ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଙ୍ଗନବାଡ଼ି ସଂଘରେ ପଲିଟିକ୍ସ। ବିଜେଡି ଓ ବିଜେପିର କାଦୁଅଫିଙ୍ଗା ରାଜନୀତି ଯୋଗୁଁ ସଂଘର ଏକତା ଭାଙ୍ଗି ଯାଇଛି। ଦରମା ବୃଦ୍ଧିକୁ ନେଇ ବିଜେଡି ସମର୍ଥିତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ବିଜେପି ସମର୍ଥିତ ସଂଘ ଧାରଣା ଜାରି ରଖିଛି।

ଅଙ୍ଗନବାଡ଼ି ସଂଘରେ ଫାଟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରରେ। ଗୋଟିଏ ଗୋଷ୍ଠୀ ବିଜେଡି ସମର୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ରହିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିଜେପି ସମର୍ଥିତ ଭାରତୀୟ ମଜଦୁର ସଂଘ ସହ ରହିଛନ୍ତି। ଅଙ୍ଗନବାଡ଼ି ସଂଘରେ ପଲିଟିକ୍ସ ପଶିବାକୁ ନେଇ ସଂଘ ଏବେ ବିଭାଜିତ ହୋଇ ଯାଇଛି।
୩୬ ଦିନ ହେଲା ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିଲେ। କର୍ମୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଏବଂ ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରିବାକୁ ସଂଘ ଦାବି କରିଥିଲା। ବର୍ଷା, ଖରା ମାଡ଼ ଖାଇ କର୍ମୀ ୩୬ ଦିନ କାଳ ରାଜଧାନୀ ରାଜରାସ୍ତାରେ ଲଢ଼େଇ କରୁଥିଲେ ମଧ୍ୟ ସରକାରଙ୍କ ତାଙ୍କ ଗୁହାରି ଶୁଣୁ ନଥିଲେ। ଶେଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାରଣାସ୍ଥଳକୁ ଆସି କର୍ମୀ, ସହାୟିକାଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏହାପରେ ହିଁ ଆରମ୍ଭ ହୋଇଥିଲା ଅସଲ ରାଜନୀତି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲେ। ଶେଷରେ ପରିସ୍ଥିତି ଏମିତି ରୂପ ନେଲା, ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଅଙ୍ଗନବାଡ଼ି କର୍ମୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିଲେ।
ଦରମା ବୃଦ୍ଧି ଘୋଷଣା ପରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ସଂଘ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହେଲେ ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ସଂଘ ଏହି ବର୍ଦ୍ଧିତ ଦରମାକୁ ଗ୍ରହଣ କରିନାହିଁ। ସର୍ବନିମ୍ନ ୧୦ ହଜାର ଟଙ୍କା ଦରମା ନଦେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ଏହି ଜିଦ୍‌ରେ ଅଟଳ ରହି କର୍ମୀମାନେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି।

 

LEAVE A REPLY

Please enter your comment!
Please enter your name here