ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି ପରେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେଡି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗଟେ କରିଥିବା ବେଳେ ବିଜେପି ବିଜେଡିକୁ ବାଣ ମାରିଛି। ବିଜେପି, ବିଜେଡିର ଏହି କାଦୁଅଫିଙ୍ଗା ରାଜନୀତିକୁ ନେଇ ରାଜନୀତି ସରଗରମ୍ ହୋଇଛି।

ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କୁ ରାଜ୍ୟ ସରକାର ଦୀପାବଳି ଭେଟି ଦେବା ପରେ ଆରମ୍ଭ ହୋଇଛି ରାଜନୀତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ବିଜେପି ବିଜେଡିକୁ ପାଲଟା ବାଣ ମାରିଛି। ଅଙ୍ଗନବାଡ଼ି ଦିଦିଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି।
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ପ୍ରସଙ୍ଗକୁ ନେଇ ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ବିଜେଡିର ୩ ନେତା। ପ୍ରତାପ ଦେବ, ସୁବାସ ସିଂହ ଏବଂ ସୁଲୋଚନା ଦାସ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କେନ୍ଦ୍ର ନେତୃତ୍ବାଧୀନ ବିଜେପି ସରକାରକୁ ଟାର୍ଗଟେ କରିଛନ୍ତି। ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରିଥିବା ବେଳେ ବିଜେପି ଶାସିତ ରାଜ୍ୟରେ ଏହି କର୍ମୀ ଓ ସହାୟିକାମାନେ କେତେ ପାଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।
ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “୨୦୦୮ରେ ଆମେ ୫୦୦ ଟଙ୍କା ବଢ଼ାଇଥିବା ବେଳେ ୨୦୧୩ରେ ୫୦୦ ଟଙ୍କା ଏବଂ ଏବେ ୨୦୦୦ ଟଙ୍କା ବୃଦ୍ଧି କରିଛୁ। ଏହି ସମୟ ଭିତରେ କେନ୍ଦ୍ର ସରକାର କ’ଣ କରିଛନ୍ତି? ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କୁ କେତେ ଟଙ୍କା ମିଳୁଛି?”
ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଅଙ୍ଗନବାଡ଼ି କର୍ମୀମାନେ କେତେ ଟଙ୍କା ପାଉଛନ୍ତି ବିଜେପି ସ୍ପଷ୍ଟ କରୁ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି।
ଅଙ୍ଗନବାଡ଼ି କର୍ମୀଙ୍କ ଦାବିକୁ ରାଜ୍ୟ ସରକାର ଶୁଣିଛନ୍ତି। ସେଥିମଧ୍ୟରୁ କିଛି ଦାବି ଆମ ସରକାର ପୂରଣ କରିଛନ୍ତି। ଏଣୁ ଯେଉଁମାନେ ଆନ୍ଦୋଳନ ଜାରି ରଖିଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଶ୍ରୀ ଦେବ ନିବେଦନ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଏହି ଟାର୍ଗଟେ ପରେ ବିଜେପି ନେତା ସୁରେଶ ପୂଜାରୀ ପାଲଟା ଆକ୍ରମଣ କରିଛନ୍ତି। ୧୭ ବର୍ଷ ହେଲା ସରକାର କ’ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏହି ଦରମା ବୃଦ୍ଧି କରିଛନ୍ତି। ଆଉ ଅଙ୍ଗନବାଡ଼ି କର୍ମୀଙ୍କ ସଂଘକୁ ବିଭାଜିତ କରିଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here