ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ମୋଦି ସରକାରଙ୍କ ଆର୍ଥିକ ନୀତି ଉପରେ ଖୁବ୍ ବର୍ଷିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ଲେଖିଥିବା ଏକ ଲେଖାରେ ସେ ବର୍ତ୍ତମାନର ଆର୍ଥିକ ସ୍ଥିତି ଉପରେ କେତୋଟି ମୌଳିକ ପ୍ରଶ୍ନ ଉଠାଇବା ସହିତ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ କଠିନ ଆର୍ଥିକ  ଅବସ୍ଥାରୁ ସହଜରେ ମୁକୁଳି ହୋଇପାରିଥାନ୍ତା। କିନ୍ତୁ ଜେଟଲିଙ୍କ କାନ୍ଧ ଉପରେ ଏତେ ବୋଝ ଦେଇ ଦିଆଯାଇଛି ଯେ ତାଙ୍କ ପାଖରୁ ବେଶି କିଛି ଆଶା କରିବା ଅମଣିଷପଣିଆ ହେବ।
ସିହ୍ନା ମୁଖ୍ୟତଃ ଏହି ୧୦ଟି ବିଷୟକୁ ଭିତ୍ତିକରି ମୋଦିଙ୍କ ଅର୍ଥନୀତିକୁ ସମାଲୋଚନା କରିଛନ୍ତି। ମୋଦି ଅର୍ଥନୀତିକୁ ଅଳିଆ ଗଦାରେ ଫିଙ୍ଗିଦେବା ଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ ତାଙ୍କ ଲେଖାରେ ଟିପ୍ପଣୀ କରିଛନ୍ତି।
ସିହ୍ନାଙ୍କ ଦଶମୂଳାରିଷ୍ଟ
୧. ୧୯୯୮ରେ ଯଶବନ୍ତ ସିହ୍ନା ଓ ପ୍ରମୋଦ ମହାଜନ ନିର୍ବାଚନ ହାରିଯାଇଥିବାରୁ ସେମାନଙ୍କୁ ଅଟଳବିହାରୀ ବାଜପେୟୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନଥିଲା। କିନ୍ତୁ ୨୦୧୪ରୁ  ଅରୁଣ ଜେଟଲି ଅମୃତସର ଲୋକସଭା ଆସନରୁ ହାରିଗଲା ପରେ ବି ତାଙ୍କୁ ଅର୍ଥମନ୍ତ୍ରୀ କରାଗଲା।
୨. ଜେଟଲି ଭାରତର ଉଦାରବାଦୀ ଅର୍ଥନୀତିର ସବୁଠାରୁ ଭାଗ୍ୟଶାଳୀ ଅର୍ଥମନ୍ତ୍ରୀ। ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳର ଦାମ ବ୍ୟାପକ ଭାବରେ ହ୍ରାସ ପାଇଥିବା କାରଣରୁ ଜେଟଲିଙ୍କ ପାଖରେ ଲକ୍ଷ ଲକ୍ଷ କୋଟି ଟଙ୍କା ମହଜୁଦ ରହିପାରିଲା ହେଲେ ଏହାର ସଦୁପଯୋଗ ହୋଇପାରିଲାନାହିଁ। ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଅଟକି ପଡ଼ିଥିବା ପ୍ରକଳ୍ପ ଓ ବ୍ୟାଙ୍କର ଖରାପ ଋଣ (ବ୍ୟାଡ୍ ଡେବ୍ଟ) ବା ଏନପିଏକୁ ସୁଧାରି ହୋଇପାରିଥାନ୍ତା।
୩. ବର୍ତ୍ତମାନର ଭାରତର ଅର୍ଥବ୍ୟବସ୍ଥା ଉପରେ ଯଦି ଆଖି ପକାଯାଏ ତେବେ ଘରୋଇ ପୁଞ୍ଜିନିବେଶ ସବୁଠାରୁ କମ୍‌ ହୋଇଛି ଓ ବିଗତ ୨୦ ବର୍ଷ ଧରି ଏହା ଏଭଳି ସ୍ଥିତିରେ କେବେ ପହଞ୍ଚିନଥିଲା। ଗୋଟିଏ ପଟେ ଶିଳ୍ପ ଉତ୍ପାଦନ ଧ୍ୱଂସ ହୋଇ ପଡିଥିବା ବେଳେ କୃଷିକ୍ଷେତ୍ର ଉପରେ ସଙ୍କଟ ମାଡ଼ିବସିଛି। ବିପୁଳ ରୋଜଗାର ଯୋଗାଉଥିବା ନିର୍ମାଣ କ୍ଷେତ୍ରରେ ଶିଥିଳତା ଦେଖାଦେଇଛି ଓ ସେବା କ୍ଷେତ୍ରରେ ଅନିଶ୍ଚିତତା ରାଜୁତି କରୁଛି। ତେଣେ ରପ୍ତାନୀ କମିଛି। ଏହିଭଳି ଦେଖିବାକୁ ଗଲେ ଅର୍ଥନୀତିର ପ୍ରାୟ ସବୁ କ୍ଷେତ୍ରରେ ଘୋର ସଙ୍କଟ ପରିଲକ୍ଷିତ ହେଉଛି।
