ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ପୂର୍ବରୁ ହୋଇପାରେ ସାଧାରଣ ନିର୍ବାଚନ। ଏକାସଙ୍ଗେ ଲୋକସଭା ଏବଂ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ଚର୍ଚ୍ଚା ଗତ କିଛିଦିନ ହେଲା ଭାରତୀୟ ରାଜନୀତିରେ ଜୋର୍‌ ହୋଇଥିବା ବେଳେ ବୁଧବାର ନିର୍ବାଚନ କମିଶନ ଏମିତି କିଛି କହିଛନ୍ତି, ଯାହାକୁ ନେଇ ରାଜନୀତି କରିଡର ଉଠୁଛି ପଡ଼ୁଛି।
ନିର୍ବାଚନ କମିଶନ ଓ ପି ରାଓ୍ବତ ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଧ୍ୟପ୍ରଦେଶ ଆସିଥିଲେ। ଏହି ଅବସରରେ ସେ କହିଥିଲେ ଯେ, କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୨୦୧୮ ସେପ୍ଟେମ୍ବର ପରେ ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇପାରେ। ଏକାସାଙ୍ଗରେ ନିର୍ବାଚନ ହେଲେ ୪୦ ଲକ୍ଷ ଇଭିଏମ୍‌ ମେସିନ୍‌ର ଆବଶକ ବୋଲି ସେ କହିଛନ୍ତି।
ନିର୍ବାଚନ କମିଶନ ଓ ପି ରାଓ୍ବତ କହିଛନ୍ତି, “ଆଗୁଆ ଏବଂ ଏକାସଙ୍ଗରେ ନିର୍ବାଚନ ପାଇଁ କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ିଥିଲେ। କମିଶନ ମଧ୍ୟ କେନ୍ଦ୍ର ସରକାରଙ୍କୁ ତାଙ୍କ ମତ ଜଣାଇଥିଲେ। ଏକାସାଙ୍ଗେ ନିର୍ବାଚନ ହେଲେ ଅଧିକ ମେସିନ୍ ଆବଶ୍ୟକ ବୋଲି କମିଶନ ସରକାରଙ୍କୁ ଜଣାଇଥିଲେ। ଏହାପରେ ସରକାର ଆବଶ୍ୟକ ମୁତାବକ ଟଙ୍କା ମଧ୍ୟ ଦେଇଛନ୍ତି। ନିର୍ବାଚନ ପାଇଁ ଅଧିକ ଇଭିଏମ୍‌ ମେସିନ୍ ଯୋଗାଡ଼ କରାଯାଉଛି। କମିଶନଙ୍କ କାର୍ଯ୍ୟାଳୟରେ ଇଭିଏମ୍‌ ମେସିନ୍ ୨୦୧୮ ସେପ୍ଟେମ୍ବର ସୁଦ୍ଧା ପହଞ୍ଚାଇବା ପାଇଁ କୁହାଯାଇଛି। ଇଭିଏମ୍‌ ମେସିନ୍ ହାତକୁ ଆସିବା ପରେ ସରକାର ଯେବେ ଚାହିଁବେ ନିର୍ବାଚନ ହୋଇପାରିବ।”
ନିର୍ବାଚନ କମିଶନଙ୍କ ମନ୍ତବ୍ୟ ପରେ ଏବେ ଜାତୀୟ ରାଜନୀତିରେ ପୁଣି ବିତର୍କ ଆରମ୍ଭ ହୋଇଛି। ବିଗତ ଦିନରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ଏହା କିଛିମାତ୍ରା ଥଣ୍ଡା ପଡ଼ିଥିଲା। କିନ୍ତୁ ମଧ୍ୟପ୍ରଦେଶରେ ନିର୍ବାଚନ କମିଶନଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ, ଭାରତରେ ଆଗୁଆ ନିର୍ବାଚନ ହେବା ନିଶ୍ଚିତ। ୨୦୧୮ ନଭେମ୍ବର ଡିସେମ୍ବର ମଧ୍ୟରେ ନିର୍ବାଚନ ହେବ ବୋଲି ରାଜନୀତି ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି।
 

LEAVE A REPLY

Please enter your comment!
Please enter your name here