ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏକ ନିଚ୍ଛକ ଓଡ଼ିଆ କାହାଣୀ ମାଧ୍ୟମରେ ଦର୍ଶକ ଅନୁଭବ ମହାନ୍ତି ଓ ଏଲିନା ସାମନ୍ତରାୟଙ୍କ ଯୋଡ଼ିକୁ ଉପଭୋଗ କରିପାରିବେ ଆସନ୍ତା ଦୁର୍ଗାପୂଜା ଅବସରରେ।

ବିଦିଶା କ୍ରାଫ୍‌ଟ ଓ ଏ. ବି. ଫିଲ୍ମସ ବ୍ୟାନର ନିବେଦିତ ‘କାବୁଲା ବାରବୁଲା’ ଚଳଚ୍ଚିତ୍ରରେ ଅନୁଭବ ନିଜର ସିରିୟସ୍ ଲୁକ୍‌ ଛାଡ଼ି ଦର୍ଶକଙ୍କୁ ହସାଇବା ପାଇଁ ପ୍ରସ୍ତୁତ ହୋଇସାରିଲେଣି। ରଜ ଅବସରରେ ମୁକ୍ତିଲାଭ କରିଥିବା ‘ଅଭୟ’ ସିନେମାରେ ଦର୍ଶକ ଦୁହିଁଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ। ଏଥର କିନ୍ତୁ ଦୁହିଁଙ୍କ ଅନ୍-ସ୍କ୍ରିନ୍‌ କେମେଷ୍ଟ୍ରି ରହିଛି ଟିକେ ଅଲଗା।

‘‘ଅନୁଭବ ଜଣେ ଗରିବ ଘରର ପିଲା ଭୂମିକାରେ ଅଭିନୟ କରୁଛନ୍ତି। ଗାଉଁଲି ତଥା ମୁର୍ଖ ହୋଇଥିବାରୁ ତାଙ୍କର ଇଂରାଜୀ ଭାଷା ବିଷୟରେ କୌଣସି ଜ୍ଞାନ ନାହିଁ। ଏକ ସାଙ୍ଗ ମାଧ୍ୟମରେ ଫଟୋ ଡାଉନଲୋଡ୍ କରିବା ସମୟରେ ଅନୁଭବ ଏଲିନାଙ୍କ ପ୍ରେମରେ ପଡ଼ିଯା’ନ୍ତି। ସେ ଓଡ଼ିଆ ଝିଅ ହେଲେ ମଧ୍ୟ ବିଦେଶରେ ରହୁଥିବାରୁ ଅନୁଭବଙ୍କୁ ପ୍ରେମିକାର ପ୍ରେମ ହାସଲ କରିବାକୁ ବିଦେଶ ଯିବାକୁ ହୋଇଥାଏ। ପ୍ରଥମ ଥର ପାଇଁ ଉଡ଼ାଜାହାଜରେ ବସିବାଠାରୁ ନେଇ ବିଦେଶରେ ଖଣ୍ଡି ଇଂରାଜୀ କରିବା ପର୍ଯ୍ୟନ୍ତ ଯାତ୍ରା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବ’’, ଓଡ଼ିଶାଲାଇଭ୍‌ ସହ କଥା ହେବା ସମୟରେ କହିଛନ୍ତି ନିର୍ଦ୍ଦେଶକ ରମେଶ ରାଉତ।

ଅନେକ ଦିନ ପରେ ଦର୍ଶକମାନେ ଗାଁର ପ୍ରତିଛବି ସହ ମାଲୟେସିଆ ସିଙ୍ଗାପୁର ପରି ଜାଗାର ଭରପୂର ଆନନ୍ଦ ଉଠାଇପାରିବେ ବୋଲି ସେ ମତ ଦେଇଛନ୍ତି। ଏହି ରୋମାଣ୍ଟିକ୍ କମେଡି ସିନେମାର ସଂଗୀତ ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ।

ଏହି ସିନେମା ଜରିଆରେ ଓଡ଼ିଆ ଦର୍ଶକ ପ୍ରଥମ ଥର ପାଇଁ ତାଙ୍କର ଫାଇଟ୍ ଓ ଚେଜିଙ୍ଗ୍ ସିକ୍ୱେନ୍ସ ଦେଖିବାକୁ ପାଇବେ। ପ୍ରାୟ ୧୫ ଦିନର ସୁଟିଙ୍ଗ୍ ସେଡ୍ୟୁଲ୍‌ ବିଦେଶରେ ରଖାଯାଇଛି। ଏହା ଓଡ଼ିଆ ସିନେମାମାନଙ୍କ ମଧ୍ୟରେ ଅନ୍ୟ ଏକ ବ୍ୟୟବହୁଳ ସିନେମା ହେବ ବୋଲି ନିର୍ଦ୍ଦେଶକ ମତ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ହରିହର ମହାପାତ୍ର, ପପୁ ପମ୍‌ପମ୍‌ ମଧ୍ୟ ଏହି ସିନେମା ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିବେ।

‘କାବୁଲା ବାରବୁଲା’ ଆସନ୍ତା ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Tags: Kabula Barabula, Anubhab, Papu Pompom, Harihara Mohapatra, Ollywood, Odia Movie, Ellina

LEAVE A REPLY

Please enter your comment!
Please enter your name here