ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଓଡ଼ିଶାର ପାଇକ ବିଦ୍ରୋହକୁ ମିଳିବ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା। ଆସନ୍ତା ଶିକ୍ଷା ବର୍ଷଠାରୁ ପାଇକ ବିଦ୍ରୋହକୁ ଇତିହାସ ବହିରେ ସ୍ଥାନ ମିଳିବ। ଛାତ୍ରଛାତ୍ରୀମାନେ ଜାଣିବେ ପାଇକ ବିଦ୍ରୋହର ସଂଗ୍ରାମୀମାନଙ୍କ ବିଷୟରେ’- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳଳୀରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର।

ଜାଭଡେକରଙ୍କ ଏହି ମନ୍ତବ୍ୟ ପରେ ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ। ମନ୍ତ୍ରୀ ଏତେ ସହଜରେ ଇତିହାସ ବଦଳାଇ ଦେବେ ନା ପାଇକ ବିଦ୍ରୋହର ୨୦୦ ବର୍ଷର ପୂର୍ତ୍ତି ଉତ୍ସବ ପାଳନ ଅବସରରେ ବିଜେପି ଏହି କାର୍ଡ଼ ଖେଳି ରାଜନୈତିକ ମାଇଲେଜ୍ ନେବାକୁ ଚାହୁଁଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

୧୮୧୭ ମସିହାରେ ଖୋର୍ଦ୍ଧାଠାରେ ପଡ଼ିଥିଲା ପାଇକ ବିଦ୍ରୋହର ମୂଳଦୁଆ। ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ପାଇକ ଆନ୍ଦୋଳନ ଓଡ଼ିଶାରେ ଆରମ୍ଭ ହୋଇଥିବାରୁ ଏହାକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ବୋଲି କୁହାଯାଉଛି। ପାଇକ ବିଦ୍ରୋହକୁ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ଦେବାକୁ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ହେଲେ କେନ୍ଦ୍ର ଏନେଇ କୌଣସି ଉତ୍ତର ଦେଇ ନଥିଲା। ତେବେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜାଭଡେକର ହଠାତ୍ ଏହି ମନ୍ତବ୍ୟ ଦେବା ପଛରେ ରାଜନୈତିକ ଉଦ୍ଦେଶ୍ୟ ନା ଆଉ କିଛି କାରଣ ରହିଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି।

ପ୍ରକାଶ ଜାଭଡେକର କହିଛନ୍ତି, “ବ୍ରିଟିଶମାନଙ୍କ ବିରୋଧରେ ପାଇକମାନେ ଲଢ଼େଇ କରିଥିଲେ। ଆମେ ଏହାକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ଭାବେ ଗ୍ରହଣ କରୁଛୁ। ଏଣୁ ଏହାର ଉଚିତ୍ ମୂଲ୍ୟାୟନ କରାଯିବ। ଇତିହାସ ବହିରେ ପାଇକ ବିଦ୍ରୋହ ସମ୍ପର୍କରେ ଉଲ୍ଲେଖ କରାଯିବ।”

ପାଇକ ବିଦ୍ରୋହର ୨୦୦ ବର୍ଷର ସଫଳତାର ଶ୍ରେୟ କିଏ ନେବ ତାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଚାଲିଛି ପ୍ରତିଯୋଗିା। ବିଜେଡି ନୂଆଦିଲ୍ଲୀରେ ସମ୍ମିଳନୀ ଆୟୋଜନ କରିବା ସହ ବିଜେପି ପାଇକ ପରିବାରକୁ ସମ୍ମାନିତ କରି ତାର ଗୋଟି ଚାଳନା କରିଛି। ଏହି ପ୍ରତିଯୋଗିତା ଭିତରେ ମନ୍ତ୍ରୀ ଜାଭଡେକରଙ୍କ ମନ୍ତବ୍ୟ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ୨୦୧୮ରେ ସ୍ପଷ୍ଟ ଜଣାପଡ଼ିବ।

 

1 COMMENT

Comment