ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଆଇଏଡିଏମକେର ପ୍ରାଣ ପ୍ରତିଷ୍ଠାତା ଓ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ହେବ। ଖବର ଅନୁସାରେ ଏହି ତଦନ୍ତ କରିବେ ଅବସରପ୍ରାପ୍ତ ଜଷ୍ଟିସ ଅରୁମୁଘସ୍ୱାମୀ।
ସୂଚନା ଦିଆଯାଇପାରେ ଯେ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ୱାମୀ ଜୟଲଳିତାଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ  ହେବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ଏହି ଘୋଷଣା ବେଳେ ସେ କହିଥିଲେ ଯେ ଦଳର ମହାନନେତ୍ରୀଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ପାଇଁ ଏକ କମିଶନ ଗଠନ କରାଯିବ। କମିଶନର ଅଧ୍ୟକ୍ଷତା କିଏ କରିବେ ସେତେବେଳେ ତାହା ଘୋଷଣା ହୋଇନଥିଲା। କେଉଁ ପରିସ୍ଥିତିରେ ଜୟଲଳିତାଙ୍କର ମୃତ୍ୟୁ ହେଲା ତାହା ବର୍ତ୍ତମାନ ଏହି କମିଶନ ତଦନ୍ତ କରିବ।
ଜୟଲଳିତା ଦୀର୍ଘ ୧୪ ବର୍ଷ ଧରି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଥିଲେ। ଲଗାତର ୬ ଥର ସେ ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନେଇଥିଲେ। ତାମିଲନାଡ଼ୁ ରାଜନୀତିରେ ଜୟଲଳିତାଙ୍କ ଖୁବ୍ ଦବଦବା ଥିଲା। ଖାଲି ସେତିକି ନୁହେଁ ତାମିଲନାଡ଼ୁର ଲୋକେ ତାଙ୍କୁ ଭଗବାନ ପରି ପୂଜା କରୁଥିଲେ। ଦୀର୍ଘ ସମୟ ଧରି ଅସୁସ୍ଥ ରହିବା ପରେ ଗତବର୍ଷ ସେପ୍ଟେମ୍ବର ୫ ତାରିଖରେ ତାଙ୍କର ନିଧନ ହୋଇଯାଇଥିଲା। ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଓ ଅସନ୍ତୁଷ୍ଟ ନେତା ଓ ପନିର ସେଲଭମ୍ ମଧ୍ୟ ଲୋକଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ସରକାର ଏକ ତଦନ୍ତ କମିଶନ ଗଠନ କରନ୍ତୁ ବୋଲି ଚାପ ପକାଇ ଆସୁଥିଲେ।

Comment