ଓଡ଼ିଶାଲାଇଭ୍‌ ବ୍ୟୁରୋ

”କିସ୍ ବିଶ୍ୱବିଦ୍ୟାଳୟ ଆମ ଦେଶର ଆଦର୍ଶ ଏବଂ ଓଡ଼ିଶାର ଗୌରବ। ୨୫ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି କିସ୍ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି। କିଟ୍ ପରି କିସ୍ ମଧ୍ୟ ଦିନେ ସୁନାମ ଅର୍ଜନ କରିବ। ଜନଜାତିଙ୍କ ପାଇଁ ଆମ ସରକାର ବହୁକିଛି ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଆହୁରି ନୂଆ କାର୍ଯ୍ୟକ୍ରମ ପ୍ରଣୟନ କରାଯିବ। ଯେଉଁମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ଏଥିପ୍ରତି ଆକୃଷ୍ଟ କର। ଗାଁ ଏବଂ ନିଜ ଅଞ୍ଚଳର ଉନ୍ନତିରେ ସାମିଲ ହୁଅ”, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ମୁଖ୍ୟମନ୍ତ୍ରୀ ଶନିବାର କିସ୍ ପରିଦର୍ଶନରେ ଯାଇଥିଲେ। ବିଭିନ୍ନ ବିଭାଗ ବୁଲିବା ସହ ଟାଟା ଷ୍ଟିଲ୍ ସହଯୋଗରେ ନିର୍ମିତ ମେଗା ଲାଇବ୍ରେରୀକୁ ଉଦଘାଟନ କରିଥିଲେ। ଏହାସହ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦଘାଟନ କରିଥିଲେ।
ଟାଟାଷ୍ଟିଲ ପକ୍ଷରୁ ନିର୍ମିତ ଲାଇବ୍ରେରୀରେ ୧୫୦ ଜଣ ବସିବା ଭଳି ସୁବିଧା ରହିଛି। ଏଥିପାଇଁ ୪.୪୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଟାଟା ପାଓ୍ବାର ତରଫରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
”ଅନସୂଚିତ ଜାତି ଓ ଜନଜାତି ବସବାସ କରୁଥିବା ଅଞ୍ଚଳରେ ଟାଟାର ପ୍ରକଳ୍ପ ରହିଛି। ଉକ୍ତ ଅଞ୍ଚଳର ବିକାଶ ଆମର ମୂଳ ଲକ୍ଷ୍ୟ”, ଏହା କହିଛନ୍ତି ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ ପୂର୍ବ ଏସିଆ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି.ଭି ନରେନ୍ଦ୍ରନ।
”ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ବିଶ୍ୱବିଦ୍ୟାଳୟ ମାନ୍ୟତା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ କିସ୍ ପରିଦର୍ଶନରେ ଆସିଥିବାରୁ ଆମେ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ”, ଏହା କହିଛନ୍ତି କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ।
ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଟାଟା ଷ୍ଟିଲ୍ କର୍ପୋରେଟ୍ ସର୍ଭିସ ବିଭାଗ ଭାଇସ ପ୍ରେସିଡେଣ୍ଟ  ଶ୍ରୀ ସୁନୀଲ ଭାସ୍କରନ୍, ଗୋପାଳପୁର ପ୍ରକଳ୍ପ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର, ଚିଫ୍ ରେସିଡେଣ୍ଟ ଏକଜିକୁ୍ୟଟିଭ୍ ଶ୍ରୀ ମଣିକାନ୍ତ ନାୟକ ଉପସ୍ଥିତ ଥିଲେ।

Tags: Naveen Patnaik, Chief Minister, KIIT, KISS, Dr. Achyuata Samanta, Manikanta Nayak, T V Narendran, TATA Steel, TATA, KIIT University, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment