଶା ଗସ୍ତ କରିଥିଲେ।

ଓଡ଼ିଶାର ଦାରିଦ୍ର୍ୟ ତାଙ୍କୁ ବିଚଳିତ କରିଥିଲା ଓ ରଚନାତ୍ମକ କାର୍ୟ୍ୟ ମାଧ୍ୟମରେ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିବ ବୋଲି ସେ ଚିନ୍ତା କରୁଥିଲେଜ୍ଝ ଖଦିକୁ ବିକାଶର ଏକ ବଳିଷ୍ଠ ମାଧ୍ୟମ ବୋଲି ସେ କହିଥିଲେ। ଏ ସମ୍ପର୍କରେ ହରିଜନ ଓ ୟଙ୍ଗ ଇଣ୍ଡିଆରେ ସେ ଅନେକ ଲେଖା ମଧ୍ୟ ଲେଖିଥିଲେ ।

ଗାନ୍ଧି ଓଡ଼ିଶା ଓ ଓଡ଼ିଆଙ୍କ ବିଷୟରେ ଯାହା ଭାବୁଥିଲେ ତାର ଐତିହାସିକ ମୂଲ୍ୟ ନିହାତି ରହିଛି। ତେବେ ଗାନ୍ଧିଙ୍କ ବିଷୟରେ ଓଡ଼ିଆଙ୍କ ଚିନ୍ତନ ଓ ସମ୍ମାନର ପୁର୍ଣ୍ଣାଙ୍ଗ ଆକଳନ ଆଜି ଯାଏ ହୋଇପାରିନାହିଁ। ଗାନ୍ଧିଙ୍କ ରଚନା ଓଡ଼ିଆ ଭାଷାକୁ ତିରିଶ ଦଶକରୁ ଅନୁବାଦ ହେବା ଆରମ୍ଭ କଲାଣି। ତା’ ସହିତ ଗାନ୍ଧିଦର୍ଶନ, ବିଚାର ଓ ତାଙ୍କ ସହ ଦେଖା ହେବାର ଅନୁଭବକୁ ନେଇ ମଧ୍ୟ ବହୁ ଲେଖା ପ୍ରକାଶିତ ହୋଇଛି। ୧୯୩୬ ମସିହାରେ ପଣ୍ଡିତ ନୀଳକଣ୍ଠ ରଥ ‘ଗାନ୍ଧି ମହାପୁରାଣ’ ନାମରେ ଏକ ଦୀର୍ଘ ଚରିତ କାବ୍ୟ ରଚନା କରିଥିଲେ। ପଣ୍ଡିତ ରଥ ଏହା ବ୍ୟତୀତ ଗାନ୍ଧି ପୁରାଣ, ଗାନ୍ଧି ସଂହିତା ଓ ଗାନ୍ଧି ଗୀତା ରଚନା କରିଥିବାର ଜଣାଯାଏ। ସେହିପରି ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ‘ଶ୍ରୀମଦ୍ ଗାନ୍ଧିଚରିତାମୃତମ୍’ ନାମରେ ଏକ ସଂସ୍କୃତ ଖଣ୍ଡକାବ୍ୟ ଲେଖିଥିଲେ।

ବାପୁଙ୍କ ଆତ୍ମଜୀବନୀ ‘ସତ୍ୟର ପ୍ରୟୋଗ’କୁ ଓଡ଼ିଆରେ ପ୍ରଥମେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ। ଏହା ପ୍ରଥମେ ଦୁଇ ଭାଗରେ ପ୍ରକାଶ ପାଇଥିଲା। ଗାନ୍ଧି ରଚନାକୁ ଓଡ଼ିଆରେ ଅନୁବାଦ କରିବାରେ ବିନୋଦ କାନୁନଗୋ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ। ତେବେ ଗାନ୍ଧି ଗୋଟେ ନିର୍ଦ୍ଦିଷ୍ଟ ବର୍ଗ ବା ରାଜନୈତିକ ଗୋଷ୍ଠୀର ପ୍ରିୟପାତ୍ର ନଥିଲେ। କେନ୍ଦ୍ରରେ ସାମ୍ୟବାଦୀମାନଙ୍କ ସହ ତାଙ୍କର ମତଭେଦ ଥିବା ବେଳେ ଓଡ଼ିଶାର ବହୁ ସାମ୍ୟବାଦୀ କବି ଗାନ୍ଧିଜୀଙ୍କ ସ୍ମୃତିରେ କବିତା ଲେଖିଛନ୍ତି। ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ ଓ ମୁରାରୀ ଜେନାଙ୍କ ପରି ବିପ୍ଲବୀ ଲେଖକ ଗାନ୍ଧିଜୀଙ୍କ ଜୀବନର ଜୟଗାନ କରିଛନ୍ତି।

ଚରିତ ଓ ସ୍ମୃତିଲେଖ ମାଧ୍ୟମରେ ଇତିହାସର ଅନେକ ତଥ୍ୟ ଲୋକଲୋଚନକୁ ଆସିଥାଏ। ଗାନ୍ଧିଚରିତକୁ ନେଇ ଲେଖାଯାଇଥିବା ଅନେକ ଓଡ଼ିଆ କବିତାରେ ଆମ ସମାଜ ଓ ରାଜନୀତିର ଚିତ୍ର ଖୋଜାଯାଇପାରିବ। ଗୋପବନ୍ଧୁ ଚୌଧୁରିଙ୍କ ‘ଚାଷୀ ମୁଲିଆ ଗାନ୍ଧି’, ବିନୋଦ କାନୁନଗୋଙ୍କ ‘ସୂତା ଖିଅକରେ ସ୍ୱରାଜ୍ୟ ଝୁଲୁଛି’, ବଲରାମ ମିଶ୍ରଙ୍କ ‘ବେପାରୀ ପୁଅ’- ଏମିତି କିଛି ବହି ଯାହାର ପ୍ରଚୁର ଐତିହାସିକ ମୂଲ୍ୟ ରହିଛି  ।

ତେବେ ଖାଲି ଯେ ଗାନ୍ଧିଜୀଙ୍କ ପ୍ରଶଂସାରେ ବହି ବାହାରିଛି ତା ନୁହଁ, ତାଙ୍କୁ ବିରୋଧ କରି କାଁ ଭାଁ ବହି ଓ ପ୍ରଚାର ପତ୍ର ମଧ୍ୟ ଓଡ଼ିଶାରେ ଓ ଓଡ଼ିଆ ଭାଷାରେ ବାହାରିଥିଲା। ପୁରୀର କେତେଜଣ ରକ୍ଷଣଶୀଳ ମହନ୍ତ ଏମିତି ଏକ ପ୍ରଚାରପତ୍ର ଛାପି ବାଣ୍ଟିଥିଲେ, ଯାହାକି ଲୋକଙ୍କ ଦ୍ୱାରା ଆଦୃତ ହୋଇ ନଥିଲା। ଓଡ଼ିଆଙ୍କ ଗାନ୍ଧି ପ୍ରୀତିର ନିଦର୍ଶନ ପ୍ରସ୍ତୁତ କରିବାକୁ ଯାଇ ପ୍ରଖ୍ୟାତ କବି ମାୟାଧର ମାନସିଂହ ଲେଖିଥିଲେ- “ସେ ଯେଉଁଆଡ଼େ ଯାଉଥିଲେ ସେଠି ମାଟିରେ ପଦ୍ମ ଫୁଟିଯାଉଥିଲା। ଜଡ଼ ଜୀବନ୍ତ ହେଉଥିଲା, ମୂକ କଥା କହୁଥିଲା। ତାଙ୍କର ମୃତ୍ୟୁରେ କେବଳ ଏ ଦେଶ ନୁହଁ ସମଗ୍ର ପୃଥିବୀର ମାଟି ପଥର ବି କାନ୍ଦିଛ।”

Tags: Gandhi in Odisha, Gandhi ji, Gandhi Sanhita, Madhusudan Das, Mahatma Gandhi, Mohandas Karamchand Gandhi, Satyara Proyog, Utkal Tannery

Comment