ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୀତିରେ ପୁଅ ପାଇଁ ବାଟ ଛାଡ଼ୁଛନ୍ତି ବାପା। ଏଭଳି ଦୃଷ୍ଟାନ୍ତ ଅତୀତରେ ଦେଖିବାକୁ ମିଳିଛି। ବିଜୟଶ୍ରୀ ରାଉତରାୟ, ନରସିଂହ ମିଶ୍ର ଏବଂ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢେଇରୁ ସନ୍ନ୍ୟାସ ଘୋଷଣା କରିବା ପରେ ଉତ୍ତରାଧିକାରୀଙ୍କୁ ନେଇ ପୁଣି ରାଜ୍ୟ ରାଜନୀତି ଉଷ୍ମ ହୋଇଛି।

ରାଜନେତାଙ୍କ ଅବସର ବୟସ କେତେ? ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଉଠିଛି ଝଡ଼। ବୟସ ୭୦ ଟପି ଥିବାରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢେ଼ଇରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ତେବେ ଏହି ଦୁଇ ହେଭିୱେଟ ନେତାଙ୍କ ସନ୍ନ୍ୟାସ ପ୍ରସଙ୍ଗ ରାଜନୀତିରେ କରିଡ଼ରରେ ଆଲୋଡ଼ନ ସୃଷ୍ଟି କରିଛି।
ଉତ୍ତରାଧିକାରୀ ପାଇଁ ଏମାନେ ନିର୍ବାଚନ ମଇଦାନରୁ ସନ୍ନ୍ୟାସ ନେଉଥିବା ଚର୍ଚ୍ଚା ହେଉଛି।  ହେମାନନ୍ଦ ଏବଂ ନରସିଂହଙ୍କ ଉତ୍ତରାଧିକାରୀଙ୍କୁ ଏପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳି ନଥିଲେ ମଧ୍ୟ ୨୦୧୯ରେ ଏମାନେ ମଇଦାନକୁ ଆସିପାରନ୍ତି ବୋଲି କୁହାଯାଉଛି।
ନରସିଂହ ମିଶ୍ରଙ୍କ ପୁଅ ହେଉଛନ୍ତି ସୋମେଶ ମିଶ୍ର। ବଲାଙ୍ଗୀରରେ ସୋମେଶଙ୍କର ଏକ ବଡ଼ ବ୍ୟବସାୟ ଚାଲିଛି।  ସେ ଏପର୍ଯ୍ୟନ୍ତ ରାଜନୀତି ମଇଦାନକୁ ଓହ୍ଲାଇ ନାହାନ୍ତି।  ହେଲେ ନରସିଂହଙ୍କ ନିର୍ବାଚନ ଲଢେ଼ଇରୁ ସନ୍ନ୍ୟାସ ଘୋଷଣା ପରେ ଏବେ ରାଜନୀତି ପର୍ଯ୍ୟବେକ୍ଷକ ସୋମେଶଙ୍କ ଉପରେ ନଜର ଦେଇଛନ୍ତି।  ସୋମେଶ ହିଁ ନରସିଂହଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା ହେଉଛି।
ଏପଟେ ହେମାନନ୍ଦଙ୍କ ପୁଅ କିମ୍ବା ଝିଅ ରାଜନୀତିରେ ସକ୍ରିୟ ନଥିବାରୁ ସେ ତାଙ୍କ ପରିବାରରୁ ଉତ୍ତରାଧିକାରୀ ସନ୍ଧାନରେ ରହିଥିବା ଆଲୋଚନା ହେଉଛି।  ପୂର୍ବରୁ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ବିଜୟଶ୍ରୀଙ୍କ ପୁଅ ବିଷ୍ଣୁପଦ ରାଉତରାୟ ଭଦ୍ରକ ଜିଲ୍ଲା ବାସୁଦେବପୁର ଆସନରୁ ୨୦୧୯ରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି।
ନରସିଂହ ଏବଂ ହେମାନନ୍ଦଙ୍କ ପରି ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର, ଡାକ୍ତର ଦମୋଦର ରାଉତ, ପ୍ରଫୁଲ୍ଲ ସାମଲ, ଯୁଗଳ କିଶୋର ପଟ୍ଟନାୟକ ମଧ୍ୟ ୭୦ କ୍ଲବରେ ସାମିଲ ହୋଇଛନ୍ତି। ବୟସାଧିକ କାରଣ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏମାନେ ନିର୍ବାଚନ ଲଢ଼ି ନପାରନ୍ତି। ଯଦିବି ଇଚ୍ଛା କରନ୍ତି ତାହାଲେ ଏମାନଙ୍କୁ ଟିକେଟ ମିଳି ନପାରେ। ଏହାକୁ ନଜରରେ ରଖି ଏହି ନେତା ନିଜ ଉତ୍ତରାଧିକାରୀଙ୍କୁ ଆଗକୁ ଆଣିବା ପାଇଁ ଚାହୁଁଛନ୍ତି।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବିଜୟୀ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ନିର୍ବାଚନ ମଇଦାନକୁ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେହିପରି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ମଧ୍ୟ ପାରାଦୀପ ପାଇଁ ଉତ୍ତରାଧିକାରୀ ସୂତ୍ରରେ ଦାବିଦାର ରହିଥିବା କୁହାଯାଉଛି। ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ, ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ବି ନିର୍ବାଚନ ଲଢେ଼ଇକୁ ଆସିବାକୁ ସଜବାଜ ହେଉଛନ୍ତି। ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ୨୦୧୪ରୁ ସକ୍ରିୟ ଅଛନ୍ତି।
ରାଜନୀତିରେ ବାପା-ପୁଅ
ଓଡ଼ିଶା ରାଜନୀତିର ଇତିହାସ ପୃଷ୍ଠା ଓଲଟାଇଲେ ବାପା-ପୁଅଙ୍କ ସକ୍ରିୟତାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିବ। ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡ଼ାଇ, ସ୍ୱର୍ଗତ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ କଳିକେଶ ସିଂଦେଓ ମଧ୍ୟ ରାଜନୀତିକୁ ଆସି ଅନ୍ୟ ଉତ୍ତରାଧିକାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
୭୦ କ୍ଲବରେ ଅନ୍ୟ କେଉଁ ନେତା
ବିଜେଡି ନେତା ମଙ୍ଗଳା କିଶାନ୍, ଅନନ୍ତ ଦାସ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଚିକିଟି ବିଧାୟିକା ଉଷା ଦେବୀ, ଚିଲିକା ବିଧାୟକ ବିଭୂତି ହରିଚନ୍ଦନ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଖଲ୍ଲିକୋଟ ବିଧାୟିକା ଭି ସୁଜ୍ଞାନୀ ଦେଓ, ଦୁର୍ଯ୍ୟୋଧନ ମାଝି, ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ଲାଲ୍ ବିହାରୀ ହିମରିକା, କଂଗ୍ରେସ ନେତା ସୁରେଶ ରାଉତରାୟ ୭୦ କ୍ଲବରେ ସାମିଲ୍ ହୋଇଛନ୍ତି।
ଏହି ବୟସାଧିକ ନେତାଙ୍କ ଆଗାମୀ ରାଜନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନେ ସ୍ୱଇଚ୍ଛାରେ ସନ୍ନ୍ୟାସ ନେବେ ନା ଏମାନଙ୍କୁ ଟିକେଟରୁ ବଞ୍ଚିତ କରାଯିବ ତା’ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here