ଓଡିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ଏବେ ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏପଟେ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣି ବିଜେପି ନେତା ଖୁସି ଜାହିର କରୁଥିବା ବେଳେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ଅସନ୍ତୋଷକୁ ନେଇ ନେତା ଚିନ୍ତାରେ ପଡ଼ିଛନ୍ତି। ଯେଉଁ କାରଣ ପାଇଁ ଅଶୋକ ବିଜୁ ପରିବାରକୁ ଛାଡ଼ି ବିଜେପିରେ ମିଶିଲେ ଏବେ ସେହି କାରଣ ପାଇଁ ନାରାୟଣ ଋଷିଛନ୍ତି। ତେବେ ନାରାୟଣ ଯଦି ଅଶୋକଙ୍କ ଭଳି ନିଷ୍ପତ୍ତି ନେଇ ଅନ୍ୟ ଦଳକୁ ଭରସା କରନ୍ତି ତାହାଲେ ବିଜେପି ପାଇଁ ବିଜେପୁର ବୁମେରାଂ ହୋଇପାରେ।
ବିଜେପୁର ପାଇଁ ବିଜେପି ସଜବାଜ ଆରମ୍ଭ କରିଛି। ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ବରଗଡ଼ ଜିଲ୍ଲାର ବରପାଲିଠାରେ ଦଳର ତୁଙ୍ଗ ନେତା ରଣହୁଙ୍କାର ଦେଇଛନ୍ତି। ହେଲେ ଏହି ସଜବାଜକୁ ଫିକା କରିଦେଇଛି ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ଆଡ଼ଋଷା। ଏତେବଡ଼ ସମାବେଶରେ ନାରାୟଣଙ୍କୁ ଦେଖିବାକୁ ମିଳି ନଥିବାରୁ ଦଳରେ ରହିଥିବା ଅସନ୍ତୋଷ ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ନାରାୟଣ ଆଜି ଆସିନାହାନ୍ତି କାଲି ଆସିବେ ବୋଲି ବିଜେପି ନେତାମାନେ ସଫେଇ ଦେଉଥିଲେ ହେଁ ଏହା ଏତେ ସହଜ ନୁହେଁ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।
ବିଜେପୁର ଉପନିର୍ବାଚନ ବିଗୁଲ୍ ବାଜିବା ପୂର୍ବରୁ ବିଜେପିର ରଣହୁଙ୍କାର ସଭାରେ ନାରାୟଣଙ୍କ ଅନୁପସ୍ଥିତ ବିଜେପିକୁ ଶକ୍ତ ଧକ୍କା ଦେଇଛି।
ବରଗଡ଼ ବିଜେପିରେ ସବୁକିଛି ଠିକ୍ଠାକ୍ ଚାଲିଥିଲା। ଦଳ ପଞ୍ଚାୟତ ନିର୍ବାଚନରେ ଏଠାରେ ବିପୁଳ ଭୋଟରେ ବିଜୟୀ ହୋଇଛି। କେବଳ ବିଜେପୁରରେ ୭ଟିରୁ ୬ଟି ଜିଲ୍ଲାପରିଷଦ ଜୋନ୍ରେ ବିଜୟୀ ହୋଇ ଶାସକ ବିଜେଡିକୁ ଚ୍ୟାଲେଞ୍ଜ ଦେଇଥିଲା। କିନ୍ତୁ ଯେବେଠୁ ବିଜେପୁର ଉପ ନିର୍ବାଚନ ପାଇଁ ସମରସଜ୍ଜା ଆରମ୍ଭ ହେଲାଣି ସେବେଠାରୁ ବିଜେପି ପାଇଁ ବିଜେପୁର ଗଣିତ ଜଟିଳ ହେବାରେ ଲାଗିଛି।
କଂଗ୍ରେସରୁ ରୀତା ସାହୁଙ୍କୁ ଆଣି ବିଜେଡି ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ଅଡ଼ୁଆ ବଢ଼ି ଚାଲିଛି। ରୀତାଙ୍କ ପ୍ରାର୍ଥୀତ୍ବକୁ ଗ୍ରହଣ ନକରି ବିଜେଡିରେ ବିଦ୍ରୋହର ବିଗୁଲ ଫୁଙ୍କିଥିଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ। ବିଜୁ ପରିବାର ସହ ସମ୍ପର୍କ ଛିନ୍ନ କରି ବିଜେପି ଶିବିରକୁ ଲମ୍ଫ ମାରିବା ଲାଗି ଶ୍ରୀ ପାଣିଗ୍ରାହୀ ଇସାରା ଦେବା ପରେ ସ୍ୱାଭାବିକ ଥିବା ବିଜେପି ଶିବିର ହଠାତ୍ ଗୋଳମାଳ ହୋଇଯାଇଥିଲା। ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ଖୋଲାଖୋଲି ଅଶୋକଙ୍କୁ ବିରୋଧ କରିଛନ୍ତି। ଏହାର ପ୍ରମାଣ ଦେଖିବାକୁ ମିଳିଛି ବରପାଲିରେ ସୋମବାର ଅନୁଷ୍ଠିତ ମିଶ୍ରଣ ପର୍ବରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ପଦ୍ମଫୁଲ ଦେଇ ଅଶୋକ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରୁଥିବା ବେଳେ ନାରାୟଣ ମଞ୍ଚରେ ଉପସ୍ଥିତ ନଥିଲେ। ଖାଲି ସେତିକି ନୁହେଁ, ରବିବାର ଅନୁଷ୍ଠିତ ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ବୈଠକରେ ବି ନାରାୟଣଙ୍କ ଦେଖା ମିଳି ନଥିଲା। ତେବେ ବିଜେପୁର ଯୁଦ୍ଧ ପୂର୍ବରୁ ନାରାୟଣଙ୍କ ଅନ୍ତର୍ଦ୍ଧାନ ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଥିବା ଆଲୋଚନା ହେଉଛି।
କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ବିଜେପୁର ବିଜୟ ନିଶ୍ଚିତ ବୋଲି କହିଥିଲେ। ଏବେ ତାଙ୍କରି ଦଳର ଜିଲ୍ଲା ବିଜେପି ସଭାପତି ଆଡଋଷା ମାରିଥିବାରୁ ବିଜେପୁର ବିଜୟକୁ ନେଇ ଦଳର ତୁଙ୍ଗ ନେତାଙ୍କ ଚିନ୍ତା ବଢ଼ି ଯାଇଛି।
ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ କହିଛନ୍ତି,”ନାରାୟଣ ଆଜି ଆସି ନାହାନ୍ତି କାଲି ନିଶ୍ଚୟ ଆସିବେ। ତାଙ୍କ ସହ ଦଳ ଯୋଗାଯୋଗ ରଖିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଆମେ ବିଜେପୁର ଯୁଦ୍ଧ ଲଢ଼ିବୁ।”
ବିଜେପି ବିଧାୟକଙ୍କ ଏହି ମନ୍ତବ୍ୟ କେତେମାତ୍ରାରେ ସଫଳ ହେଉଛି ଏବଂ ନାରାୟଣଙ୍କୁ ମନାଇ ଦଳ ବିଜେପୁର ଲଢ଼େଇରେ ସାମିଲ କରୁଛି କି ନାହିଁ ତାକୁନେଇ ଏବେ ବିଭିନ୍ନ ମହଲରେ ଉତ୍ସୁକତା ବଢ଼ିଛି।