ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାରେ ଶୁକ୍ରବାର ୬ ଜଣଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଯୁବକମାନେ ହେଲେ ଶରତ ମହାରଣା, ଶରତ ଜେନା, ଶାନ୍ତନୁ ମଲ୍ଲିକ, ରାଜେଶ ସାହୁ, ସନ୍ତୋଷ ଜେନା, ଶଙ୍କର୍ଷଣ ମଲ୍ଲିକ। ମେ ମାସ ୩୦ ତାରିଖରେ ଶ୍ରୀ ପଣ୍ଡା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଜାତିପୋରିଲୋ ଗ୍ରାମରେ ସାଂସଦ ପାଣ୍ଠିରୁ ନିର୍ମିତ ଓଭର ହେଡ୍ ପାଣିଟାଙ୍କି ଉଦ୍‌ଘାଟନ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରକୁ ଅଣ୍ଡା ଓ ଢେଲାମାଡ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଯାଇଥିଲା।
ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗ ଆଧାରରେ ମାହାଙ୍ଗା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ହେଲେ ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିବାକୁ ସମର୍ଥ ହୋଇ ନ ଥିଲା।
୧୧ ତାରିଖରେ ନେତା, ମନ୍ତ୍ରୀଙ୍କ ଉପରେ ହୋଇଥିବା ଅଣ୍ଡାମାଡ଼କୁ ନେଇ ବିଜେପି ବିଧାୟକ ଦିଲ୍ଲୀପ ରାୟ ବିଧାନସଭାରେ ପ୍ରଶ୍ନ କରିଥିଲେ। ୧୫ଟି ଅଣ୍ଡା ମାଡ଼ ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୯ ଜଣଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଦେଇଥିଲେ। ତେବେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ହୋଇଥିବା ଅଣ୍ଡାମାଡ଼ ଘଟଣାରେ କେହି ଗିରଫ ହୋଇ ନ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ଦେବା ପରେ ବୈଜୟନ୍ତ ଟ୍ୱିଟ କରି ଅସନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତାଙ୍କୁ ଅଣ୍ଡା ମାଡ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁଛି। ହେଲେ ତାଙ୍କ ଉପରେ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ପୋଲିସ ଆଦୌ ପଦକ୍ଷେପ ଗ୍ରହଣ କରୁନି।
ଏହି ଟ୍ବିଟକୁ ନେଇ ରାଜନୀତି କରିଡରରେ ବୟାନବାଜି ଆରମ୍ଭ ହେବାକୁ ଯାଉଥିବା ବେଳେ ପୋଲିସ ଶୁକ୍ରବାର ୬ ଜଣଙ୍କୁ ଗିରଫ କରିଛି। ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।
କେଉଁ ନେତାଙ୍କୁ ହୋଇଥିଲା ଅଣ୍ଡାମାଡ଼
୨୦୧୫ ଫେବୃଆରୀ ୧୯ରେ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏଥିରେ ୧୮ ଜଣଙ୍କୁ ପୋଲିସ ଗିରଫ କରିଥିଲା। ନୂଆପଡା ଗସ୍ତରେ ଯାଇଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏଥିରେ ୩ ଜଣ ଗିରଫ ହୋଇଥିଲେ।୨୦୧୬ ଜାନୁଆରୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ଅଣ୍ଡା ମାଡ଼ର ଶିକାର ହୋଇଥିଲେ। ଏହି ଦୁଇ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା। ସଞ୍ଜୟ ଦାସବର୍ମା ଏବଂ ଅତନୁସବ୍ୟସାଚୀ ନାୟକ ପୁଣି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଅଣ୍ଡା ମାଡ଼ର ଶିକାର ହୋଇଥିଲେ।
ସେହିପରି ସୁନ୍ଦରଗଡରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କୁଜଙ୍ଗରେ ଡାକ୍ତର ଦାମୋଦର ରାଉତ, ପାଟଣାଗଡରେ ସ୍ନେହାଙ୍ଗିନୀ ଛୁରିଆ ବି ଅଣ୍ଡାମାଡ଼ରୁ ବାଦ୍ ପଡି ନ ଥିଲେ।
ବରଗଡ଼ରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏଥିରେ ୧୬ ଜଣଙ୍କୁ ଗିରଫ କରାଯାଇଥିଲା। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଗାଡି ଉପରକୁ ହୋଇଥିବା ଅଣ୍ଡା ମାଡ଼ରେ ୩ ଜଣ ଗିରଫ ହୋଇଥିଲେ। କେନ୍ଦ୍ରାପଡା ଜିଲ୍ଲା ଆଳିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଉପରକୁ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ୧୩ ଜଣ ଗିରଫ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂହଙ୍କ ଉପରକୁ ହୋଇଥିବା ଅଣ୍ଡାମାଡ଼ରେ ୫ ଜଣ ଗିରଫ ହୋଇଥିଲେ।

Tags: Odisha News, Odisha Hot News, Odisha, Bhubaneswar News, Big News, Kendrapara MP, Cuttack, Naveen Patnaik, Egg Hurld, Odisha Assembly, Central Minister, Odisha Minister, Chief Minister, Odisha MLA, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

 

 

 

Comment