ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିସଂଘ ଭଳି ବିଶ୍ୱର ସବୁଠୁ ଗରିମାଯୁକ୍ତ ସଭାରେ ଭାରତକୁ ବଦନାମ କରିବା ପାଇଁ ଏକ ମିଛ ଫଟୋର ସହାୟତା ନେଇଥିଲା, ଯାହା ପାକିସ୍ତାନର ଅସଲ ଚେହେରାକୁ ସାରା ଦୁନିଆ ଆଗ​‌ରେ ଖୋଲିଦେଇଛି।

ଚୋର ମୁହଁ ଟାଣ ନୀତିରେ ଜାତିସଂଘର ସାଧାରଣ ସଭାରେ ଭାରତ ବିରୋଧରେ ବର୍ଷିଥିଲା ପାକିସ୍ତାନ। କେବଳ ସେତିକି ନୁହେଁ, ମୁହଁ ଉପରେ ରକ୍ତ ଛିଟା ପଡିଥିବା ପାଲେଷ୍ଟାଇନର ଜଣେ ଝିଅର ଫଟୋ ଦେଖାଇ ଜାତିସଂଘରେ କାଶ୍ମୀର ଝିଅଙ୍କ ଉପରେ ହେଉଥିବା ନିର୍ଯାତନାର କାହାଣୀ କହିଥିଲା ପାକିସ୍ତାନ। ତେବେ ପରେ ଏହି ମିଛ ଧରାପଡିଥିବାରୁ ଅପଦସ୍ତ ହୋଇଛି ଏହି ରାଷ୍ଟ୍ର।
ଭାରତ କହିଛି, ମିଛ ଫଟୋ ଦେଖାଇ ପାକିସ୍ତାନ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଚାହୁଁଛି। ହେଲେ ସମସ୍ତେ ଜାଣନ୍ତି, ବିଶ୍ୱ ଆତଙ୍କବାଦର ଏନ୍ତୁଡିଶାଳା ହେଉଛି ପାକିସ୍ତାନ।
ଭାରତର ଜାତିସଂଘ ମିଶନର ପ୍ରଥମ ସଚିବ ପୌଲୁମୀ ତ୍ରିପାଠୀ ଜାତିସଂଘରେ ଦୁଇଟି ଫଟୋ ଦେଖାଇଛନ୍ତି। ଜାତିସଂଘରେ ପାକିସ୍ତାନର ଅବସ୍ଥାପିତ ସ୍ଥାୟୀ ପ୍ରତିନିଧି ମଲୀହା ଲୋଧି ଦେଖାଇଥିବା ମିଛ ଫଟୋ ଏବଂ ପାକିସ୍ତାନ ପ୍ରୋତ୍ସାହନରେ ଆତଙ୍କବାଦୀ ହତ୍ୟା କରିଥିବା କାଶ୍ମୀରର ଯୁବ ସେନା ଅଧିକାରୀ ଲେଫନାଣ୍ଟ ଉମର ଫୈୟାଜଙ୍କ ମୃତଦେହର ଫଟୋ ଦେଖାଇଛନ୍ତି ପୌଲୁମୀ ତ୍ରିପାଠୀ।
ଦୁଇଟି ଫଟୋର ତୁଳନାତ୍ମକ ଚିତ୍ର ଦେଇଛନ୍ତି ପୌଲୁମୀ ତ୍ରିପାଠୀ।
ସହିଦ ଫୈୟାଜଙ୍କ ମୃତଦେହ ନିକଟରେ ଆତ୍ମୀୟ ସ୍ୱଜନ କିପରି ବିଳାପ କରୁଛନ୍ତି ଏହି ଫଟୋରେ ଦର୍ଶାଯାଇଛି। ପୌଲୁମୀ ତ୍ରିପାଠୀ କହିଛନ୍ତି, ଏହି ଫଟୋଗ୍ରାଫ ବୟାନ କରୁଛି କିପରି ପାକିସ୍ତାନୀ ଆତଙ୍କବାଦୀ ଭାରତରେ ତାଣ୍ଡବ ରଚୁଛନ୍ତି।
ଶନିବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନକୁ ଜାତିସଂଘରେ ଭର୍ତ୍ସନା କରି କହିଥିଲେ “ପାକିସ୍ତାନରେ ରହିଛି ଆତଙ୍କବାଦୀଙ୍କ ଫ୍ୟାକ୍ଟେରୀ।” ସେ କହିଥିଲେ, “ଆମେ ଆଇଆଇଏମ, ଆଇଆଇଟି, ଏମ୍ସ ଭଳି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଗଢି ଡାକ୍ତର, ଇଂଜିନିୟର ଓ ଆଇଟି ପ୍ରଫେସନାଲ ତିଆରି କରୁଛୁ। ପାକିସ୍ତାନ ହକାନି, ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ଭଳି ସଂଗଠନ ଗଢି ଆତଙ୍କବାଦୀ ଓ ଜେହାଦୀ ତିଆରି କରୁଛି। ଆମେ ଗରିବୀ ସହ ଲଢେଇ କରୁଛୁ, ପାକିସ୍ତାନ ଆମ ସହ ସବୁବେଳେ ଲଢେଇ କରିଆସୁଛି।”
ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ୍ ଆବ୍ବାସି କାଶ୍ମୀରରେ ମାନବାଧିକାର ଉଲଂଘନ ହେଉଥିବା ଅଭିଯୋଗ କରିବା ପରେ ଭାରତ ଏହାର କଡ଼ା ଜବାବ ଦେଇଥିଲା। ପାକିସ୍ତାନକୁ ଟେରରିସ୍ତାନ କହିଥିଲେ ଭାରତର କୁଟନୈତିଜ୍ଞ ଇନମ୍ ଗାମ୍ଭୀର। ଏହା ପରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ସ୍ୱର୍ଗ କହି ଆହୁରି କଡ଼ା ସମାଲୋଚନା କରିଥିଲେ ସୁଷମା ସ୍ୱରାଜ।
ସେପଟେ ସୁଷମା ସ୍ୱରାଜଙ୍କ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲୀହା ଲୋଧି ଏକ ମିଛ ଫଟୋର ସାହାରା ନେଇଥିଲେ। କାଶ୍ମୀରରେ ପେଲେଟ୍ ମାଡ଼ରେ କିପରି ଯୁବକମାନେ ବିକଳାଙ୍ଗ ହେଉଛନ୍ତି ଏବଂ ସେମାନେ ଦୃଷ୍ଟିଶକ୍ତି ହରାଉଛନ୍ତି, ଏହାକୁ ଦର୍ଶାଇବାକୁ ଯାଇ ମଲୀହା ଲୋଧି ଜାତିସଂଘରେ ରକ୍ତ ଛିଟା ଲାଗିଥିବା ଜଣେ ଝିଅର ଫଟୋ ଦେଖାଇଥିଲେ। ସେ କହିଥିଲେ, କାଶ୍ମୀରରେ କିପରି ମାନବାଧିକାର ଉଲଙ୍ଘନ କରାଯାଉଛି, ଏହି ଫଟୋ ହିଁ ବୟାନ କରୁଛି।