୪. ନୋଟବନ୍ଦୀ ସବୁଠାରୁ ବଡ଼ ଧକ୍କା ଦେଇଛି। ଜିଏସଟି ଉପରେ ନା ସେହିଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଲା ନା ଏହାକୁ ଠିକ୍ ଭାବରେ ଲାଗୁ କରାଗଲା। ଏହି କାରଣରୁ ଜିଏସଟି ବେପାର ବାଣିଜ୍ୟକୁ ପୂରା ଏପଟ ସେପଟ କରିଦେଇଛି। ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇଛି ଓ ଶ୍ରମିକମାନେ ହାତ ବାନ୍ଧି ବସିଛନ୍ତି। ନୂଆ ନିଯୁକ୍ତି ପାଇଁ କୌଣସି ଅବସର ସୃଷ୍ଟି ହୋଇପାରୁନାହିଁ।
୫. ତ୍ରୟମାସିକ ଆର୍ଥିକ ବୃଦ୍ଧିରେ ହ୍ରାସ ଘଟିଛି ଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଏହା ଖସି ୫.୭ ପ୍ରତିଶତକୁ ଆସିଯାଇଛି। ବିଗତ ତିନି ବର୍ଷ ମଧ୍ୟରେ ଏହା ସବୁଠାରୁ କମ୍।
୬. ସରକାରୀ ପ୍ରବକ୍ତାମାନେ କହୁଛନ୍ତି ଯେ ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ନୋଟବନ୍ଦୀ ଦାୟୀ ନୁହେଁ। ଏହା ସତ, ହେଲେ ଆଗରୁ ଲାଗିଆସିଥିବା ଆର୍ଥିକ ମାନ୍ଦାବସ୍ଥାରେ ନୋଟବନ୍ଦୀ ନିଆଁରେ ଘିଅ ଢାଳିବା ପରି କାମ କଲା।
୭. ବର୍ତ୍ତମାନର ସରକାର ୨୦୧୫ର ଜିଡିପି (ମୋଟ ଘରୋଇ ଉତ୍ପାଦନ) ଆକଳନର ପଦ୍ଧତିକୁ ହଠାତ୍ ବଦଳାଇ ଦେଲେ ଯାହାଫଳରେ ଏହି  ହିସାବ ଗୋଳମାଳ ହେଲା।
୮. ଏ ବର୍ଷ ମୌସୁମୀ ଆଶାନୁରୂପ ନଥିଲା। ଏହି କାରଣରୁ ଗ୍ରାମୀଣ ଇଲାକାରେ ଆଗାମୀ ଦିନରେ ମୁସକିଲ୍ ଆହୁରି ବଢ଼ିବ। କିଛି ରାଜ୍ୟରେ ଚାଷୀମାନଙ୍କୁ ଦିଆଯାଉଥିବା ଋଣକୁ ଆଖିବୁଝା ଛାଡ଼ କରିଦିଆଗଲା।
୯ ଦେଶର ୪୦ଟି ବଡ଼ ବଡ଼ କମ୍ପାନି ଏବେ ଦେବାଳିଆ ଅବସ୍ଥାକୁ ଆସିଗଲେଣି। ଆଗାମୀ ଦିନରେ ଆହୁରି କିଛି କମ୍ପାନି ଏହି ରାସ୍ତା ଧରିବେ। ଲଘୁ ଓ ମଧ୍ୟମ ଉଦ୍ୟୋଗ କଷ୍ଟ ସମୟ ଦେଇ ଗତି କରୁଛି। ଜିଏସଟି ବାବଦକୁ କେଉଁଠି ସ୍ପଷ୍ଟତା ନାହିଁ ଓ ଅନେକ ବ୍ୟବସାୟ ପ୍ରତିଷ୍ଠାନ ପାଖରେ ନଗଦର ଅଭାବ ରହିଛି। ବିଶେଷକରି ଏମଏସଏମଇ ସେକ୍ଟର ଜିଏସଟିର କୁପ୍ରଭାବ ଭୋଗିବା ଆରମ୍ଭ କରିଛି।
୧୦. ବିଜେପି ବିରୋଧୀ ଦଳରେ ବସିଥିବା ବେଳେ ଆୟକର ଚଢ଼ଉ ବା “ରେଡ୍ ରାଜ”କୁ ବିରୋଧ କରୁଥିଲା। କିନ୍ତୁ ବର୍ତ୍ତମାନ ତାହା ଏକ ଦୈନନ୍ଦିନ ଘଟଣାରେ ପରିଣତ ହୋଇଯାଇଛି। ନୋଟବନ୍ଦୀ ପରେ ସିବିଆଇ, ଇଡି ଆଦି ସଂସ୍ଥା ଲକ୍ଷ ଲକ୍ଷ ମାମଲାର ଯାଞ୍ଚ ପାଇଁ ଫାଇଲ ଖୋଲି ପକାଇଛନ୍ତି ଯାହାଫଳରେ ଲୋକଙ୍କ ଭିତରେ ଏକ ଭୟର ବାତାବରଣ ଖେଳିଯାଇଛି।

Comment