ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ କୋରାପୁଟରେ ପଦଯାତ୍ରା କରିବା ପରେ ଆସନ୍ତା ୨ ତାରିଖରେ ରାଜଭବନ ଘେରିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।

କୁନ୍ଦୁଲି ଗଣବଳାତ୍କାର ମାମଲାକୁ ୧୪ ଦିନ ବିତିଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଘଟଣାର ଖିଅ ପାଉନି। ପ୍ରକୃତ ଅଭିଯୁକ୍ତର ପୋଲିସ ପତ୍ତା ପାଉ ନଥିବାରୁ  ଘଟଣା ଉପରୁ ପରଦା ହଟିପାରୁନି। ପୀଡିତାଙ୍କ ଗାଁର ୪ ଜଣ ନାବାଳକଙ୍କୁ ପୋଲିସ ପୁଣି ନୋଟିସ ଜାରି କରିଥିବା ବେଳେ ମୁଖ୍ୟ ବିରୋଧୀ କଂଗ୍ରେସ ଶାସକ ବିଜେଡିକୁ ଟାର୍ଗଟେ କରିଛି।
କନ୍ଦୁଲି ଗଣବଳାତ୍କାର ଘଟଣାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। ମୁଖ୍ୟ ବିରୋଧୀ କଂଗ୍ରେସ ଏହି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶାସକ ବିଜେଡିକୁ ସମାଲୋଚନା କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
କହିଛନ୍ତି, “ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି। ହେଲେ ପୀଡିତାଙ୍କୁ ନ୍ୟାୟ ଦେବାରେ ପୋଲିସ ଅସଫଳ ହୋଇଛି। ପୀଡ଼ିତା ପରିବାରକୁ ୮ ଲକ୍ଷ ୨୫ ହଜାର ଟଙ୍କା କ୍ଷତିପୂରଣ ମିଳିବା ଆଇନରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନି। ସବୁ ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ରାଜ୍ୟ ସରକାର ବିଫଳ। ଏହାକୁ ନେଇ କଂଗ୍ରେସ ନଭେମ୍ବର ୨ରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ।”
ଏପଟେ ପୋଲିସ ପୁଣି ୪ ଜଣ ନାବଳକଙ୍କୁ ନୋଟିସ ଜାରି କରିଛି। ଦକ୍ଷିଣାଞ୍ଚଳ ଡିଆଇଜି ଅଫିସରେ ହାଜର ହେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି। ଗତ ୧୫ ତାରିଖରେ ସଂପୃକ୍ତ ନାବାଳକଙ୍କୁ ପୋଲିସ ଅଟକ ରଖି ପଚର ଉଚରା କରିଥିଲା। ସେମାନଙ୍କ ମଧ୍ୟରୁ ଜଣକର ଲାଇ ଡିଟେକ୍ସନ୍ ଟେଷ୍ଟ ମଧ୍ୟ କରାଯାଇଥିଲା।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୋରିଷପଦା ଜଙ୍ଗଲରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ୧୦ ତାରିଖରେ କୁନ୍ଦୁଲି ହାଟକୁ ପାସପୋର୍ଟ ଫଟୋ ଉଠାଇବାକୁ ଭାଇଙ୍କ ସହ ଯାଇଥିଲେ ପୀଡିତା। ଫଟୋ ଉଠାଇ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ। ତେବେ କିଛିବାଟ ଅଟୋରେ ଆସିବା ପରେ ଉଭୟ ଚାଲି ଚାଲି ଆସିଥିଲେ। ଭାଇ-ଭଉଣୀ ସୋରିଷପଦା ଜଙ୍ଗଲ ଦେଇ ଆସୁଥିବା ବେଳେ ୪ ଜଣ ଯୁବକ ମୁହଁରେ ଓଢ଼ଣୀ ଘୋଡ଼ାଇ ନାବାଳିକାଙ୍କୁ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ହେଲେ ଘଟଣା ଉପରୁ ପରଦା ହଟୁନି।

 

Comment