ତେବେ ଲୋଧିଙ୍କ ସେହି ମିଛ ଫଟୋର ସତ ପଦାକୁ ଆସିଛି। ଏହି ଫଟୋ କାଶ୍ମୀରର ନୁହେଁ ପାଲେଷ୍ଟାଇନର ଜଣେ ଝିଅର। ମାର୍ଚ୍ଚ ୨୦୧୫ରେ ‘ଦି ନ୍ୟୁୟର୍କ ଟାଇମ୍ସ’ରେ ଏହି ଫଟୋ ପ୍ରକାଶିତ ହୋଇଥିଲା। ଫଟୋ କ୍ୟାପସନରେ ଲେଖାଯାଇଥିଲା “Conflict, Courage and Healing in Gaza,”

କାଶ୍ମୀରର ଯୁବ ସେନା ଅଧିକାରୀ ଲେଫନାଣ୍ଟ ଉମର ଫୈୟାଜଙ୍କ ମୃତଦେହର ଫଟୋ ଦେଖାଇ ପୌଲୁମୀ ତ୍ରିପାଠୀ କହିଛନ୍ତି, “ଏହା ହେଉଛି କାଶ୍ମୀରର ଅସଲ ଚିତ୍ର। ମିଛ ଚିତ୍ର ଦେଖାଇ ପାକିସ୍ତାନ ବିଶ୍ୱନେତାଙ୍କୁ ଭ୍ରମିତ କରିବାକୁ ଚାହୁଁଛି।”
ମିଛ ଫଟୋକୁ ନେଇ ପାକିସ୍ତାନ ନିନ୍ଦିତ ହୋଇଛି ବିଶ୍ୱ ଦରବାରରେ।

LEAVE A REPLY

Please enter your comment!
Please enter your name here