ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଏମ୍‌ସରେ ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ମଙ୍ଗଳବାର ଆଇସିୟୁରୁ ବାହାରିଛନ୍ତି କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ। ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।
ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ବାଭାବିକ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଦେଢ଼ ମାସ ପରେ ହେବ ହେବ ବୋଲି ଏମ୍‌ସ ସୂତ୍ରରୁ ଜଣାପଡିଛି।
ଜଗା-କାଳିଆଙ୍କ ଯୋଡା ମୁଣ୍ଡକୁ ନେଇ ପରିବାର ବର୍ଗ ଚିନ୍ତାରେ ରହିଥିଲେ। କିପରି ମୁଣ୍ଡ ଅଲଗା କରାଯିବ ସେନେଇ ଭାଳେଣି ପଡିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତତ୍ପରତା ପ୍ରକାଶ ପାଇଥିଲା। ଅପରେସନ୍ ପାଇଁ ରାଜ୍ୟ ସରକାର ଉଭୟଙ୍କୁ ଏମ୍‌ସ ପଠାଇଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ୍ ପାଣ୍ଠିରୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ଉଭୟ ଜୁଲାଇ ୧୩ରେ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଥିଲେ।
ଅପରେସନ୍ ଲାଗି ୪୦ ଜଣିଆ ଡାକ୍ତରଙ୍କୁ ନେଇ ଏମ୍‌ସ କର୍ତ୍ତୃପକ୍ଷ ଏକ ଟିମ୍ ଗଠନ କରିଥିଲେ। ଜାପାନରୁ ମଧ୍ୟ ବିଶେଷଜ୍ଞ ଆସିଥିଲେ। ପ୍ରାୟ ୨୪ ଘଣ୍ଟାର ପ୍ରଥମ ପର୍ଯ୍ୟାୟ ଅପରେସନ୍ ପରେ ଜଗା-କାଳିଆ ଆଇସିୟୁରେ ରହିଥିଲେ।
କନ୍ଧମାଳ ଜିଲା ମିଳିପଡା ଗ୍ରାମର ଭୂଆଁ କହଁର ଏବଂ ପୁଷ୍ପାଞ୍ଜଳି କହଁରଙ୍କ ପୁଅ ହେଉଛନ୍ତି ଜଗା-କାଳିଆ। ଜନ୍ମରୁ ମୁଣ୍ଡ ଯୋଡି ହୋଇ ରହିଥିବାରୁ ଏହାକୁ ନେଇ ପରିବାରବର୍ଗ ଚିନ୍ତାରେ ରହିଥିଲେ।  ଏପଟେ ଉଭୟଙ୍କ ଆଶୁ ଅରୋଗ୍ୟ କାମନା କରି କନ୍ଧମାଳରେ ପୂଜାର୍ଚ୍ଚନା ଚାଲିଥିଲା।

Tags: AIIMS, Bhubaneswar News, Breaking News, Chief Minister, Jaga-Kalia, Latest News, Naveen Patnaik, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment