ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ଆରମ୍ଭ କରିଛି ଦେଓମାଳିର ନିର୍ଭୟା ସନ୍ଦେଶ ଯାତ୍ରା। ହେଲେ ଏହି ଯାତ୍ରାରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ନଦେବାରୁ କଂଗ୍ରେସକୁ ଲାଗିଛି ବଡ଼ ଧରଣର ଝଟକା।

କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ନେଇ ଆଜି କଂଗ୍ରେସ ପଦଯାତ୍ରା କରିଛି। କୁନ୍ଦୁଲି ହାଟପଦାଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ କୋରାପୁଟ ପର୍ଯ୍ୟନ୍ତ ଆସିଛି। ପରେ ଏହି ଯାତ୍ରା ଡିଆଇଜି ଅଫିସ ପର୍ଯ୍ୟନ୍ତ ଯିବ ଏବଂ କଂଗ୍ରେସ କର୍ମୀମାନେ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଅନୁଷ୍ଠିତ ପଦଯାତ୍ରାରେ ବହୁ ରାଜ୍ୟ ସ୍ତରୀୟ ନେତା ଯୋଗ ଦେଇଛନ୍ତି। ହେଲେ କୋରାପୁଟ ଜିଲ୍ଲାର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ଫଳରେ କଂଗ୍ରେସରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି।
କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ଆରମ୍ଭ ହୋଇଥିବା ପଦଯାତ୍ରାର ନାଁ ରହିଛି ‘ଦେଓମାଳିର ନିର୍ଭୟା ସନ୍ଦେଶ ଯାତ୍ରା’। ଏନେଇ ସୋମବାର ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ତାରା ବାହିନୀପତି ଯୋଗଦେବେ ବୋଲି କହିଥିଲେ। କିନ୍ତୁ ତାରା ଏହି ପଦଯାତ୍ରା ସମ୍ପର୍କରେ ଖବର ପାଇ ନାହାନ୍ତି ଏବଂ ସେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସତକୁ ସତ ଏହି ପଦଯାତ୍ରାରେ ତାରାଙ୍କୁ ଦେଖିବାକୁ ମିଳିନାହିଁ।
ପଦଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ପ୍ରଦୀପ ମାଝି,  ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ସାମିଲ୍ ହୋଇଥିଲେ। ମାତ୍ର ତାରା କିମ୍ବା ତାଙ୍କ ସମର୍ଥକଙ୍କୁ ଏଥିରେ ଦେଖିବାକୁ ମିଳି ନଥିଲା।
ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ କହିଛନ୍ତି,”ପଦଯାତ୍ରାକୁ ସଫଳ କରିବା ପାଇଁ ଆମେ ସମସ୍ତଙ୍କୁ ନିବେଦନ କରିଥିଲୁ। ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ମଧ୍ୟ କହିଥିଲୁ। ହେଲେ କିଏ କ’ଣ ପାଇଁ ଆସିଲା ନାହିଁ ସେ କଥା କହି ପାରିବି ନାହିଁ।”
ଗତ ପଞ୍ଚାୟତ ନିର୍ବାଚନ ବେଳେ ପ୍ରସାଦ ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସମୀକ୍ଷା ବୈଠକ କରିବାକୁ ଯାଇଥିଲେ। ହେଲେ ତାରା ଏହି ବୈଠକରେ ଉପସ୍ଥିତ ନଥିଲେ। ଖାଲି ସେତିକି ନୁହେଁ, ପ୍ରସାଦଙ୍କ ବିରୋଧରେ ତାରା ବିଷୋଦଗାର ମଧ୍ୟ କରିଥିଲେ। ଏହାକୁ ନେଇ ତାରା ଏବଂ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଥିଲା। ଏହାପରେ ଆରମ୍ଭ ହୋଇଥିଲା ପିସିସି ସଭାପତି ହଟାଓ ଅଭିଯାନ। ଏହି ଅଭିଯାନ ଆରମ୍ଭ ହେବା ପରେ ପ୍ରସାଦ ନୀରବ ରହିଥିଲେ। ଦୀର୍ଘ ଦିନର ନୀରବତା ପରେ ଏବେ ପୁଣି ପ୍ରସାଦ ମଇଦାନକୁ ଓହ୍ଲାଇଛନ୍ତି। କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାରୁ ରାଜନୈତିକ ଫାଇଦା ନେବା ଲାଗି କଂଗ୍ରେସ ଉଦ୍ୟମ ଆରମ୍ଭ କରିଥିଲେ ହେଁ ତାରା ବାହିନୀପତିଙ୍କ ଅସହଯୋଗ କଂଗ୍ରେସ ଏବଂ ପିସିସି ଟିମ୍‌କୁ ମହଙ୍ଗା ପଡ଼ିଛି।
 

LEAVE A REPLY

Please enter your comment!
Please enter your name here