ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶା ଶିଳ୍ପ ସୁରକ୍ଷା ପାଇଁ ସିଆଇଏସଏଫ ଢାଞ୍ଚାରେ ନିୟୋଜିତ ହେବେ ଓଆଇଏସଏଫ୍‍ ଯବାନ

ଓଡ଼ିଶା ଶିଳ୍ପ ସୁରକ୍ଷା ବଳର (ଓଆଇଏସଏଫ୍‍) ପ୍ରଥମ ପାସିଙ୍ଗ୍‍ ଆଉଟ୍‌ ପ୍ୟାରେଡ୍‌ ସୋମ ବାର ଦିନ ଅନୁଷ୍ଠିତ ହୋ‍ଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନ୍‍ସ୍ଥିତ ପ୍ୟାରେଡ୍‌ ଗ୍ରାଉଣ୍ଡରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରିଥିଲେ।

ପ୍ରଥମ ପାସିଙ୍ଗ ଆଉଟ୍‌ ପ୍ୟାରେଡ୍‌ରେ ତାଲିମପ୍ରାପ୍ତ ୧୨୮୯ ଜଣ ଯବାନ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୦୬ ଜଣ ମହିଳା ପୋଲିସ୍‍ ଅଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ସଶସ୍ତ୍ର ପୋଲିସ୍‌ ବାହିନୀରେ ମହିଳାଙ୍କୁ ନିୟୋଜିତ କରାଯାଇଛି।

ଏହି ଯବାନମାନେ ନୟାଗଡ଼ ପିଟିଏସରେ ପ୍ରାଥମିକ ତାଲିମ୍‍ ଏବଂ ଅନୁଗୁଳରେ ପରବର୍ତ୍ତୀ ପର୍ଯ୍ୟାୟ ତାଲିମ୍‍ ନେଇଛନ୍ତି। ପ୍ରାୟ ଦେଢ ବର୍ଷର କଠିନ ତାଲିମ୍‌ ପରେ ପାସିଙ୍ଗ୍‍ ଆଉଟ୍‌ ଉତ୍ସବରେ ଯୋଗଦେଇ ସେମାନେ ବେଶ୍‍ ଖୁସି ମନେ କରୁଥିବା କେତେକ ଯବାନ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

ଓଡ଼ିଶା ଶିଳ୍ପ ସୁରକ୍ଷା ବଳର ପ୍ରଥମ ବ୍ୟାଚ୍‍ ପ୍ରସ୍ତୁତ ହେବା ନେଇ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ଆଗାମୀ ଦିନରେ ଓଆଇଏସଏଫ୍‍ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ଅବସରରେ ପୋଲିସ୍‍ ମହନିର୍ଦ୍ଦେଶକ କେ ବି ସିଂ କହିଥିଲେ ଯେ ବିଭିନ୍ନ ସରକାରୀ ଏବଂ ଘରୋ‍ଇ ଶିଳ୍ପ ଅନୁଷ୍ଠାନର ସୁରକ୍ଷା ପାଇଁ ଏହି ବାହିନୀର ଆବଶ୍ୟକତା ରହିଛି। ତେବେ ଆମ ପାଖରେ ଥିବା ସଂଖ୍ୟା ଅନୁଯାୟୀ ଏହି ଯବାନମାନଙ୍କୁ ମୁଖ୍ୟତଃ ଓଡ଼ିଶା ଖଣି ନିଗମ, ହୀରାକୁଦ ବନ୍ଧ, ଛତ୍ରପୁରସ୍ଥିତ ଭାରତୀୟ ବିରଳ ମୃତ୍ତିକା ଏବଂ ବିଭିନ୍ନ ବ୍ୟାଙ୍କରେ ନିୟୋଜିତ କରାଯିବ।

ଏହି ପାସିଙ୍ଗ ଆଉଟ୍‌ ପ୍ୟାରେଡ୍‌ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ୍‍ ମହାନିର୍ଦ୍ଦେଶକ (ସଶସ୍ତ୍ର ବାହିନୀ) ବି ରାଧିକା ଏବଂ  ଆଇଜି (ସଶସ୍ତ୍ର ବାହିନୀ) ସଂଜୀବ୍‍ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରେଷ୍ଠ କ୍ୟାଡେଟ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।

କେନ୍ଦ୍ରର ସିଆଇଏସଏଫ ଢାଞ୍ଚାରେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳର (ଓଆଇଏସଏଫ୍‍) ଗଢ଼ାଯାଇଛି। ଗତବର୍ଷ ଏପ୍ରିଲ୍‍ ୩୦ ତାରିଖରେ ଏହି ସ୍ୱତନ୍ତ୍ର ବାହିନୀର ପ୍ରତିଷ୍ଠା କରାଯାଇଥିଲା।

Tags: Naveen Patnaik, KB Singh, Chief Minister, OISF, B Radhika, Sanjeev Panda, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment